ହାଇଦ୍ରାବାଦ: ବର୍ତ୍ତମାନ ବଲିଉଡରୁ ଆସୁଛି ଗୋଟିଏ ପରେ ଗୋଟିଏ ଖୁସି ଖବର । ଗତକାଲି (ଗୁରୁବାର) ୟାମି ଗୌତମ ଏବଂ ସିଦ୍ଧାର୍ଥ ଧର ଖୁବଶୀଘ୍ର ପିତାମାତା ହେବା ନେଇ ଖୁସି ଖବର ଦେଇଥିବା ବେଳେ ଏବେ ଆଉ ଜଣେ ଦମ୍ପତି ଏହି ଗୁଡ ନ୍ୟୁଜ ଦେଇଛନ୍ତି । ବଲିଉଡର ଅନ୍ୟତମ ଦମ୍ପତି ରିଚା ଚଡ୍ଡା ଏବଂ ଅଲ୍ଲୀ ଫଜଲଙ୍କ ଘରକୁ ଆସିବେ ନୂଆ ଅତିଥି । ସୋସିଆଲ ମିଡିଆରେ ଏନେଇ ଦୁହେଁ ସୂଚନା ଦେଇଛନ୍ତି । ତେବେ ବିବାହର ୨ ବର୍ଷ ପରେ ଏହି ଷ୍ଟାର ଦମ୍ପତି ପିତାମାତା ହେବାକୁ ଯାଉଛନ୍ତି ।
ରିଚା ଚଡ୍ଡା ଏବଂ ଅଲ୍ଲୀ ଫଜଲ ନିଜ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ ୱାନ ପ୍ଲସ ୱାନ, ଥ୍ରୀ ବୋଲି ଲେଖା ହୋଇଥିବା ବେଳେ ଅନ୍ୟ ଫଟୋରେ ରିଚା ଏବଂ ଅଲ୍ଲୀଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, ''କୁନି ଅତିଥି ଆମ ଦୁନିଆକୁ ଆସୁଛି ।'' ଏହି ଖୁସି ଖବର ସେୟାର ହେବା ମାତ୍ରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଏହି ଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି ।
ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର, ଦିଆ ମିର୍ଜା, ଆୟୁଷ୍ମାନ ଖୁରାନା, ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ, ଅଭିନେତା ରାଜକୁମାର ରାଓଙ୍କ ତାରକା ପତ୍ନୀ ପତ୍ରଲେଖା, ଟିଭି ଅଭିନେତ୍ରୀ କରିସ୍ମା ତନ୍ନା ଏବଂ ସାୟାମି ଖେରଙ୍କ ସମେତ ଅନେକ ସେଲିବ୍ରିଟି ଏହି ପୋଷ୍ଟରରେ ପ୍ରତିକ୍ରିୟା ଦେଇ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଦିଆ ଲେଖିଛନ୍ତି, ମୁଁ ତୁମ ତିନି ଜଣଙ୍କୁ ଭଲ ପାଏ । ସେହିପରି ସବା, ମୃଣାଲ ଏବଂ କରିସ୍ମା ତନ୍ନା ଶୁଭକାମନା ବୋଲି ଲେଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଅଲ୍ଲୀଙ୍କ ସହ ବିବାହ ମିମି ଉପରେ ରିଚାଙ୍କ ମଜାଦାର ପ୍ରତିକ୍ରିୟା
କହିରଖୁଛୁ କି, ଫିଲ୍ମ 'ଫୁକରେ' ସେଟରୁ ରିଚା ଏବଂ ଅଲ୍ଲୀଙ୍କ ଲଭଷ୍ଟୋରୀ ଆରମ୍ଭ ହୋଇଥିଲା । ରିଚା ଏବଂ ଅଲ୍ଲୀ ୨୦୨୦ ମସିହାରେ ବିବାହ କରିଥାନ୍ତେ କିନ୍ତୁ କୋରୋନା ମହାମାରୀ ହେତୁ ଉଭୟଙ୍କ ବିବାହ ତାରିଖ ଘୁଞ୍ଚାଇ ଦିଆଯାଇଥିଲା । ପରେ ଏହି ଦମ୍ପତି ୨୦୨୨ ମସିହାରେ ସାଙ୍ଗସାଥୀ ଏବଂ ପରିବାରଙ୍କ ଉପସ୍ଥିତିରେ ହିନ୍ଦୁ ଏବଂ ମୁସଲମାନ ରୀତିନୀତି ଅନୁଯାୟୀ ଦିଲ୍ଲୀରେ ବିବାହ କରିଥିଲେ । ଏହାପରେ ରିଚା ଏବଂ ଅଲ୍ଲୀ ମୁମ୍ବାଇରେ ଏକ ରିସେପ୍ସନ୍ ପାର୍ଟି ମଧ୍ୟ ଆୟୋଜନ କରିଥିଲେ । ଏହି ଦମ୍ପତିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।