ହାଇଦ୍ରାବାଦ: କେବଳ ଯିଏ ପ୍ରିୟଜନଙ୍କୁ ହରାଇଛି, ସେ ପ୍ରିୟଜନଙ୍କୁ ହରାଇବାର ଯନ୍ତ୍ରଣା ଜାଣିଥାଏ । ବର୍ତ୍ତମାନ ଏହି ଯନ୍ତ୍ରଣା ସହ ସଂଘର୍ଷ କରୁଛନ୍ତି ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ବିବେକ ପଙ୍ଗେନିଙ୍କ ପତ୍ନୀ । ଦୁହେଁ ମାତ୍ର 36 ବର୍ଷ ବୟସରେ ପରସ୍ପରଠାରୁ ଅଲଗା ହୋଇଗଲେ । ବିବେକ ପଙ୍ଗେନି ଦୀର୍ଘ ସମୟ ଧରି ବ୍ରେନ କ୍ୟାନ୍ସରରେ ପୀଡିତ ଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ପତ୍ନୀ ଶ୍ରୀଜାନା ସୁବେଦୀ ସବୁକିଛି ଛାଡି କେବଳ ସ୍ୱାମୀଙ୍କ ସେବା କରିବା ଆରମ୍ଭ କରିଥିଲେ । ଉଭୟଙ୍କ ପ୍ରେମ ଦୁଇଟି ଶରୀର, ଗୋଟିଏ ପ୍ରାଣ ପରି ଥିଲା । ହେଲେ ପତ୍ନୀଙ୍କ ଭଲପାଇବା ଓ ଡାକ୍ତରଙ୍କ ପ୍ରଚେଷ୍ଟା କିଛି କାମରେ ଆସିଲା ନାହିଁ । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ବିବେକ । ତାଙ୍କ ମୃତ୍ୟୁରେ ପତ୍ନୀ ଶ୍ରୀଜାନା ଦୁଃଖରେ ଭାଙ୍ଗିପଡିଥିବା ବେଳେ କିନ୍ତୁ ଆଜି ସେ ସମସ୍ତ ପ୍ରେମୀ ଯୁଗଳ ଓ ବିବାହିତ ଦମ୍ପତିଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।
ସ୍ୱାମୀଙ୍କ ଶେଷ ନିଶ୍ୱାସ ଯାଏଁ ସାଥ୍ ଦେଲେ ଶ୍ରୀଜାନା
ନେପାଳ ବାସିନ୍ଦା ବିବେକ ତାଙ୍କ ଇନଷ୍ଟାଗ୍ରାମ ରିଲ ମାଧ୍ୟମରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିଥିଲେ । ଏଥିରେ ତାଙ୍କ ପତ୍ନୀ ଶ୍ରୀଜାନା ସୁବେଦୀ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଦୁହେଁ ସୋସିଆଲ ମିଡିଆରେ ଏକାଠି ଭିଡିଓ ତିଆରି କରୁଥିଲେ । ବିବେକ କ୍ୟାନ୍ସର ପୀଡିତ ଥିଲେ ବୋଲି ଜାଣିବା ପରେ ମଧ୍ୟ ସାଥ୍ ଛାଡିନଥିଲେ ପତ୍ନୀ । ସୂଚନା ଅନୁସାରେ, 2023 ମସିହାରେ ବିବେକ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ । ଯାହା ବେଶ ତାଙ୍କ ଏବଂ ତାଙ୍କ ପତ୍ନୀ ଶ୍ରୀଜାନା ସୁବେଦୀଙ୍କ ପାଇଁ ଯନ୍ତ୍ରଣାଦାୟକ ଥିଲା । କିନ୍ତୁ ଏପରି ସମୟରେ ଶ୍ରୀଜାନା ହାର ନମାନି ନିଜ ସ୍ୱାମୀଙ୍କୁ ସାହାସ ଦେବା ସହ ସ୍ୱାମୀଙ୍କ ସେବା କରିଥିଲେ । ହେଲେ ଭାଗ୍ୟର ବିଡମ୍ୱନା, ଡିସେମ୍ୱର 19, 2024 ବର୍ଷ ଶେଷ ପୂର୍ବରୁ ବିବେକଙ୍କର ମୃତ୍ୟୁ ହୋଇଛି । ଆମେରିକାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୋସିଆଲ ମିଡିଆରେ ବିବେକ ଏବଂ ତାଙ୍କ ପତ୍ନୀଙ୍କ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି ।
ଏହା ମଧ୍ୟ ପଢନ୍ତୁ: ଜୀବନ ହାରିଲେ କନ୍ନଡ ଅଭିନେତ୍ରୀ ଶୋଭିତା ଶିବନ୍ନା
ସ୍ୱାମୀଙ୍କ ପାଇଁ କେଶ ମଧ୍ୟ କାଟିଲେ ପତ୍ନୀ
ଡାକ୍ତରଖାନାରୁ ଶ୍ରୀଜାନା ସୁବେଦୀ ଏବଂ ବିବେକଙ୍କ ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋ କ୍ୟାନ୍ସର ପୀଡିତ ପୂର୍ବରୁ ଏବଂ ପରେ ବିବେକଙ୍କ ଝଲକ ଦେଖିବାକୁ ମିଳିଛି । ଏଥିରେ ଶ୍ରୀଜାନା କିପରି ପିଲା ପରି ତାଙ୍କ ସ୍ୱାମୀଙ୍କ ଯତ୍ନ ନେଇଛନ୍ତି । ଶ୍ରୀଜାନା ପ୍ରତ୍ୟେକ ପାଦରେ ସାହସ ନ ହରାଇ ସ୍ୱାମୀଙ୍କୁ ଉତ୍ସାହିତ କରିଛନ୍ତି ଏବଂ ନିଜେ ଚିକିତ୍ସା ସମୟରେ ଶ୍ରୀଜାନା ପ୍ରତ୍ୟେକ ମୁହୂର୍ତ୍ତରେ ନିଜ କ୍ୟାମେରାରେ କଏଦ କରି ନିଜ ସ୍ମୃତି ସାଉଁଟିଛନ୍ତି । ତାହା ଦେଖିବାକୁ ମିଳିଛି । କର୍କଟ ଚିକିତ୍ସା ସମୟରେ ଶ୍ରୀଜାନା ତାଙ୍କ ସ୍ୱାମୀଙ୍କ ପରି ନିଜ କେଶ ମଧ୍ୟ କାଟିଥିଲେ । ଏହି ଦୁଇଜଣଙ୍କର ପ୍ରେମ କାହାଣୀ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ଶ୍ରୀଜାନା ଏବେ ନିଜ ସ୍ୱାମୀଙ୍କୁ ହରାଇଛନ୍ତି ହେଲେ ଉଭୟଙ୍କ ପ୍ରେମକାହାଣୀ ଏବେ ସମସ୍ତଙ୍କ ପାଇଁ ଉଦାହରଣ ହୋଇ ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ