ଭୁବନେଶ୍ୱର: ଓଲିଉଡ ଅଭିନେତା ସମ୍ୱିତ ଆଚାର୍ଯ୍ୟ ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ । ସେ ଫିଲ୍ମ 'ସନାତନୀ- କର୍ମ ହିଁ ଧର୍ମ ' ସହ ପରଦାକୁ ଫେରୁଛନ୍ତି । ବର୍ତ୍ତମାନ ଫିଲ୍ମର ମୋଶନ ପୋଷ୍ଟର ରିଲିଜ ହୋଇଛି । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିର୍ମାତା ଫିଲ୍ମର ମୋଶନ ପୋଷ୍ଟର ରିଲିଜ କରିବା ସହ ରିଲିଜ ତାରିଖ ପ୍ରକାଶ କରିଛନ୍ତି । ଏହା ସହ ଫିଲ୍ମର କାହାଣୀ ଉପରୁ ମଧ୍ୟ ପରଦା ଉଠାଇଛନ୍ତି । ଏକ ପ୍ରେସମିଟ ଜରିଆରେ ଫିଲ୍ମ ଟିମ ଏନେଇ ସୂଚନା ଦେଇଛନ୍ତି ।
'ସନାତନୀ' ଫିଲ୍ମର ଷ୍ଟାରକାଷ୍ଟ
ଏହି ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ଅଭିନେତା ସମ୍ବିତ ଆଚାର୍ଯ୍ୟ ନଜର ଆସିବେ । ଏଥିରେ ତାଙ୍କୁ ଏକ ଭିନ୍ନ ଚରିତ୍ର ଦର୍ଶକ ଦେଖିବାକୁ ପାଇବେ ଏବଂ ତାଙ୍କ ବିପକ୍ଷରେ ନଜର ଆସିବେ ଅଭିନେତ୍ରୀ ଆର୍ଲିନ୍ ଅଙ୍କିତା । ଯିଏ କି ପୂର୍ବରୁ ୩ଟି ଫିଲ୍ମ କରିସାରିଛନ୍ତି । ସମ୍ବିତ ଓ ଆର୍ଲିନ୍ଙ୍କ ବ୍ୟତୀତ ଅନ୍ୟାନ୍ୟ ମୁଖ୍ୟ ଚରିତ୍ରରେ ପପି ସନ୍ତୁକା, ଗୁଡ଼ୁ, ଜଗନ୍ନାଥ ସେଠ୍, ଗୋପାଳ ପ୍ରକାଶ ମହାନ୍ତି ଓ ବବ୍ଲୁ ଭଳି ତାରକା ନଜର ଆସିବେ । ଜଗନ୍ନାଥ ସେଠ୍ ଏନଏସଡି ଛାତ୍ର ହୋଇଥିବା ଓଡ଼ିଆ ପୁଅ ଭାବେ ଏଇଟା ତାଙ୍କର ଡେବ୍ୟୁ ସିନେମା ରହିଥିବା ବେଳେ ନିଜ ମାଟିରେ କାମ ପାଇବାର ସୁଯୋଗ ପାଇଁ ସେ ବହୁତ ଖୁସି ଥିବା କହିଛନ୍ତି ।
'ସନାତନୀ' ଫିଲ୍ମର କାହାଣୀ
ବିଦିଶା କ୍ରାଫ୍ଟ ବ୍ୟାନର୍ରେ ବରିଷ୍ଠ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ପ୍ରଯୋଜନାରେ ଏହି ସିନେମା ନିର୍ମାଣ ହୋଇଛି । ଫିଲ୍ମଟି ଅନ୍ଧ ବିଶ୍ୱାସ, ଶିକ୍ଷା ସହ ସାମାଜିକ ଓ ମାନସିକତାର ପରିବର୍ତ୍ତନ ସହ ଓଡ଼ିଶାରେ ଚାଲିଥିବା ଧର୍ମାନ୍ତୀକରଣ ପରିବର୍ତ୍ତନର କଥାକୁ ନେଇ ଗତିଶୀଳ ହୋଇଛି । ଜାତି ଧର୍ମ ବର୍ଣ ନିର୍ବିଶେଷରେ ମଣିଷ ହେଉଛି ଶ୍ରେଷ୍ଠ ଧର୍ମ ବୋଲି ଏଥିରେ ଦର୍ଶାଯାଇଥିବା ବେଳେ ଅନେକାଂଶରେ ହିନ୍ଦୁତ୍ୱବାଦ ଶାଗ ଗୀତାର ଅନେକ ତତ୍ଵକୁ ମଧ୍ୟ ଦର୍ଶାଯାଇଛି । ଶ୍ରୀରାମ ଓ ହନୁମାନଙ୍କ ସମ୍ବଧିତ ଅନେକ ସଂଳାପ ରହିଥିବା ବେଳେ ସନାତନ ଧର୍ମର ଅସ୍ତିତ୍ଵ ଓ ତାର ସୁରକ୍ଷା କଥା ଏଥିରେ ଦେଖିବାକୁ ମିଳିଛି । ଯେଉଁଠିକି କେବଳ ହିନ୍ଦୁତ୍ୱ ନୁହେ ସବୁ ଧର୍ମ ର ସୁରକ୍ଷା ଓ ତାର ମୂଳତତ୍ତ୍ୱରେ ରହିବାର ସୁନ୍ଦର କଥାକୁ ଚିତ୍ରିତ କରାଯାଇଛି । ତେଣୁ ଭିନ୍ନ ଏକ କାହାଣୀର ଅବତାରଣାକୁ ନେଇ ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି କହିଛନ୍ତି ପ୍ରଯୋଜକ ।
ଏହା ମଧ୍ୟ ପଢନ୍ତୁ: ନୂଆବର୍ଷରେ ଆସୁଛି ଓଡିଆ ଫିଲ୍ମ 'ଆଞ୍ଜେଲ', ରିଲିଜ ହେଲା ମୋସନ ପୋଷ୍ଟର
ଏହି ଦିନ ପରଦାକୁ ଆସିବ 'ସନାତନୀ'
ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀରେ ମୁକ୍ତିଲାଭ କରିବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଏହି ଫିଲ୍ମର ପ୍ରଯୋଜକ ବିଜୟ କାଣ୍ଡୋଇ ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି । ଯେକି ୧୫ରୁ ଅଧିକ ଫିଲ୍ମ ଏବଂ ୨୦ରୁ ଅଧିକ ଧାରାବାହିକ କରିଛନ୍ତି । ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ବାସୁଦେବ ବରାଡ଼ । ଫିଲ୍ମର ସଂଳାପ ମାନସ ରଞ୍ଜନ ସାମଲ ଏବଂ ଦୀପ୍ତି ପଟ୍ଟନାୟକ ଲେଖିଛନ୍ତି । କ୍ୟାମେରା ଭାର ସମ୍ଭାଳିଛନ୍ତି ଧ୍ରୁବାନନ୍ଦ ପଣ୍ଡା । ଗୀତ ରଚନା ଡ. ନିର୍ମଳ ନାୟକ କରିଥିବା ବେଳେ ସଙ୍ଗୀତ ଦେଇଛନ୍ତି ଅଭିଜିତ୍ ମଜୁମ୍ଦାର୍ । ତେବେ ଏହାର କାହାଣୀ ମୁଖ୍ୟତଃ ଧର୍ମାନ୍ତ୍ରୀକରଣ ଉପରେ ପର୍ଯ୍ୟବେସିତ । କିନ୍ତୁ ତାକୁ ସକରାତ୍ମକ ଭାବେ ଉପସ୍ଥାପିତ କରାଯିବ, ଯେପରି କାହାକୁ ଆଘାତ ପହଞ୍ଚିବ ନାହିଁ। ଏପରିକି କୌଣସି ଧର୍ମକୁ ବି ଆକ୍ଷେପ କରାଯାଇନାହିଁ ବୋଲି କହିଛି ପ୍ରଯୋଜନା ସଂସ୍ଥା ।
ଇଟିଭି ଭାରତ, ଭୁବନେଶ୍ୱର