ହାଇଦ୍ରାବାଦ: ଫ୍ୟାନ୍ସଙ୍କ ଅପେକ୍ଷା ହେବ ଅନ୍ତ । ଖୁବଶୀଘ୍ର ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି ସାଉଥ ସୁପରଷ୍ଟାର ଥାଲାପତି ବିଜୟ । ଆଜି ଇଦ ଅବସରରେ ଫିଲ୍ମର ନିର୍ମାତା ଫିଲ୍ମକୁ ନେଇ ଏକ ଖୁସି ଖବର ଦେଇଛନ୍ତି । ଅଭିନେତା ତାଙ୍କ ଫିଲ୍ମ 'ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ' ରିଲିଜ ତାରିଖ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଫିଲ୍ମରୁ ଏକ ନୂତନ ପୋଷ୍ଟର ରିଲିଜ କରି ଏହି ସୂଚନା ଦେଇଛନ୍ତି ।
ବିଜୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଏହି ଘୋଷଣା କରିଛନ୍ତି । ଏହି ଫିଲ୍ମ ଗଣେଶ ଚତୁର୍ଥୀ ଅବସରରେ ସେପ୍ଟେମ୍ବର ୫, ୨୦୨୪ରେ ରିଲିଜ ହେବ । ପୋଷ୍ଟରରେ ଥାଲାପତି ବିଜୟ ଦମଦାର ଲୁକରେ ନଜର ଆସିଛନ୍ତି । 'ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍' ଫିଲ୍ମଟି ଭେଙ୍କଟ ପ୍ରଭୁଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରରେ ଥାଲାପତି ବିଜୟଙ୍କ ସହ ପ୍ରଭୁ ଦେବା, ମାଇକ ମୋହନ, ପ୍ରଶାନ୍ତ, ସ୍ନେହା, ଲେଲା, ଜୟରାମ, ଯୋଗୀ ବାବୁ ଏବଂ ମୀନାକ୍ଷୀ ଚୌଧୁରୀ ଅଭିନୟ କରିଛନ୍ତି ।
ସୂଚନା ମୁତାବକ, 'ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଅଟେ । ଡିସେମ୍ବର 31ରେ ଅଭିନେତା ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଥିଲେ । ଯେଉଁଥିରେ ସେ ଡବଲ୍ ରୋଲ କରିଥିବା ଜଣାପଡିଛି । ସେହିପରି ଥାଲାପତି ବିଜୟ ଜାନୁଆରୀ 1ରେ ପ୍ରଶଂସକଙ୍କ ପାଇଁ ଫିଲ୍ମର ଦ୍ବିତୀୟ ପୋଷ୍ଟର ପ୍ରକାଶ କରିଥିଲେ । ତେବେ ତାଙ୍କୁ ଦୁଇଟି ଚରିତ୍ରରେ ଦେଖିବା ଦର୍ଶକଙ୍କ ପାଇଁ ବହୁତ ଆକର୍ଷଣୀୟ ହେବାକୁ ଯାଉଛି ।
ଏହା ମଧ୍ୟ ପଢନ୍ତୁ: ଥାଲାପତିଙ୍କୁ ଦେଖିବାକୁ ବେକାବୁ ହେଲେ ଫ୍ୟାନ୍ସ, ଠେଲାପେଲାରେ ଭାଙ୍ଗିଲା କାର୍
ଏହା ବ୍ୟତୀତ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି ଥାଲାପତି । ଚଳିତ ବର୍ଷ ଫେବୃଆରୀ ୨ରେ ଥାଲାପତି ବିଜୟ ରାଜନୀତିରେ ଏଣ୍ଟ୍ରି କରିବା ଘୋଷଣା କରିଥିଲେ । ସେ ତାଙ୍କ ଦଳର ନାମ ମଧ୍ୟ ଘୋଷଣା କରିଥିଲେ । ବିଜୟ ତାଙ୍କ ଦଳର ନାମ 'ତାମିଲାଗା ଭେଟ୍ରି କାଝାଗାମ' ରଖିଛନ୍ତି। ଏହା ସହ ବିଜୟ ଏକ ବିବୃତ୍ତି ଜାରି କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ସେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ କିମ୍ବା ଏହି ନିର୍ବାଚନରେ ସେ କୌଣସି ଦଳକୁ ସମର୍ଥନ କରିବେ ନାହିଁ। ସାଧାରଣ ଏବଂ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ପାଇଁ ଆମେ ଏହି ନିଷ୍ପତ୍ତି ନେଇଥିବା କହିଥିଲେ ।