ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ରାଜନେତା ସ୍ବାମୀ ରାଘବ ଚଢାଙ୍କୁ ବିବାହର କିଛି ଦିନ ପରେ ସେ ଗର୍ଭବତୀ ଥିବା ନେଇ ଚାଲିଥିଲା ଚର୍ଚ୍ଚା । ଏପରିକି ଆଜି (ଗୁରୁବାର) ସେ 'ଅମର ସିଂ ଚମକିଲା' ଟ୍ରେଲର ଲଞ୍ଚରେ ଢିଲା ପୋଷାକ ପିନ୍ଧିଥିବା ନଜର ଆସିବା ପରେ ଏହି ପ୍ରେଗ୍ନେସି ଚର୍ଚ୍ଚା ଜୋର ଧରିଥିଲା । ଏହାପରେ 35 ବର୍ଷୀୟ ଅଭିନେତ୍ରୀ ଏକ ସୋସିଆଲ ମିଡିଆ ମିଡିଆ ପୋଷ୍ଟ କରି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।
ପରିଣୀତି ଗୁରୁବାର ଅମର ସିଂ ଚମକିଲା ଫିଲ୍ମ ଟ୍ରେଲର ଲଞ୍ଚରେ ଢିଲା ପୋଷାକ ପିନ୍ଧି ପହଞ୍ଚିବା ପରେ ଫ୍ୟାନ୍ସ ରୁମରକୁ ସତ ଭାବିନେଇଥିଲେ । ପରିଣୀତି ଗର୍ଭବତୀ ଥିବାରୁ ହୁଏତ ଏହାକୁ ଲୁଚାଇବା ଲାଗି ଢିଲା ପୋଷାକ ପିନ୍ଧିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ହେଲେ ଅଭିନେତ୍ରୀ ତୁରନ୍ତ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଏହି ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଏ ନେଇ ସେ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ, " କଫତାନ ଡ୍ରେସ= ପ୍ରେଗ୍ନେସି, ଓଭରସାଇଜ ସାର୍ଟ=ପ୍ରେଗ୍ନେସି, କମ୍ଫି ଇଣ୍ଡିଆନ କୁର୍ତ୍ତା= ପ୍ରେଗ୍ନେସି ?" ଏହି ପୋଷ୍ଟରେ ସେ ଏକ ହସିବା ଇମୋଜି ମଧ୍ୟ ଲଗାଇଥିଲେ । ଏଭଳି ପୋଷ୍ଟ କରି ପରିଣୀତି ଗର୍ଭବତୀ ନଥିବା ସ୍ପଷ୍ଟ କରିଛନ୍ତି ।
ଏହା ବି ପଢନ୍ତୁ- ଓଟିଟିରେ ରିଲିଜ ହେବ ପରିଣୀତି-ଦିଲଜିତଙ୍କ 'ଚମକିଲା', ଏହି ଦିନ ହେବ ଷ୍ଟ୍ରିମିଂ
ସୂଚନା ଥାଉ କି ଦିନେ କୌଣସି ରାଜନେତାକୁ ଜୀବନ ସାଥୀ କରିବେନି କହୁଥିବା ପରିଣୀତି ଶେଷରେ ରାଜନେତାଙ୍କ ହାତ ଧରିଥିଲେ । ପରିଣୀତି ଓ ରାଘବଙ୍କ ରୋମାନ୍ସ ଲଣ୍ଡନରୁ ଆରମ୍ଭ ହୋଇଥିଲା, ଯେତେବେଳେ ଉଭୟ ଆଇସିସି ୟଙ୍ଗ୍ ଲିଡର୍ସ ଫୋରମରେ ପରସ୍ପରକୁ ଭେଟିଥିଲେ । ଏହି ପ୍ରଥମ ଦେଖାରେ ଉଭୟଙ୍କ ଫ୍ରେଣ୍ଡସିପ ପରବର୍ତ୍ତୀ ସମୟରେ ଲଭଷ୍ଟୋରୀରେ ପରିଣତ ହୋଇଥିଲା । ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିବା ପରେ ପରସ୍ପରକୁ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଇଥିଲେ । ଫଳସ୍ବରୂପ ଗତବର୍ଷ ସେପ୍ଟେମ୍ବର 24 ତାରିଖରେ ଉଦୟପୁରରେ ଉଭୟ ବିବାହ କରିଥିଲେ ।
ପରିଣୀତିଙ୍କ ଫିଲ୍ମ କ୍ୟାରିଅର ସମ୍ପର୍କରେ ଆଲୋଚନା କଲେ ସେ ଇମତିଆଜ ଅଲ୍ଲୀଙ୍କ ନିର୍ଦ୍ଦେଶିତ 'ଅମର ସିଂ ଚମକିଲା' ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମଟି ଅମର ସିଂ ଚମକିଲା ଓ ତାଙ୍କ ପତ୍ନୀଙ୍କ ସତ କଥାବସ୍ତୁ ଉପରେ ଆଧାରିତ । ଏହି ଫିଲ୍ମରେ ଅମର ସିଂ ଭୂମିକାରେ ଦିଲଜିତ ଦୋସାଞ୍ଝା ଅଭିନୟ କରିଛନ୍ତି । ଯାହାକି ଏପ୍ରିଲ 12 ତାରିଖରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ