ହାଇଦ୍ରାବାଦ: 'ପୁଷ୍ପା ୨: ଦ ରୁଲ'ର ପ୍ରିମିୟର ଶୋ’ରେ ଜଣେ ମହିଳା ଫ୍ୟାନଙ୍କ ମୃତ୍ୟୁ ଘଟଣା । ହାଇଦ୍ରାବାଦ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଗୁରୁବାର ଦିନ ସାଉଥ ସୁପରଷ୍ଟାର ଆଲୁ ଅର୍ଜୁନ, ତାଙ୍କ ଟିମ ଏବଂ ସନ୍ଧ୍ୟା ଥିଏଟର ମ୍ୟାନେଜମ୍ୟାଣ୍ଟ ବିରୋଧରେ ଏକ ମାମଲା ରୁଜୁ କରିଛି ।
ଅଲ୍ଲୁ ଅର୍ଜୁନଙ୍କ ନାଁରେ ମାମଲା ରୁଜୁ
ଘଟଣାରେ ଡେପୁଟି କମିଶନର (ସେଣ୍ଟ୍ରାଲ୍ ଜୋନ୍) ଅକ୍ଷୟ ଯାଦବ କହିଛନ୍ତି,''ମୃତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରାଯାଇଛି । ଥିଏଟର ମ୍ୟାନେଜମେଣ୍ଟ, ଅଲ୍ଲୁ ଅର୍ଜୁନ ଏବଂ ତାଙ୍କ ସୁରକ୍ଷା ଟିମ୍ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଚିକ୍କାଡାପଲି ପୋଲିସ୍ ଷ୍ଟେସନ ଧାରା 105 , 118 (1) r / w 3 (5) BNS ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ଅଭିନେତା ହଲକୁ ଆସିବେ ବୋଲି ପୂର୍ବରୁ ସୂଚନା ନଥିଲା । ଥିଏଟର ମ୍ୟାନେଜମେଣ୍ଟ କିଛି ଘଣ୍ଟା ପୂର୍ବରୁ ଏହି ସୂଚନା ପାଇଥିଲେ । ଫଳରେ ଥିଏଟର ମ୍ୟାନେଜମେଣ୍ଟ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ସମ୍ବନ୍ଧରେ କୌଣସି ଅତିରିକ୍ତ ବ୍ୟବସ୍ଥା କରି ନଥିଲା କିମ୍ବା ଅଭିନେତା ଟିମ୍ ପାଇଁ କୌଣସି ପୃଥକ ପ୍ରବେଶ ଏବଂ ପ୍ରସ୍ଥାନ ମଧ୍ୟ ନଥିଲା । ଯାହା ଦ୍ୱାରା ଏହି ଅଘଟଣ ଘଟିଛି ।
Bunny Vas Garu visited the hospital, personally spoke to the doctors and ensured that the necessary financial assistance for the child’s treatment was provided from our side. Not every update is shared on social media. The team is deeply committed on supporting the family in… https://t.co/MjWlLkX93Q
— Sarath Chandra Naidu (@imsarathchandra) December 5, 2024
ଦୋଷୀ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଘଟଣା ନେଇ ଡିସିପି ଗଣମାଧ୍ୟମଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଥିଏଟର ମ୍ୟାନେଜମେଣ୍ଟ କିମ୍ବା ଅଭିନେତାଙ୍କ ଟିମ ଦ୍ୱାରା ସେ ଥିଏଟରକୁ ଆସିବେ ବୋଲି କୌଣସି ସୂଚନା ଦିଆଯାଇ ନାହିଁ। ଥିଏଟର ମ୍ୟାନେଜମେଣ୍ଟ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥା କରିନଥିଲା । ଫଳରେ ସିନେମା ହଲ ଭିତରେ ଥିବା ଅଶାନ୍ତିର ପରିସ୍ଥିତି ପାଇଁ ଦାୟୀ ସମସ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଅବହେଳା ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି ।
ଘଟଣାରେ ମାଆ ମୃତ, ଚିକିତ୍ସାଧୀନ ଅବସ୍ଥାରେ ପୁଅ
ପୋଲିସର ସୂଚନାନୁସାରେ, ହାଇଦ୍ରାବାଦର ଆରଟିସି ଏକ୍ସ ରୋଡ ସ୍ଥିତ ସନ୍ଧ୍ୟା ଥିଏଟରରେ ବୁଧବାର ଏହି ଅଘଟଣ ହୋଇଥିଲା । ଯେଉଁଠି ଫିଲ୍ମ ପ୍ରିମିୟର ଶୋ' ହୋଇଥିଲା ଏବଂ ଅଲ୍ଲୁ ଅର୍ଜୁନ ଏହି ଥିଏଟରରେ ସାମିଲ ଥିଲେ । ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଫଳରେ ରେବତୀ ନାମକ ଜଣେ ମହିଳା ତାଙ୍କ ପରିବାର ସହ ଫିଲ୍ମ ଦେଖିବାକୁ ଆସିଥିବା ବେଳେ ସେ ଓ ତାଙ୍କ ପୁଅ ବହୁ ଜନସମାଗମ ହେତୁ ଉଭୟଙ୍କର ଶ୍ୱାସରୁଦ୍ଧ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ସେମାନଙ୍କୁ ତଳେ ଥିବା ବାଲକୋନିରୁ ବାହାର କରି ତାଙ୍କ ପୁଅ ଉପରେ ସି.ଆର.ପି କରିଥିଲେ ଏବଂ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ଦୁର୍ଗାବାଇ ଦେଶମୁଖ ଡାକ୍ତରଖାନାjରେ ଭର୍ତ୍ତି କରିଥିଲେ । ଏହି ସମୟରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଏବଂ ଉନ୍ନତ ଚିକିତ୍ସା ପାଇଁ ତାଙ୍କ ପୁଅଙ୍କୁ ଅନ୍ୟ ଡାକ୍ତରଖାନାକୁ ପଠାଇବାକୁ ପରାମର୍ଶ ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: ଫ୍ୟାନ୍ ମୃତ୍ୟୁ ଘଟଣା; ସହାୟତା ଦେବେ କହିଲେ ଅଲ୍ଲୁ ଅର୍ଜୁନଙ୍କ ଟିମ୍
ସୋସିଆଲ ମିଡିଆରେ ଚର୍ଚ୍ଚା
ଏହି ଦୁଃଖଦ ଘଟଣା ନେଇ ସୋସିଆଲ ମିଡିଆରେ ଫିଲ୍ମ ଟିମ ଏବଂ ଅଲ୍ଲୁ ଅର୍ଜୁନଙ୍କୁ ନେଇ ଅନେକ ଅପପ୍ରଚାର କରାଯାଉଥିବା ବେଳେ ତାଙ୍କର ଘନିଷ୍ଠ ସହଯୋଗୀ ସରଥ ଚନ୍ଦ୍ର ନାଇଡୁ ଏନେଇ ଏକ୍ସରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି 'ପୁଷ୍ପା 2' ନିର୍ମାତା ଡାକ୍ତରଖାନା ପରିଦର୍ଶନ କରି ଡାକ୍ତରଙ୍କ ସହ ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା କରିଛନ୍ତି ଏବଂ ମୃତ ମହିଳାଙ୍କ ପିଲାଙ୍କ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ପ୍ରତ୍ୟେକ ତଥ୍ୟ ସୋସିଆଲ ମିଡିଆରେ ସେୟାର କରିହେବ ନାହିଁ । ତେଣୁ ଏଭଳି ଅପପ୍ରଚାର କରନ୍ତୁନି । ଟିମ୍ ପୀଡିତଙ୍କ ପରିବାର ସହ ସମ୍ପୂର୍ଣ୍ଣ ସମର୍ଥନ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ