ହାଇଦ୍ରାବାଦ: ନିକଟରେ କତାର ସହ କୂଟନୈତିକ ଆଲୋଚନା କ୍ଷେତ୍ରରେ ଭାରତ ବଡ ବିଜୟ ହାସଲ କରିଥିଲା । ଗୁଇନ୍ଦାଗିରି ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ମାମଲାରେ ଭାରତ ସରକାର ହସ୍ତକ୍ଷେପ କରି ଆଲୋଚନା କରିଥିଲେ । ଯାହାପରେ ସେମାନଙ୍କୁ ମୁକ୍ତ କରିଥିଲା କତାର । ଏହାପରେ ଅନେକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଭାରତୀୟ ନୌସେନାଙ୍କ ମୁକୁଳିବା ପଛରେ ଶାହାରୁଖ ଖାନଙ୍କ ହାତ ରହିଛି । ଏହି ଗୁଜବ ଖବର ଉପରେ ବର୍ତ୍ତମାନ ସ୍ପଷ୍ଟୀକରଣ ଦେଇଛନ୍ତି କିଙ୍ଗ ଖାନ । ଅଭିନେତାଙ୍କ ଟିମ ଦ୍ୱାରା ଜାରି ହୋଇଥିବା ବୟାନରେ ଏହି ମାମଲାରେ ଶାହାରୁଖଙ୍କ କିଛି ଭୂମିକା ନଥିବା ସ୍ପଷ୍ଟ କରିଛନ୍ତି । ଏହା କେବଳ ଭାରତ ସରକାରଙ୍କ ଦ୍ୱାରା ହିଁ ସମ୍ଭବପର ହୋଇଛି ବୋଲି ସେ କହିଛନ୍ତି ।
ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଦଦଲାନି ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କତାରରୁ ଭାରତୀୟ ନୌସେନା ଅଧିକାରୀଙ୍କୁ ମୁକ୍ତ କରିବାରେ ଶାହାରୁଖଙ୍କ ଭୂମିକା ରହିଥିବା ଖବର ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଏନେଇ ସେ କହିଛନ୍ତି ଯେ, ଏଥିରେ ଶାହାରୁଖଙ୍କ ସମ୍ପୃକ୍ତ ଥିବା ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ । ଏହାର ଶ୍ରେୟ ସମ୍ପୂର୍ଣ୍ଣ ରୂପେ ଭାରତ ସରକାରଙ୍କୁ ଯାଉଛି । ଅତିରିକ୍ତ ଭାବରେ, କୂଟନୀତି ସହ ଜଡିତ ସମସ୍ତ ବିଷୟ ଆମର ଅତି ଦକ୍ଷ ନେତାଙ୍କ ଦ୍ୱାରା ଶ୍ରେଷ୍ଠ ଭାବରେ କାର୍ଯ୍ୟକାରୀ ହୋଇଥାଏ । ଶାହାରୁଖ ଖାନ ମଧ୍ୟ ଅନ୍ୟାନ୍ୟ ଭାରତୀୟଙ୍କ ପରି ନୌସେନା ଅଧିକାରୀ ନିରାପଦରେ ଘରକୁ ଫେରିଥିବାରୁ ଖୁସି ଅଛନ୍ତି ଏବଂ ତାଙ୍କୁ ଶୁଭକାମନା ଜଣାଉଛନ୍ତି ।
କହିରଖୁଛୁ କି, ଶାହାରୁଖ ଖାନ ଗତ କିଛି ଦିନ ହେବ ଏଫଏସି ଫାଇନାଲ ସମାରୋହରେ ଏକ ସମ୍ମାନୀୟ ଅତିଥି ଭାବରେ କତାରରେ ଥିଲେ । ଏହି ସମୟରେ ଶାହାରୁଖ ଖାନ କତାରର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ଅବଦୁଲ୍ଲାହମାନ ବିନ୍ ଜସିମ ଅଲ ଥାନିଙ୍କ ସହ ସାକ୍ଷାତକାର କରିଥିଲେ ଏବଂ ଏଠାରେ କିଙ୍ଗ ଖାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଯାହାପରେ ଏହି ଖବର ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ ଶାହାରୁଖଙ୍କ ସହାୟତାରେ ୮ ଜଣ ଭାରତୀୟ ନୌସେନା ଅଧିକାରୀ ମୁକୁଳି ପାରିଥିଲେ ।
ଏହା ମଧ୍ୟ ପଢନ୍ତୁ: କତାର କବଳରୁ ମୁକୁଳିଲେ 8 ପୂର୍ବ ନୌସେନା ଅଧିକାରୀ, ଗୁଇନ୍ଦାଗିରି ଅଭିଯୋଗରେ ମିଳିଥିଲା ଫାଶୀ ଦଣ୍ଡ
ସୂଚନାଯୋଗ୍ୟ, ଏହି ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ୨୦୨୨ ମସିହା ଅଗଷ୍ଟରେ ଗିରଫ କରିଥିଲା କତାର । ଏହି ପୂର୍ବତନ ନୌସେନା ଅଧିକାରୀମାନେ ହେଲେ କ୍ୟାପ୍ଟେନ ନବତେଜ ସିଂ ଗିଲ, କ୍ୟାପ୍ଟେନ ବିରେନ୍ଦ୍ର କୁମାର ବର୍ମା, କ୍ୟାପ୍ଟେନ ସୌରଭ ବାରିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିଓ୍ବାରୀ, କମାଣ୍ଡର ସୁଗୁନାକର ପକାଲା, କମାଣ୍ଡର ରାଜୀବ ଗୁପ୍ତା ଓ ସେଲର ରାଗେଶ । ଫେବୃଆରୀ ୧୨ ତାରିଖ (ସୋମବାର ଦିନ) ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ଅଧିକାରୀମାନଙ୍କୁ ମୁକ୍ତ କରାଯାଇଥିବା ଏବଂ ୭ ଜଣ ସ୍ୱଦେଶ ଫେରିଆସିଥିବା ନେଇ ସୂଚନା ଜାରି କରାଯାଇଥିଲା । କତାରର ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଭାରତ ସରକାର ତାଙ୍କୁ କୃତଜ୍ଞତା ମଧ୍ୟ ଜଣାଇଥିଲେ ।