ହାଇଦ୍ରାବାଦ: ଗତ କିଛି ଦିନ ହେବ ଦେଶବାସୀଙ୍କ ମଧ୍ୟରେ କୋରୋନା ଟିକାକୁ ନେଇ ଭୟର ବାତାବରଣ ରହିଛି । କାରଣ କୋରୋନା ସମୟରେ ଦିଆଯାଇଥିବା କୋଭିସିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା କଥା ନିକଟରେ ପ୍ରକାଶ ପାଇଛି । ଏହି ଟିକାରେ ରକ୍ତ ଜମାଟ ବାନ୍ଧିପାରେ । ଯାହାଦ୍ୱାରା ହୃଦଘାତ ଓ ମସ୍ତିଷ୍କ ଘାତ ହୋଇପାରେ ବୋଲି ଟିକା ନିର୍ମାତା କମ୍ପାନୀ ପକ୍ଷରୁ ପ୍ରଥମ ଥର ପାଇଁ ସ୍ୱୀକାର କରାଯାଇଥିଲା । ଯାହାପରେ ଏହି ଟିକା ନେଇଥିବା ସମସ୍ତ ଲୋକେ ଆତଙ୍କିତ ହୋଇପଡିଛନ୍ତି । ନିକଟରେ ହୃଦଘାତର ଶିକାର ହୋଇଥିବା ବଲିଉଡ ଅଭିନେତା ଶ୍ରେୟସ ତଲପଡେ ଏବେ ଏହି ଟିକା ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କର ହୃଦଘାତ କୋଭିଡ-19 ଟିକାର ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ । ଏହା ବିଷୟରେ ସେ ଅଧିକ ଜାଣିବାକୁ ଚାହୁଁଛନ୍ତି ।
- " class="align-text-top noRightClick twitterSection" data="">
ଏକ ସାକ୍ଷାତକାରରେ ଶ୍ରେୟସ ତଲପଡେ ନିଜ ସ୍ୱାସ୍ଥ୍ୟବସ୍ଥା ନେଇ କଥାବାର୍ତ୍ତା କରିଛନ୍ତି । ଏହି ସମୟରେ ସେ କୋଭିଡ-19 ଟୀକାକରଣର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ସେ ହୃଦଘାତର ଶିକାର ହୋଇଥିବାର ସମ୍ଭାବନା ଅଛି ବୋଲି ପ୍ରକାଶ କରିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତି, ତଥାପି ହୃଦଘାତର କିପରି ଶିକାର ହେଲେ । ଅଭିନେତା କହିଛନ୍ତି, ମୁଁ ଏହା ବିଷୟରେ ଅଧିକ ଜାଣିବାକୁ ଚାହୁଁଛି କି ଏହା କୋରୋନା କାରଣରୁ ହୋଇଛି ନା ଟୀକାକରଣର ପ୍ରଭାବ ।
ଶ୍ରେୟସ କହିଛନ୍ତି ଯେ, 30ରୁ 40 ବର୍ଷ ବୟସର ଲୋକମାନେ ହୃଦଘାତର ଅଭିଯୋଗ କରିଥିବାବେଳେ ଅନେକ ଲୋକଙ୍କ ହଠାତ୍ ମୃତ୍ୟୁ ମଧ୍ୟ ହେଉଛି । ମୁଁ ନିଜକୁ ନେଇ ବହୁତ ଡରୁଥିଲି । ମୋର ଖାଦ୍ୟ, ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେଉଥିଲି ଏବଂ ସତର୍କ ବି ରହୁଥିଲି । ମୁଁ ଧୂମ୍ରପାନ କରେ ନାହିଁ କିମ୍ବା ନିୟମିତ ମଦ ପିଏ ନାହିଁ । କେବଳ ମାସକୁ ଥରେ ମଦପାନ କରେ । କୌଣସି ତମାଖୁ ମଧ୍ୟ ସେବନ କରେନି । କିନ୍ତୁ ହଁ, ମୋର କୋଲେଷ୍ଟ୍ରଲ ଟିକିଏ ବୃଦ୍ଧି ପାଇଥିଲା । ଯାହା ମୋତେ କୁହାଯାଇଥିଲା ଏହା ସ୍ୱାଭାବିକ । ହେଲେ ବି ମୁଁ ଏଥିପାଇଁ ଔଷଧ ଖାଉଥିଲି । ଫଳରେ ଏହା ବହୁ ପରିମାଣରେ ହ୍ରାସ ପାଇଥିଲା । ଏଥିସହ ମୁଁ ମଧୁମେହ କିମ୍ୱା ରକ୍ତଚାପରେ ପୀଡ଼ିତ ନୁହଁ । ଏହାସତ୍ତ୍ବେ ମୋତେ ହୃଦଘାତ ହେବାର କାରଣ କ’ଣ ହୋଇପାରେ ?
ସେ ଆହୁରି କହିଛନ୍ତି, କୋଭିଡ-୧୯ ଟୀକାକରଣ ପରେ ହିଁ ମୁଁ କିଛି ଥକ୍କାପଣ ଅନୁଭବ କରିଥିଲି । ଏଥିପାଇଁ ମୁଁ ଏହାକୁ ଏଡାଇ ଦେଇପାରିବିନି ଯେ କୋଭିସିଲ୍ଡ କାରଣରୁ ଏହା ହୋଇନଥାଇପାରେ । ଏଥିରେ କିଛି ସତ୍ୟତା ରହିଛି । ଯଦିଓ ମୁଁ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବେ ଜାଣି ନାହିଁ, କିନ୍ତୁ କିଛି ଅଛି । ଏହାକୁ ଅନୁଧ୍ୟାନ କରିବା ଉଚିତ ।
ଏହା ମଧ୍ୟ ପଢନ୍ତୁ: 'କ୍ଲିନିକାଲି ମୁଁ ମରିଯାଇଥିଲି', ହାର୍ଟ ଆଟାକରୁ ସୁସ୍ଥ ପରେ ଅନୁଭୂତି ବଖାଣିଲେ ଶ୍ରେୟସ
ସୂଚନା ଥାଉକି, ଶ୍ରେୟସ୍ ତଲପଡେ ୧୪ ଡିସେମ୍ବର ସନ୍ଧ୍ୟାରେ ନିଜ ଫିଲ୍ମର ସୁଟିଂ ସାରି ଘରକୁ ପହଞ୍ଚିବା ପରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଅଚେତ୍ ହୋଇଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଅନ୍ଧେରୀ ୱେଷ୍ଟ ଅଞ୍ଚଳର ବେଲଭ୍ୟୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ସେ ହୃଦଘାତର ଶିକାର ହୋଇଥିବା ଜାଣିବାକୁ ପାଇଲେ । ରାତି ପ୍ରାୟ ୧୦ଟା ବେଳେ ଡାକ୍ତର ଶ୍ରେୟସଙ୍କ ଆଞ୍ଜିଓପ୍ଲାଷ୍ଟି କରିଥିଲେ । ୬ ଦିନ ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।
ଏହା ମଧ୍ୟ ପଢନ୍ତୁ: କୋଭିସିଲ୍ଡ ଭ୍ୟାକସିନର ସାଇଡ ଇଫେକ୍ଟ: ରକ୍ତ ଜମାଟ ବାନ୍ଧିବା ସହ ହୋଇପାରେ ମସ୍ତିଷ୍କଘାତ ଓ ହୃଦଘାତ, କମ୍ପାନୀର ସ୍ୱୀକାର