ହାଇଦ୍ରାବାଦ: ମିଳିମିଳା ଏକ ସଂକ୍ରାମକ ରୋଗ ଅଟେ । ଯାହା ପେରାମାଇକ୍ସୋବିରିଡ ଭାଇରସ ପାଇଁ ହୋଇଥାଏ । ଟୀକାକରଣ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ପଦକ୍ଷେପ ଦ୍ବାରା ବିଗତ ଏକ ଦଶନ୍ଧି ମଧ୍ୟରେ ମିଳିମିଳା ହାର ଯଥେଷ୍ଟ ହ୍ରାସ ପାଇଛି । କିନ୍ତୁ କେତେକ ସମୟରେ ରୋଗୀ ଚିହ୍ନଟ ହେବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶର କେତେକ ସ୍ଥାନରେ ମିଳିମିଳା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମେହର ଜିଲ୍ଲାରେ ମିଳିମିଳା ଯୋଗୁଁ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 17 ଜଣ ଆକ୍ରନ୍ତ ହୋଇଥିବା ଜଣାପଡିଛି । ତେବେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସତର୍କ ରହିବା ପାଇଁ ସ୍ବାସ୍ଥ୍ୟ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି ।
ତେବେ ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏକ ରିପୋର୍ଟ ପ୍ରକାଶ ପାଇଛି । ହୁର ରିପୋର୍ଟରେ ଦର୍ଶାଯାଇଛି ଯେ, 2022 ମସିହାରେ ପ୍ରାୟ 11 ଲକ୍ଷ ଛୁଆ ମିଳିମିଳା ଟିକା ନେଇ ନାହାନ୍ତି । ତେବେ ମିଳିମିଳା ଟିକାକରଣରେ ପଛୁଆ ଦେଶ ଗୋଷ୍ଠୀରେ ସାମିଲ ହୋଇଛି ଭାରତ । କୋରୋନା ମହାମାରୀ ଫଳରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା କାରଣରୁ ଟିକାକରଣରେ ଏକ ବଡ ଅନ୍ତର ଦେଖାଯାଇଛି । ଯାହା ଛୁଆଙ୍କ କ୍ଷେତ୍ରରେ ମିଳିମିଳା ସଂକ୍ରମଣର ଆଶଙ୍କାକୁ ବୃଦ୍ଧି କରୁଛି । ଏବଂ ସଂକ୍ରମଣ ଜଣଙ୍କ ଠାରୁ ଅନ୍ୟଜଣଙ୍କୁ ବ୍ୟାପିବାର ଆଶଙ୍କା ରହିଥିବାରୁ ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି ।
ନଭେମ୍ବର 2023 ମସିହାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭାରତ ସମେତ ଅନ୍ୟ ଦେଶମାନଙ୍କୁ ମିଳିମିଳା ନେଇ ସତର୍କ କରାଇଥିଲା । ତେବେ ଟୀକାକରଣ ଦ୍ବାରା ଏହି ରୋଗରେ ରୋକ୍ ଲଗାଯାଇ ପାରିବ ବୋଲି କୁହାଯାଇଛି । 2017ରୁ 2021 ମସିହା ମଧ୍ୟରେ ମିଳିମିଳା ରୋଗରେ 62 ପ୍ରତିଶତ ହ୍ରାସ ହୋଇଛି ।
ମିଳିମିଳା ସାଧାରଣତଃ ଛୁଆଙ୍କ ଠାରେ ଦେଖାଯାଇଥାଏ । କେତେକ କ୍ଷେତ୍ରରେ ଏହା ଗୁରୁତର ଏବଂ ସାଂଘାତିକ ହୋଇପାରେ । ମିଳିମିଳା ଦ୍ବାରା ଚର୍ମରେ ଲାଲ ଏବଂ ଦାଗଯୁକ୍ତ ହୋଇଥାଏ । ପ୍ରଥମେ ଏହା ମୁହଁରେ ଦେଖାଯାଇଥାଏ ଏବଂ ପରେ ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ । ଏହା ଦ୍ବାରା ପ୍ରଥମେ ଜ୍ବର, ନାକରୁ ପାଣି ବାହାରିବା, ଗଳାରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇଥାଏ ।
ରିପୋର୍ଟରେ ଦର୍ଶାଯାଇଛି ଯେ, ଟୀକାକରଣ ହାର ବୃଦ୍ଧି ସତ୍ତ୍ବେ ସାରା ବିଶ୍ବରେ ପ୍ରତିବର୍ଷ ଦୁଇ ଲକ୍ଷରୁ ଅଧିକ ଶିଶୁଙ୍କର ମୃତ୍ୟୁ ହୋଇଥାଏ । ଜଣେ ଛୁଆ ଭାଇରସ ସଂସ୍ପର୍ଶରେ ଆସିବା ପରେ ପ୍ରାୟ 10ରୁ 14 ଦିନ ଲକ୍ଷଣ ଦେଖାଯାଇଥାଏ । ଏହା ଦ୍ବାରା ଖାଦ୍ୟ ଗିଳିବାରେ ମଧ୍ୟ ଅସୁବିଧା ହୋଇଥାଏ । ସ୍ଥିତି ଗମ୍ଭୀର ହେଲେ ଜୀବନ ପ୍ରତି ବିପଦ ମଧ୍ୟ ରହିଥାଏ । ତେବେ ଯେଉଁ ଛୁଆମାନେ ମିଳିମିଳା ଟିକା ନେଇ ନାହାନ୍ତି ସେମାନଙ୍କ ଠାରେ ଏହା ଗମ୍ଭୀର ରୂପ ନେବାର ସମ୍ଭାବନା ଅଧିକ ରହିଥାଏ । ତେବେ ମିଳିମିଳା-ରୁବେଲା(measles-rubella) କିମ୍ବା ମିଳିମିଳା-ମମ୍ପ୍ସ-ରୁବେଲା (MMR) ଟିକା ଦ୍ବାରା ମଧ୍ୟ ଛୁଆଙ୍କୁ ସଂକ୍ରମଣ ଠାରୁ ଦୂରେଇ ରଖାଯାଇ ପାରିବ । ପ୍ରଥମ ମିଳିମିଳା ସଟ୍ 9-12 ମାସ ବୟସରେ ଏବଂ ଦ୍ୱିତୀୟ ମାତ୍ରା 16-24 ମାସ ବୟସରେ ଦିଆଯାଉଥିଲା ।