ହାଇଦ୍ରାବାଦ: ଚକ୍ଷୁଦାନ ମହତ୍ ଦାନ । ମଣିଷର ମୃତ୍ୟୁ ହୁଏ, ହେଲେ ମୃତ୍ୟୁର 4ରୁ 6 ଘଣ୍ଟା ପର୍ଯ୍ୟନ୍ତ ଚକ୍ଷୁ ଜୀବିତ ଥାଏ । ଏହାକୁ ଅନ୍ୟ ଜଣଙ୍କଠାରେ ପ୍ରତ୍ୟାରୋପଣ କରାଯିବା ଫଳରେ ଜଣେ ଦୃଷ୍ଟିହୀନ ଦୃଷ୍ଟିଶକ୍ତି ଫେରିପାଇଥାଏ ଏବଂ ଏ ସୁନ୍ଦର ସଂସାରକୁ ଦେଖିପାରେ । ହେଲେ ସାମାଜିକ ଓ ଧାର୍ମିକ ପରମ୍ପରା କିମ୍ବା ଭୟ ଓ ଦ୍ବନ୍ଦ ଯୋଗୁଁ ଲୋକମାନେ ଚକ୍ଷୁଦାନ ପାଇଁ ଆଗ୍ରହ ପ୍ରକାଶ କରିନଥାନ୍ତି । ତେଣୁ ସମସ୍ତଙ୍କୁ ଚକ୍ଷୁଦାନ ପାଇଁ ଉତ୍ସାହିତ ଓ ସଚେତନ କରିବାକୁ ପ୍ରତିବର୍ଷ ଦେଶରେ ଅଗଷ୍ଟ 25ରୁ ସେପ୍ଟେମ୍ବର 8 ପର୍ଯ୍ୟନ୍ତ 'ଜାତୀୟ ଚକ୍ଷୁଦାନ ପକ୍ଷ' ପାଳନ କରାଯାଏ । ରାଷ୍ଟ୍ରୀୟ ଦୃଷ୍ଟିହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ ( National Programme for the Control of Blindness) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଏବଂ ତାଙ୍କ ପରିବାରର ସମ୍ମାନରେ ଏହି 'ଜାତୀୟ ଚକ୍ଷୁଦାନ ପକ୍ଷ' ପାଳନ କରାଯାଏ, ଯିଏକି ନିଜ ଆଖିଦାନ ପାଇଁ କହିଥିଲେ ।
ଚକ୍ଷୁଦାନ ଓ ଏହାର ଗୁରୁତ୍ବ:
ଚକ୍ଷୁଦାନ କରିବା ଏକ ନିସ୍ବାର୍ଥପର ଏବଂ ମହତ୍ କାର୍ଯ୍ୟ ଯାହା ସମାଜରେ ସକରାତ୍ମକ ପ୍ରଭାବ ପକାଇଥାଏ । ଦୃଷ୍ଟିଶକ୍ତି ଜନିତ ସମସ୍ୟାରେ ପୀଡିତ ଲୋକଙ୍କ ସହାୟତା ପାଇଁ ମୃତ୍ୟୁ ପରେ କର୍ଣ୍ଣିଆ ବା ସ୍ବଚ୍ଛପଟଳ ଦାନ କରିବାକୁ ଚକ୍ଷୁଦାନ କହନ୍ତି । କର୍ଣ୍ଣିଆ ହେଉଛି ଆଖିର ବାହ୍ୟ ସ୍ତର । ଏହାର ମୁଖ୍ୟ କାର୍ଯ୍ୟ ହେଉଛି ଏହା ଆଖିକୁ ଦେଖିବାରେ ସାହାଯ୍ୟ କରେ । ଏହା ମଧ୍ୟ ଦେଇ ଲାଇଟ୍ ପାସ୍ କଲେ ଆମକୁ ଦୃଶ୍ୟମାନ ହୋଇଥାଏ । ଆଖି ସମସ୍ୟା, କୌଣସି ଆଘାତ, କିମ୍ବା ଜନ୍ମରୁ ଦୃଷ୍ଟିଦୋଷରେ ପୀଡିତ ବ୍ୟକ୍ତିଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିବାକୁ ଏହାକୁ ପ୍ରତ୍ୟାରୋପଣ କରାଯାଇଥାଏ । ଚକ୍ଷୁର ସ୍ବଚ୍ଛପଟଳ ମୃତ୍ୟୁର 6 ଘଣ୍ଟା ମଧ୍ୟରେ ସଂଗ୍ରହ କରାଯାଏ ।
ଜଣଙ୍କ ଚକ୍ଷୁଦାନ ଅନ୍ୟ ଦୁଇ ଜଣଙ୍କୁ ଆଲୋକ ଦେଖାଇଥାଏ । କର୍ଣ୍ଣିଆଲ ଦୃଷ୍ଟିଶକ୍ତି ସମସ୍ୟାରେ ପୀଡିତ ବ୍ୟକ୍ତିମାନେ ପୁଣିଥରେ ଦୃଷ୍ଟିଶକ୍ତି ଫେରିପାଇବା ସହ ନୂଆ ଜନ୍ମ ପାଇଥାନ୍ତି । ଚକ୍ଷୁଦାନ ଦ୍ବାରା କର୍ଣ୍ଣିଆଲ ବ୍ଲାଇଡନେସ୍, କେରାଟୋକନସ୍, ଏବଂ ସଂକ୍ରମଣ କିମ୍ବା ହର୍ପିଜ କାରଣରୁ ଦାଗ ଭଳି କର୍ଣ୍ଣିଆଲ ସମସ୍ୟାରେ ପୀଡିତ ବ୍ୟକ୍ତିମାନଙ୍କୁ ଦୃଷ୍ଟିଶକ୍ତି ଫେରାଇବାରେ ସାହାଯ୍ୟ କରେ ।
କିଏ ଚକ୍ଷୁଦାନ କରିପାରିବେ ?
ସୀମିତ ଦୃଷ୍ଟିଶକ୍ତି ସମ୍ପନ୍ନ ବ୍ୟକ୍ତିମାନେ ମଧ୍ୟ ନିଜର କର୍ଣ୍ଣିଆ ଦାନ କରିପାରିବେ । ବାର୍ଦ୍ଧକ୍ୟଜନିତ ରୋଗ କିମ୍ବା ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ, କିଡନୀ ରୋଗୀ ବି ଚକ୍ଷୁଦାନ କରିପାରିବେ । ଆଗରୁ କେହି ନିଜ ଆଖି ଅସ୍ତ୍ରୋପଚାର କରିଥିଲେ ବି ସେମାନଙ୍କ କର୍ଣ୍ଣିଆ ଉପରେ କୌଣସି ପ୍ରଭାବ ପଡିନଥାଏ ଏବଂ ଏହାକୁ ଅନ୍ୟଠାରେ ପ୍ରତିରୋପଣ କରାଯାଇପାରିବ । ଅଧିକାଂଶ କ୍ୟାନ୍ସର ରୋଗୀ ମଧ୍ୟ ଚକ୍ଷୁଦାନ ପାଇଁ ସକ୍ଷମ, କାରଣ କର୍ଣ୍ଣିଆରେ ରକ୍ତବାହିକା ନଥାଏ ।
ତେବେ ଏଡସ୍, ହେପାଟିଇଟିସ୍ ବି ଏବଂ ସି, ରାବିସ, ଲିଉକେମିଆ, ଟେଟାନସ, କଲେରା, ଏନସେଫାଲାଇଟିସ ଭଳି ରୋଗୀ ସେମାନଙ୍କ ଆଖିଦାନ କରିପାରିବେ ନାହିଁ ।
ଚକ୍ଷୁଦାନର ଆରମ୍ଭ ଏବଂ ଭାରତରେ କେବେ ?
1905 ମସିହାରେ ଡାକ୍ତର ଏଡୁଆର୍ଡ କନରାଡ ଜିର୍ମ ପ୍ରଥମ ସଫଳ କର୍ଣ୍ଣିଆ ପ୍ରତ୍ୟାରୋପଣ କରିଥିଲେ, ଏଥିରୁ ହିଁ ଆଇ ବ୍ୟାଙ୍କିଙ୍ଗ(Eye banking) ଧାରାର ଆରମ୍ଭ ହୋଇଥିଲା । ଆଖି ପାଇଥିବା ବ୍ୟକ୍ତି ଜଣେ କୃଷି ଶ୍ରମିକ ଥିଲେ, ଏକ ଦୁର୍ଘଟଣାବଶତଃ ତାଙ୍କ ଆଖି ଜଳି ଯାଇଥିଲା ।
1948 ମସିହାରେ ଭାରତରେ ପ୍ରଥମେ ଡ଼ ଆର.ଇ.ଏସ୍. ମୁଥିହ (R.E.S. Muthiah ) କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ କରିଥିଲେ ଏବଂ ପ୍ରଥମ ଆଇ ବ୍ୟାଙ୍କ ପ୍ରତିଷ୍ଠା ମଧ୍ୟ କରିଥିଲେ । ସେବେଠାରୁ ଚକ୍ଷୁଦାନ ପାଇଁ ଏକ ଆନ୍ଦୋଳନର ଆରମ୍ଭ ହୋଇଥିଲା । ସମ୍ପ୍ରତି ଆଇ ବ୍ୟାଙ୍କ ଆସୋସିଏସନ ଅଫ୍ ଇଣ୍ଡିଆ (EBAI) ଭାରତରେ ଚକ୍ଷୁଦାନ ଓ ଆଇ ବ୍ୟାଙ୍କିଙ୍ଗର ମୁଖ୍ୟ ସଂଗଠନ ଅଟେ ଏବଂ ଚକ୍ଷୁଦାନ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାରେ କାର୍ଯ୍ୟ କରୁଛି ।
ଡ଼ ମୁଥିହଙ୍କ ଦ୍ବାରା 1945ରେ ଚେନ୍ନାଇ ସ୍ଥିତ ରିଜିଓନାଲ ଇଷ୍ଟିଚ୍ୟୁଟ ଅଫ୍ ଅପଥାଲମୋଲୋଜିଠାରେ ଦେଶର ପ୍ରଥମ ଆଇ ବ୍ୟାଙ୍କ ସ୍ଥାପନ ହୋଇଥିଲା । 1960ରେ ପ୍ରଥମ ସଫଳ କର୍ଣ୍ଣିଆ ପ୍ରତ୍ୟାରୋପଣ ପ୍ରଫେସର ଆରପି ଧଣ୍ଡାଙ୍କ ଦ୍ବାରା ମଧ୍ୟପ୍ରଦେଶର ଇନ୍ଦୋରରେ କରାଯାଇଥିଲା ।
ଭାରତରେ ଚକ୍ଷୁଦାନ ସଂଖ୍ୟା:
ଜାତୀୟ ସ୍ବାସ୍ଥ୍ୟ ଅନୁଷ୍ଠାନ (National Institutes of Health) ଅନୁସାରେ, 2023ରେ, ଆଇ ବ୍ୟାଙ୍କ ଆସୋସିଏସନ ଅଫ୍ ଇଣ୍ଡିଆ ମାଧ୍ୟମରେ ପାଖାପାଖି 740 ସଦସ୍ୟ ପଞ୍ଜିକୃତ କରିଛନ୍ତି । 2017-2018ରେ ସର୍ବାଧିକ 71,700 ଡୋନର (ଚକ୍ଷୁଦାତା) ମିଳିଥିଲେ ।
2015-19 ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ଦୃଷ୍ଟିହୀନତା ଏବଂ ଦୃଷ୍ଟିଶକ୍ତି ହାନି ସର୍ଭେ(National Blindness & Visual Impairment Survey) କରାଯାଇଥିଲା, ଯେଉଁଥିରେ ଦୃଷ୍ଟିହୀନତା 1 ପ୍ରତିଶତରୁ (2007) 0.36 ପ୍ରତିଶତ (2019) ହ୍ରାସ ପାଇଥିବା ଦେଖାଯାଇଥିଲା । ପରବର୍ତ୍ତୀ ସମୟରେ ଏହାର ନାମ ବଦଳାଇ ନ୍ୟାସନାଲ ପ୍ରୋଗାମ ଫର କଣ୍ଟ୍ରୋଲ ବ୍ଲାଇଣ୍ଡନେସ ଆଣ୍ଡ ଭିଜୁଆଲ ଇମପେୟାରମେଣ୍ଟ (NPCB&VI) ରଖାଯାଇଥିଲା । 2025 ସୁଦ୍ଧା ଦୃଷ୍ଟିହୀନତା 0.25 ପ୍ରତିଶତକୁ ହ୍ରାସ କରିବା ଲକ୍ଷ୍ୟ ନେଇ ଏହା ସାରା ଦେଶରେ କାର୍ଯ୍ୟକାରୀ କରାଯାଇଥିଲା ।
NCBI ଓ NPCB ଅନୁସାରେ ବର୍ତ୍ତମାନ ଭାରତରେ ପ୍ରାୟ 1,20,000 କର୍ଣ୍ଣିଆ ଦୃଷ୍ଟିହୀନ (କର୍ଣ୍ଣିଆଲ ବ୍ଲାଇଣ୍ଡ) ରହିଛନ୍ତି ଏବଂ ପ୍ରତିବର୍ଷ 25ରୁ 30 ହଜାର ମାମଲା ଯୋଡି ହେଉଛି । ଅନ୍ୟପଟେ ବାର୍ଷିକ 22 ହଜାର ଚକ୍ଷୁ ଦାନ ରୂପେ ସଂଗ୍ରହ ହେଉଛି, ଯାହାକି ଆବଶ୍ୟକତା ତୁଳନାରେ କମ୍ । 2019 ପର୍ଯ୍ୟନ୍ତ ଭାରତରେ ପ୍ରତିବର୍ଷ ପାଖାପାଖି 60 ହଜାର କର୍ଣ୍ଣିଆ ସଂଗ୍ରହ କରାଯାଇଥିଲା, ଯେଉଁଥିରୁ କେବଳ 28 ହଜାର ଟ୍ରାନ୍ସପ୍ଲାଣ୍ଟ ହୋଇପାରିଥିଲା ଯେତେବେଳେକି ଅନୁମାନିତ ଚାହିଦା ବାର୍ଷିକ ପ୍ରାୟ 1 ଲକ୍ଷ ରହିଥିଲା । ତେବେ କୋଭିଡ-19 ମହାମାରୀ ପରେ ଏହି ସଂଖ୍ୟା ଆହୁରି ବି କମିଯାଇଛି, ଫଳରେ ଚକ୍ଷୁଦାନର ଆବଶ୍ୟକତା ବୃଦ୍ଧି ପାଇଛି ।
କର୍ଣ୍ଣିଆଲ ଦୃଷ୍ଟିହୀନତା (Corneal blindness): ଭାରତରେ ପ୍ରାୟ 1.1 ମିଲିୟନ ଲୋକ କର୍ଣ୍ଣିଆଲ ଦୃଷ୍ଟିହୀନତାରେ ପୀଡିତ, ସେଥିମଧ୍ୟରୁ 60 ପ୍ରତିଶତ 12 ବର୍ଷରୁ କମ୍ ବୟସ୍କ ପିଲା ରହିଛନ୍ତି । ଏହାର ଏକମାତ୍ର ଉପଚାର ହେଲା କର୍ଣ୍ଣିଆଲ ଟ୍ରାନ୍ସପ୍ଲାଣ୍ଟେସନ ।
ଚକ୍ଷୁଦାନ ହାର: 2017-2018 ମଧ୍ୟରେ ଭାରତରେ ଚକ୍ଷୁଦାନ ହାର ପ୍ରାୟତଃ 29 pmp (ପ୍ରତି ମିଲିୟନ ବ୍ୟକ୍ତି ପିଛା) ଥିଲା । ଅଧିକାଂଶ ଦାନ ପ୍ରିୟଜନର ମୃତ୍ୟୁ ପରେ ପରିବାର ସଦସ୍ୟଙ୍କ ଦ୍ବାରା ନିକଟତମ ଆଇ ବ୍ୟାଙ୍କ ମାଧ୍ୟମରେ ପ୍ରାପ୍ତ ହୋଇଥିଲା । ଭାରତରେ ବିଶ୍ବରେ ସର୍ବବୃହତ ଆଇ ବ୍ୟାଙ୍କ ରହିଛି । କିନ୍ତୁ ଆବଶ୍ୟକତା ମୁତାବକ ଚକ୍ଷୁଦାନ ସଂଖ୍ୟା ଏବେ ବି କମ୍ ରହିଛି ।
ଚକ୍ଷୁଦାନ ପ୍ରୋତ୍ସାହନ ପାଇଁ କେନ୍ଦ୍ରର ପଦକ୍ଷେପ:
ଦେଶରେ ଚକ୍ଷୁଦାନ ସମ୍ପର୍କରେ ବ୍ୟାପକ ସଚେତନା ସୃଷ୍ଟି ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା 1958ରେ ଜାତୀୟ ଚକ୍ଷୁଦାନ ପକ୍ଷ(National eye donation fortnight) ପ୍ରତିଷ୍ଠା କରାଯାଇଛି । ସେବେଠାରୁ ପ୍ରତିବର୍ଷ ଭାରତ ସରକାର ଚକ୍ଷୁଦାନ ଗୁରୁତ୍ବକୁ ପ୍ରୋତ୍ସାହିତ କରିବା ପାଇଁ ସଚେତନତା ଅଭିଯାନ ଚଳାଇଛନ୍ତି । ଶତ ପ୍ରତିଶତ କେନ୍ଦ୍ରୀୟ ପ୍ରାୟୋଜିତ ପ୍ରୋଗାମ ଭାବରେ 1976ରେ ଭାରତ ପ୍ରଥମ ଦେଶ ଭାବେ କଣ୍ଟ୍ରୋଲ ଅଫ୍ ବ୍ଲାଇଣ୍ଡନେସ ଜାତୀୟ କାର୍ଯ୍ୟକ୍ରମର ଆରମ୍ଭ କରିଥିଲା ।
ଗତ 38 ବର୍ଷ ଧରି ସରକାର ଅଗଷ୍ଟ 25ରୁ ସେପ୍ଟେମ୍ବର 5 ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏହି ବାର୍ଷିକ କାର୍ଯ୍ୟକ୍ରମର ନିରୀକ୍ଷଣ କରିଆସୁଛନ୍ତି । ସ୍ଥାନୀୟ ଓ କେନ୍ଦ୍ରୀୟ ସଂଗଠନ ମିଳିତ ଭାବେ ଲୋକଙ୍କ ମଧ୍ୟରେ ଚକ୍ଷୁଦାନର ଗୁରୁତ୍ବ ସମ୍ପର୍କରେ ସଚେତନ କରୁଛନ୍ତି ।
ଚକ୍ଷୁଦାନ ବା କର୍ଣ୍ଣିଆ ଦାନ ପ୍ରକ୍ରିୟା:
- ସାଧାରଣତଃ ମୃତ୍ୟୁର ପ୍ରାୟ 12 ଘଣ୍ଟା ମଧ୍ୟରେ ଏହି ପ୍ରକ୍ରିୟା ହୁଏ ।
- ହସ୍ପିଟାଲ, ଅଙ୍ଗ ସଂଗ୍ରହ ସଂଗଠନ କିମ୍ବା ଅନ୍ୟ କୌଣସି ତୃତୀୟ ପକ୍ଷ ଆଇ ବ୍ୟାଙ୍କକୁ ଫୋନ କରି ଜଣାନ୍ତି ଯେ, କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ ସେ ଚକ୍ଷୁଦାନ ପାଇଁ ଆବଶ୍ୟକ ମାନଦଣ୍ଡ ପୂରଣ କରୁଛନ୍ତି ।
- ମୃତ୍ୟୁ ପରେ ସମ୍ପର୍କୀୟମାନେ ଚକ୍ଷୁଦାନ ପାଇଁ ସମ୍ମତି ଦେଇପାରିବେ ।
- ଆଇ ବ୍ୟାଙ୍କ ମୃତକଙ୍କ ସମ୍ପର୍କୀୟଙ୍କ ସହ ସମ୍ପର୍କ କରି ସହମତି ଜାଣନ୍ତି । ଯଦି ମୃତକ ପଞ୍ଜିକୃତ ଥିବେ, ତାହେଲେ ତୁରନ୍ତ ଆଇ ବ୍ୟାଙ୍କ ଚକ୍ଷୁ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଥାଏ ।
- ମୃତ୍ୟୁର କିଛି ଘଣ୍ଟା ମଧ୍ୟରେ ଜଣେ ତାଲିମପ୍ରାପ୍ତ ପ୍ରଫେସନାଲ ଆଖି ଟିସୁକୁ ବାହାର କରିଦିଅନ୍ତି । ଏହା ସାଧାରଣତଃ ହସ୍ପିଟାଲରେ କରାଯାଏ । ଶବଗୃହ ଏବଂ ଫୁନେରାଲ ହୋମରେ ମଧ୍ୟ ଏହା ହୋଇଥାଏ ।
- ଆଇ ବ୍ୟାଙ୍କରେ ସେହି ଆଖଦ୍ବୟର ବିଶ୍ଲେଷଣ ଓ ଯାଞ୍ଚ ହୋଇଥାଏ ।
- ଏହାପରେ 96 ଘଣ୍ଟା ମଧ୍ୟରେ କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ କରାଯାଇଥାଏ ।
Ref- https://pib.gov.in/PressReleasePage.aspx?PRID=1813653
Ref- https://npcbvi.mohfw.gov.in/writeReadData/mainlinkFile/File341.pdf