ଭୁବନେଶ୍ବର: 'ଋତୁସ୍ରାବ'କୁ ନେଇ ମହିଳାଙ୍କ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଇଥାଏ । ବର୍ତ୍ତମାନ ସମୟରେ ଅତି କମ୍ ବୟସରୁ ଆରମ୍ଭ ହେଇଯାଉଛି ଋତୁସ୍ରାବ। ପିଲାଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ, ତେଲ ମସଲାଯୁକ୍ତ ଖାଦ୍ୟପେୟରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ । ବିଶେଷ କରି ସ୍କୁଲ ଯାଉଥିବା ଛୋଟ ଛୋଟ ଝିଅଙ୍କର ପ୍ରଥମ ଋତୁସ୍ରାବ ହୋଇଥାଏ । ଯାହାକୁ ମେନାର୍କି (Menarche) ବୋଲି କୁହାଯାଇଥାଏ । ଶୀଘ୍ର ଋତୁସ୍ରାବ ପଛର କାରଣ ହେଉଛି ଖାଦ୍ୟପେୟ, ମେଦବହୁଳତା, ଯୋଗ ପ୍ରାଣାୟାମର ଅଭାବ । ପୂର୍ବରୁ 12 ରୁ 14 ବର୍ଷ ବୟସର ପିଲାଙ୍କ ମଧ୍ୟରେ ପ୍ରଥମ ଋତୁସ୍ରାବ ହେବାର ନଜିର ରହିଥିଲା, କିନ୍ତୁ ବର୍ତ୍ତମାନ 8 ରୁ 10 ବର୍ଷ ବୟସର ପିଲାଙ୍କର ଶୀଘ୍ର ଋତୁସ୍ରାବ ହେଉଥିବା ଦେଖିବାକୁ ମିଳୁଛି । ଶରୀରରେ ଥିବା ହରମୋହନ ମାତ୍ରା ସଠିକ ଭାବରେ ନରହିଲେ ଶୀଘ୍ର ଋତୁସ୍ରାବ ହୋଇଥାଏ ବୋଲି ସ୍ତ୍ରୀ ପ୍ରସୂତି ବିଭାଗ ଡାକ୍ତର ଜେପି ମିଶ୍ର କହିଛନ୍ତି ।ତେବେ ପ୍ରଥମ ଋତୁସ୍ରାବର ଲକ୍ଷଣ, କାରଣ ଓ ପ୍ରଭାବ ସମ୍ପର୍କରେ କ'ଣ କହୁଛନ୍ତି ଡାକ୍ତର ଆସନ୍ତୁ ଜାଣିବା ।
ମେନାର୍କିର ଲକ୍ଷଣ:
8 ବର୍ଷ ପୂର୍ବରୁ ହଠାତ ବକ୍ଷ ବୃଦ୍ଧି, ଉଚ୍ଚତା ଏବଂ ଓଜନରେ ହଠାତ ଦ୍ରୁତଗତିରେ ବୃଦ୍ଧି ଘଟିବା ଆଦି ଲକ୍ଷଣ ଦେଖାଦିଏ । ଏହାସହ ମୁହଁରେ ବ୍ରଣ ବୃଦ୍ଧି ହୋଇଥାଏ । ଭାବପ୍ରବଣତାରେ ପରିବର୍ତ୍ତନ ଆସିଥାଏ । ଯେପରିକି ବିରକ୍ତି ହେବା, ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆସିବା, ଅନେକ ସମୟରେ ଉଦାର ରହିଥାନ୍ତି ପିଲା। ସେହିପରି ତଳି ପେଟରେ କଷ୍ଟ ଅନୁଭବ କରିବା, ସ୍ୱରରେ ପରିବର୍ତ୍ତନ ଆସିବା ଆଦି ଦେଖିବାକୁ ମିଳେ । ଶୋଇବା ଶୈଳୀରେ ପରିବର୍ତ୍ତନ ହେବା କିମ୍ବା ଅନିଦ୍ରା ରହିବା ଆଦି ମଧ୍ୟ ଦେଖାଯାଏ । ଯଦି କାହା କ୍ଷେତ୍ରରେ ଏଭଳି ଲକ୍ଷଣ ଦେଖାଦିଏ, ତେବେ ତୁରନ୍ତ ଡାକ୍ତରଙ୍କ ସହାୟତା ନେବା ଆବଶ୍ୟକ।
କମ୍ ବୟସରୁ ଋତୁସ୍ରାବ ହେଲେ କ'ଣ ପ୍ରଭାବ ପଡିବ?
ଛୋଟ ପିଲାମାନଙ୍କର ଶରୀର ବୃଦ୍ଧି ଘଟିବ । ସେମାନେ ମାନସିକ ସ୍ତରରେ ସଠିକ ଭାବରେ ପରିପକ୍ୱତା ପାଇନଥାନ୍ତି । ଯେହେତୁ ଏହି ବିଷୟରେ ଛୋଟ ପିଲାମାନେ ବିଶେଷ କିଛି ଜାଣିନଥାନ୍ତି, ତେଣୁ ସ୍କୁଲରେ ଋତୁସ୍ରାବ ସମୟରେ କିଭଳି ନିଜକୁ ସଫା ସୁତୁରା ରଖିବେ, ତାହା କଷ୍ଟକର ହୋଇଥାଏ। ଏହି କ୍ଷେତ୍ରରେ ଅଭିଭାବକ ଏବଂ ଶିକ୍ଷକଙ୍କ ଭୂମିକା ଅଧିକ ରହିଛି। ସେମାନେ ପିଲାଙ୍କୁ ଏହି ବାବଦରେ ଶିକ୍ଷା ଦେବା ଆବଶ୍ୟକ।
ଋତୁସ୍ରାବର ସଠିକ ବୟସ:
ସାଧାରଣତଃ 12 ରୁ 14 ବର୍ଷ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଋତୁସ୍ରାବ ହୋଇଥାଏ । ଆଜିକାଲି ଏହା 8 ରୁ 10 ବର୍ଷ ବୟସର ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଉଛି । ଯାହା ଫଳରେ ଋତୁସ୍ରାବ ହୋଇଥିବା ଝିଅ ସମେତ ଅଭିଭାବକମାନେ ମଧ୍ୟ ଭୟଭୀତ ହୋଇପଡୁଛନ୍ତି। ଏହିଭଳି ସମସ୍ୟା ନେଇ ଝିଅମାନେ ହସ୍ପିଟାଲକୁ ଆସୁଛନ୍ତି ।
କ'ଣ କରିବା, କ'ଣ ନକରିବା ଆବଶ୍ୟକ:
ପିଲାମାନଙ୍କୁ ସବୁବେଳେ ଫାଷ୍ଟଫୁଡରୁ ନିବୃତ ରଖନ୍ତୁ । ଅତ୍ୟାଧିକ ତେଲ ମସଲା ଜାତୀୟ ଖାଦ୍ୟ ଖାଇବାକୁ ଦିଅନ୍ତୁ ନାହିଁ। ପ୍ରତ୍ୟେକ ଦିନ ବ୍ୟାୟାମ, ଯୋଗ ଆଦି କରନ୍ତୁ । ଦୈନିକ କିଛି ସମୟ ଖେଳକୁଦ କରନ୍ତୁ, ଘରେ ସ୍କିପିଂ କରନ୍ତୁ ଏବଂ ନିଜର ସ୍ୱାସ୍ଥ୍ୟକୁ ସବୁବେଳେ ସୁରକ୍ଷିତ ରଖିବାକୁ ଚେଷ୍ଟା କରନ୍ତୁ । ଏହାସହ ଜଙ୍କ ଫୁଡ୍, ଚକୋଲେଟ୍, ମୋମୋ ଭଳି ମଇଦାଯୁକ୍ତ ଖାଦ୍ୟ କମ୍ ପରିମାଣରେ ଖାଆନ୍ତୁ।
ଭବିଷ୍ୟତରେ ଏହାର ପ୍ରଭାବ:
ଯଦି କୌଣସି ଝିଅର ଶୀଘ୍ର ଋତୁସ୍ରାବ ହୋଇଥାଏ ତେବେ ଭବିଷ୍ୟତରେ ସେ ଗର୍ଭବତୀ ହେବା ପରେ ଶିଶୁ ଜନ୍ମ ହେବାବେଳେ ବହୁ ସମସ୍ୟା ଦେଖାଦେଇଥାଏ । କାରଣ ଗର୍ଭାଶୟ ଉପରେ ପ୍ରଭାବ ପଡ଼ିଥାଏ । ବିଶେଷ ଭାବରେ ଗର୍ଭାଶୟରେ ଥିବା ଯେଉଁ ଅଣ୍ଡାର କ୍ଷମତା 30ରୁ 35 ବର୍ଷ ମଧ୍ୟରେ ରହିଥାଏ । ଜଲଦି ଋତୁସ୍ରାବ ହେବା ଫଳରେ ଯେଉଁ ମାନେ ଏକ ନିର୍ଦ୍ଦିଷ୍ଟ ବୟସର ପରେ ବିବାହ କରୁଛନ୍ତି ସେମାନଙ୍କ ପକ୍ଷେ ମଧ୍ୟ ଗର୍ଭଧାରଣର ସମସ୍ୟା ଦେଖାଯାଇଥାଏ । ଯାହା ଫଳରେ ଭବିଷ୍ୟତରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
ପିଲାଙ୍କୁ ସଚେତନତା ଜରୁରୀ:
ଛୋଟ ବୟସରୁ ପିଲାଙ୍କୁ ବିଶେଷ କରି ଝିଅମାନଙ୍କୁ ସୁରକ୍ଷିତ ରଖିବା ଆବଶ୍ୟକ। ଝିଅ ପିଲାଙ୍କୁ ମଝିରେ ମଝିରେ ଗାଇଡ କରିବା ଆବଶ୍ୟକ। ଶୀଘ୍ର ଋତୁସ୍ରାବ ହେଲେ ପିଲାଙ୍କୁ ସଚେତନତା କରିବା ଆବଶ୍ୟକ। ସେହି ଅନୁସାରେ ପ୍ରତି ମାସରେ ନିଜକୁ ପ୍ରସ୍ତୁତ ରଖିବାକୁ କହିବା। ଏହି ସମୟରେ କିଭଳି ଭାବରେ ନିଜକୁ ପରିସ୍କାର ପରିଚ୍ଛନ ରଖିବା, ସେନେଇ ଦୃଷ୍ଟି ଦେବା ଆବଶ୍ୟକ। ପିଲାଙ୍କୁ ବିଭିନ୍ନ ବାହାର ଖାଦ୍ୟରୁ ନିବୃତ ରଖିବା। ବ୍ୟାୟାମ କରିବା ସହ ନିଜର ଓଜନ କମାଇବାକୁ ପରାମର୍ଶ ଦେବା। ଏହାସହ ମାନସିକ ଚାପ ହ୍ରାସ କରିବା ଦିଗରେ ଗୁରୁତ୍ବ ଦେବା ।
ଗାଁରେ ଅଧିକ ସଚେତନ କରାଇବା ଜରୁରୀ:
ସହରରେ ପ୍ରାୟ କମ ବୟସରୁ ଋତୁସ୍ରାବ ହେଲେ ସମସ୍ତେ ପରିସ୍କାର ପରିଚ୍ଛନ ରହିଥାନ୍ତି । କିନ୍ତୁ ଗାଁରେ ରହୁଥିବା ଛୋଟ ପିଲାମାନେ ଖେଳକୁଦ ଆଦି କରିଥାନ୍ତି। ସେମାନେ କିଭଳି ପରିଷ୍କାର ବାତାବରଣ ଭିତରେ ରହିବେ, ସେନେଇ ଧ୍ୟାନ ଦେବା ଆବଶ୍ୟକ। ବିଶେଷ କରି ବର୍ଷା ଦିନେ ନିଜକୁ ପ୍ରସ୍ତୁତ ରଖିବା। ସାନିଟାରୀ ପ୍ୟାଡ୍ ବ୍ୟବହାର କରିବା । ଏହାକୁ ସଠିକ ସମୟରେ ପରିବର୍ତ୍ତନ କରିବା ଆବଶ୍ୟକ। ଏହି ବିଷୟରେ ଗାଁ ମାନଙ୍କରେ ଅଧିକରୁ ଅଧିକ ସଚେତନତା କରିବା ଆବଶ୍ୟକ।
ଏହା ବି ପଢନ୍ତୁ...ନିଃସନ୍ତାନ ଦମ୍ପତିଙ୍କ ପାଇଁ ବରଦାନ IVF, କେଉଁ ବୟସର ମହିଳା ଆପଣାଇ ପାରିବେ ? ଜାଣନ୍ତୁ - World IVF Day 2024
ପ୍ରାରମ୍ଭିକ ଋତୁସ୍ରାବରେ ଦେଖାଯାଉଥିବା ସମସ୍ୟା:
ପ୍ରାରମ୍ଭିକ ରୁତୁସ୍ରାବ ଅନେକ ସମସ୍ୟା ସହିତ ଜଡିତ ହୋଇପାରେ । ବିଶେଷ କରି ଭାବପ୍ରବଣତା, ଦ୍ୱନ୍ଦ୍ୱ, ଚିନ୍ତା, ଉଦାସୀନତା ଏବଂ ଆତ୍ମ ସମ୍ମାନ । ଶାରୀରିକ ଲକ୍ଷଣ ଭାବରେ କଷ୍ଟ ଅନୁଭବ କରିବା, ସ୍ତନ କୋମଳତା ଏବଂ ପ୍ରବଳ ରକ୍ତସ୍ରାବ ହେବା ଆଦି ଦେଖାଦିଏ । ଋତୁସ୍ରାବର ଏଭଳି ଲକ୍ଷଣ ହେତୁ କ୍ରୀଡା କିମ୍ବା ଶାରୀରିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାରେ ଅସୁବିଧା ଦେଖାଦେଇଥାଏ । ଏପରିକି ପିଲାମାନେ ଲଜ୍ଜିତ ଅନୁଭବ କରିଥାନ୍ତି । ପରିବାର,ବନ୍ଧୁ କିମ୍ବା ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଏ ଦିଗରେ ସମର୍ଥନ କରିବା ଆବଶ୍ୟକ । ଏହି ସମୟରେ ହରମୋନର ସନ୍ତୁଳନର ବ୍ୟାଘାତ ହେତୁ ବିଭିନ୍ନ ଶାରୀରିକ ଭାବରେ ବିଭିନ୍ନ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ ।
ଗର୍ଭଧାରଣ ଏବଂ ପ୍ରସବ ପରେ ଜୀବନ ଉପରେ ପ୍ରଭାବ:
ଯେଉଁମାନଙ୍କର କମ ବୟସରୁ ରୁତୁସ୍ରାବ ହୋଇଥାଏ, ସେମାନଙ୍କଠାରୁ ଜନ୍ମ ହୋଇଥିବା ଶିଶୁମାନଙ୍କର କମ ଓଜନ ହୋଇପାରେ । ଗର୍ଭଧାରଣର ଜଟିଳତା ଦେଖାଯାଇଥାଏ । ଯେଉଁମାନଙ୍କର ଶୀଘ୍ର ଋତୁସ୍ରାବ ହୋଇଥାଏ, ସେମାନଙ୍କର ଗର୍ଭଧାରଣର ଜଟିଳତା ପାଇଁ ଅଧିକ ବିପଦ ରହିପାରେ। ଯେପରିକି ଗର୍ଭଧାରଣ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ଜଟିଳତା ଦେଖାଯାଇଥାଏ। ଅନେକଙ୍କ କ୍ଷେତ୍ରରେ ମଧ୍ୟ ଜନ୍ମ ସମୟରେ ସିଯୋରିଆନର ସମ୍ଭାବନା ଅଧିକ ରହିଥାଏ । ପ୍ରାରମ୍ଭିକ ଋତୁସ୍ରାବ ହେବା ଫଳରେ ଏଣ୍ଡୋମେଟ୍ରିଓସିସ୍ ହେବାର ଆଶଙ୍କା ଅଧିକ ରହିଥାଏ । ଯାହା ପ୍ରଜନନ ଏବଂ ଗର୍ଭଧାରଣ ଉପରେ ପ୍ରଭାବ ପକାଇଥାଏ। ଯେଁଉମାନଙ୍କର ଆଗୁଆ ଋତୁସ୍ରାବ ହୋଇଥାଏ, ସେମାନେ ଗର୍ଭାବସ୍ଥାରେ ଚିନ୍ତା ଏବଂ ଚାପ ଅନୁଭବ ଅଧିକ କରିଥାନ୍ତି ।
ଇଟିଭି ଭାରତ, ଭୁବନେଶ୍ବର