ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ନିର୍ମାତା କରଣ ଜୋହରଙ୍କ ମିମିକ୍ରି କରି ହଟ୍ଟହଟ୍ଟା ହାସ୍ୟ ଅଭିନେତା କେତନ ସିଂ । ନିକଟରେ ଏକ କମେଡି ଶୋ'ରେ କେତନ ସିଂ କରଣଙ୍କ ମିମିକ୍ରି କରିଥିଲେ । ଯାହା ଦେଖି କରଣ ଜୋହର ତାତିବା ସହ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ବର୍ଷିଥିଲେ । ଯାହାକୁ ନେଇ ବର୍ତ୍ତମାନ କମେଡିଆନ କେତନ କରଣଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।
ସୂଚନା ଅନୁସାରେ, ହାସ୍ୟ ଅଭିନେତା କେତନ ସିଂ ଏକ କମେଡି ଶୋ' (Madness Machayenge - India Ko Hasayenge)ରେ କରଣ ଜୋହରଙ୍କ ମିମିକ୍ରି କରୁଥିବା ଦେଖିବାକୁ ମିଳିଛି । ଯାହା ଦେଖି ରାଗିଛନ୍ତି କରଣ । ଏହା ଦେଖିବା ପରେ ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ହାସ୍ୟ ଅଭିନେତା କେତନଙ୍କ ଉପରେ ବର୍ଷିଥିଲେ । ସେ ଲେଖିଥିଲେ, ''ମୁଁ ମୋ ମାଆଙ୍କ ସହିତ ଟିଭି ଦେଖୁଥିଲି ଏବଂ ମୁଁ ଏକ ବଡ଼ ଟିଭି ଚ୍ୟାନେଲରେ ଏକ ରିଆଲିଟି କମେଡି ଶୋ'ର ଏକ ପ୍ରୋମୋ ଦେଖିଲି । ଜଣେ ହାସ୍ୟ ଅଭିନେତା ଅତି ହାସ୍ୟାସ୍ପଦ ଭାବରେ ମୋର ମିମିକ୍ରି କରୁଥିଲେ । ମୁଁ ଏହା ଟ୍ରୋଲର୍ସ ଏବଂ ମୋତେ ଜାଣିନଥିବା ଲୋକମାନଙ୍କଠାରୁ ଏହା ଆଶା କରେ, କିନ୍ତୁ ଯେତେବେଳେ ତୁମ ନିଜ ଇଣ୍ଡଷ୍ଟ୍ରିର ଜଣେ ବ୍ୟକ୍ତି, ଏହି ବୃତ୍ତିରେ ୨୫ ବର୍ଷରୁ ଅଧିକ ସମୟ ଧରି ରହିଆସିଥିବା ବ୍ୟକ୍ତିଙ୍କୁ ଅସମ୍ମାନ କରେ, ଏଥିରୁ ଏହା ଜଣାପଡେ ଯେ ଆମେ କେଉଁ ସ୍ତରରେ ଅଛୁ । ଏହା ମୋତେ କ୍ରୋଧ ଆଣିନି ବରଂ ମୋତେ ଦୁଃଖ ଦେଇଛି ।''
ଏହା ମଧ୍ୟ ପଢନ୍ତୁ: 25 ବର୍ଷ ପରେ ପୁଣି ହାତ ମିଳାଇଲେ ସଲମାନ-କରଣ, ଖ୍ରୀଷ୍ଟମାସରେ ହେବ ଧମାକା
କରଣ ଏହି ପୋଷ୍ଟ ସେୟାର କରିବା ପରେ ନିର୍ମାତା ଏକତା କପୁର ତାଙ୍କୁ ସମର୍ଥନ କରିଥିଲେ ଏବଂ ସେ ମଧ୍ୟ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ନିକଟରେ ଏକ ସାକ୍ଷାତକାରରେ କେତନ ସିଂ ତାଙ୍କୁ କ୍ଷମା ମାଗିଛନ୍ତି । ସେ କହିଛନ୍ତି, "ମୁଁ କରଣ ଜୋହର ସାରଙ୍କୁ କ୍ଷମା ମାଗୁଛି । ସର୍ବପ୍ରଥମେ ମୁଁ ଯାହା ବି ମିମିକ୍ରି କରିଛି ତାହା ହେଉଛି ମୁଁ 'କଫି ଶୋ'ରେ କରଣ ଜୋହରଙ୍କୁ ବହୁତ ଦେଖିଛି । ମୁଁ ତାଙ୍କ କାମକୁ ଭଲପାଏ । ମୁଁ ତାଙ୍କ କାର୍ଯ୍ୟ ଏବଂ ତାଙ୍କ ଶୋ'ର ଜଣେ ବଡ଼ ପ୍ରଶଂସକ, ମୁଁ ତାଙ୍କୁ ମନୋରଞ୍ଜନ କରିବାକୁ ଚାହୁଁଥିଲି କିନ୍ତୁ ଯଦି ମୁଁ ଏମିତି କିଛି କରିଦେଇଛି, ଯାହା ତାଙ୍କୁ ଆଘାତ ଦେଇଛି । ତେବେ ମୁଁ ତାଙ୍କୁ କ୍ଷମା ମାଗିବାକୁ ଚାହେଁ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ