ହାଇଦ୍ରାବାଦ: ଗୋଟିଏ ପଟେ ବଲିଉଡ ଅଭିନେତ୍ରୀ ଏବଂ ଅଭିନେତାମାନେ ଆଜିକାଲି ଡିପଫେକ ମାମଲାର ଶିକାର ହେଉଥିବା ବେଳେ ଅନ୍ୟପଟେ ଅଭିନେତ୍ରୀ ବିଦ୍ୟା ବାଲନ ମଧ୍ୟ ନକଲି ସୋସିଆଲ ମିଡିଆ ଜାଲରେ ଛନ୍ଦି ହୋଇଛନ୍ତି । ବିଦ୍ୟା ବାଲନଙ୍କ ନାଁରେ ରହିଛି ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ । ବିଦ୍ୟାଙ୍କ ନାଁରେ ଏହି ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଦ୍ୱାରା ଲୋକଙ୍କୁ ଲୁଟୁଛନ୍ତି ଠକ । ବର୍ତ୍ତମାନ ଏହି ଖବର ଜାଣିବା ପରେ ତାତିଛନ୍ତି ଅଭିନେତ୍ରୀ ଏବଂ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଏନେଇ ମୁମ୍ବାଇ ପୋଲିସ ଷ୍ଟେସନରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।
ସୂଚନା ଅନୁସାରେ, ବିଦ୍ୟା ବାଲାନଙ୍କ ନାଁରେ ଏକ ନକଲି ଇନଷ୍ଟାଗ୍ରାମ ଆଇଡି ଏବଂ ଜିମେଲ ଆକାଉଣ୍ଟ ତିଆରି କରି ବ୍ୟକ୍ତି ଜଣକ ମନୋରଞ୍ଜନ ଇଣ୍ଡଷ୍ଟ୍ରି ସହ ଜଡିତ ଲୋକଙ୍କ ସହିତ ଯୋଗାଯୋଗ କରୁଥିଲେ ଏବଂ ସେମାନଙ୍କୁ ଚାକିରି ଦେବାକୁ କହି ସେମାନଙ୍କଠାରୁ ଟଙ୍କା ମାଗିଥିଲେ । ଏହି ଖବର ଜାଣିବା ପରେ ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ । ଏନେଇ ଅଭିନେତ୍ରୀ ମୁମ୍ୱାଇର ଖାର ପୋଲିସ ଥାନାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ପୋଲିସ ଏହି ମାମଲାରେ ଧାରା ୬୬ (C) IT ଅନୁଯାୟୀ ଏକ ମାମଲା ରୁଜୁ କରିଛି ।
ସୂଚନା ଥାଉକି, ଆଜିକାଲି ଚଳଚ୍ଚିତ୍ରରେ ବିଦ୍ୟା ବାଲନଙ୍କୁ କମ ଦେଖିବାକୁ ମିଳେ, କିନ୍ତୁ ସେ ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ ଅଟନ୍ତି । ବିଦ୍ୟା ବାଲନଙ୍କର ଇନଷ୍ଟାଗ୍ରାମରେ ୯ ମିଲିୟନରୁ ଅଧିକ ପୋଲର୍ସ ରହିଛନ୍ତି । ସେ ପ୍ରତିଦିନ ଫ୍ୟାନ୍ସଙ୍କ ସହ ମଜାଳିଆ ରିଲ୍ ସେୟାର କରି ମନୋରଞ୍ଜନ କରିଥାନ୍ତି । ତେବେ ବର୍ତ୍ତମାନ ଅଭିନେତ୍ରୀ ନକଲି ଆକାଉଣ୍ଟର ଶିକାର ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ପ୍ରତୀକ ଗାନ୍ଧୀଙ୍କ ସହ ଅନସ୍କ୍ରିନ ରୋମାନ୍ସ କରିବେ ବିଦ୍ୟା, ଏହି ଦିନ ରିଲିଜ ହେବ ଫିଲ୍ମ
ବିଦ୍ୟା ବାଲନଙ୍କୁ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଅଭିନେତ୍ରୀଙ୍କୁ ଖୁବଶୀଘ୍ର 'ଦୋ ଔର ଦୋ ପ୍ୟାର'ରେ ଦେଖିବାକୁ ମିଳିବ । ଏହି ଫିଲ୍ମ ମାର୍ଚ୍ଚ ୨୯, ୨୦୨୪ରେ ସିନେମା ହଲରେ ରିଲିଜ ହେବ । ବିଦ୍ୟା ବାଲନଙ୍କ ସମେତ ଏହି ଫିଲ୍ମରେ ଅଭିନେତ୍ରୀ ଇଲିଆନା ଡିକ୍ରୁଜ, ପ୍ରତୀକ ଗାନ୍ଧୀ ଏବଂ ସେଙ୍ଘିଲ ରାମମୂର୍ତ୍ତିଙ୍କୁ ଦେଖିବାକୁ ମିଳିବ । ଏଥିସହ ସେ 'ଭୁଲ ଭୁଲେୟା ୩'ରେ ମଧ୍ୟ ନଜର ଆସିବେ । ପ୍ରଥମ ଭାଗ ପରି ସେ 'ଭୁଲ ଭୁଲେୟା' ପ୍ରାଞ୍ଚାଇଜର ୩ୟ ଭାଗରେ ମଧ୍ୟ ମଞ୍ଜୁଲିକା ଭୂମିକାରେ ନଜର ଆସିବେ ।