ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ସାରା ଦେଶରେ ନାଗରିକତା ସଂଶୋଧନ ଅଧିନିୟମ ଲାଗୁ କରାଯିବା ନେଇ ରାଜନୀତି ଉଷ୍ମ ହେବାରେ ଲାଗିଛି । ଏହି ଆଇନର ସର୍ବାଧିକ ତର୍କପୂର୍ଣ୍ଣ ଦୃଷ୍ଟିକୋଣ ରହିଛି କେବଳ ଅଣମୁସଲିମ ଶରଣାର୍ଥୀଙ୍କୁ ନାଗରିକତା କାହିଁକି ଓ ମୁସଲିମ ଶରଣାର୍ଥୀଙ୍କୁ କାହିଁକି ନୁହେଁ । ବିରୋଧୀଙ୍କ ତମାମ ସମାଲୋଚନା ଓ ଅଭିଯୋଗ ମଧ୍ୟରେ ଆଜି ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାତୀୟ ଖବର ସରବରାହ ସଂସ୍ଥା ANIକୁ ଏକ ଦୀର୍ଘ ସାକ୍ଷାତକାରରେ ସରକାରଙ୍କ ଆଭିମୁଖ୍ୟ ଓ ଆଇନର ସର୍ତ୍ତାବଳୀ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଆଇନରେ ଥିବା ସମସ୍ତ ନିୟମକୁ ଶାହ ବଳିଷ୍ଠ ଯୁକ୍ତି ସହ ସଠିକ ଦର୍ଶାଇବାର କୌଣସି ଅବସର ଛାଡ଼ିନାହାନ୍ତି ।
ମୁସଲିମ ଶରଣାର୍ଥୀଙ୍କୁ କାହିଁକି ନାହିଁ ନାଗରକିତା !
ଶାହ କହିଛନ୍ତି, ମୁସଲିମ ଜନସଂଖ୍ୟା ପାଇଁ ଏକ ଭିନ୍ନ ଦେଶ ଗଠନ କରାଗଲା । ଯାହା ଆଜି ଭାରତର ଅଂଶ ନୁହେଁ । ମାତ୍ର ବିଭାଜିତ ହେବା ପରେ ସେଠାରେ ମଧ୍ୟ ଅଣମୁସଲିମ ନାଗରିକ ମଧ୍ୟ ଥିଲେ । ହେଲେ ସେମାନଙ୍କ ସଂଖ୍ୟା ଆଜି କେବଳ ହ୍ରାସ ନୁହେଁ ବରଂ ନିଶ୍ଚିହ୍ନ ହେବାକୁ ବସିଲାଣି । ସେମାନେ ପ୍ରତାଡନାର ଶିକାର ହୋଇ ଦେଶ ଛାଡିବାକୁ ବାଧ୍ୟ ହେଲେ । ଅଖଣ୍ଡ ଭାରତରେ ଥିବା ଅଣମୁସଲିମ ଶରଣାର୍ଥୀଙ୍କୁ ଦେଶର ନାଗରକିତା ପ୍ରଦାନ କରି ଥଇଥାନ କରିବା ଏବେ ଉଭୟ ନୈତିକ ଓ ସାମ୍ବିଧାନିକ ଦାୟିତ୍ବ ଭାବେ ସାମ୍ନାକୁ ଆସିଛି ।
ଦେଶ ବିଭାଜନ ସମୟରେ ସାମ୍ପ୍ରଦାୟିକ ଜନସଂଖ୍ୟା ଗଣିତ ସ୍ମରଣ କରାଇ ଶାହ କହିଛନ୍ତି, ସେତେବେଳେ ପାକିସ୍ତାନର ମୋଟ ଲୋକସଂଖ୍ୟାର 23 ପ୍ରତିଶତ ଅଳ୍ପସଂଖ୍ୟକ ବା ବିଭିନ୍ନ ଅଣମୁସଲିମ ନାଗରିକ ଥିଲେ । ମାତ୍ର 2011 ର ତଥ୍ୟ ଅନୁସାରେ, ଏବେ ସେମାନଙ୍କ ସଂଖ୍ୟା ମାତ୍ର 3.7 ପ୍ରତିଶତ । ସେମାନେ ଗଲେ କୁଆଡେ । ଏହା କେବଳ ଧର୍ମୀୟ ପ୍ରତାଡ଼ନା ଓ ବଳପୂର୍ବକ ଧର୍ମାନ୍ତରୀକରଣର ଫଳାଫଳ । ସେମାନେ ସେଠାରେ ଦ୍ବିତୀୟ ଶ୍ରେଣୀ ନାଗରିକ ଭାବେ ନିର୍ଯାତନାର ଶିକାର ହୋଇ ପଳାୟନ କରିବାକୁ ବାଧ୍ୟ ହେଲେ ଓ ଭାରତରେ ଅନୁପ୍ରବେଶ କରିବାକୁ ବାଧ୍ୟ ହେଲେ ।
ସେହିପରି ପୂର୍ବରେ ଥିବା ପଡୋଶୀ ବାଂଲାଦେଶରେ 1951 ରେ 22 ପ୍ରତିଶତ ଅଳ୍ପସଂଖ୍ୟକ ଥିଲେ । ହେଲେ 2011 ତଥ୍ୟ ଅନୁସାରେ, ସେମାନଙ୍କ ସଂଖ୍ୟା ଏବେ ମାତ୍ର 10 ପ୍ରତିଶତରେ ପହଞ୍ଚିଛି । 1992 ମସିହାରେ ଆଫଗାନିସ୍ତାନରେ 2 ଲକ୍ଷରୁ ଅଧିକ ହିନ୍ଦୁ ଓ ଶିଖ ନାଗରିକ ଥିଲେ । ସେମାନଙ୍କ ସଂଖ୍ୟା ଏବେ ମାତ୍ର ପ୍ରାୟ 5ଶହ । ଯେତେବେଳେ ଭାରତ ଅଖଣ୍ଡ ଥିଲା, ସେମାନେ ଭାରତୀୟ ହିଁ ଥିଲେ । ସାମ୍ପ୍ରତିକ ସ୍ଥିତିରେ ସେମାନଙ୍କ ପାଇଁ ଚିନ୍ତା କରିବା ସଂସଦ ଓ ରାଜନୈତିକ ଦଳ ପାଇଁ ଆବଶ୍ୟକତାରେ ପରିଣତ ହୋଇଛି ବୋଲି ଶାହ କହିଛନ୍ତି । ସେହି ଆଧାରରେ ବର୍ତ୍ତମାନର ସରକାର ଏହି ନିୟମ ଲାଗୁ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁ ନିର୍ବାଚନ କମିଶନର ନିଯୁକ୍ତ, ଖାଲି ପଡ଼ିଥିଲା ୨ ପଦବୀ
କେଉଁ ପ୍ରକ୍ରିୟାରେ ମିଳିବ ନାଗରିକତା:-
ତେବେ ସରକାର ଜାରି କରିଥିବା ପୋର୍ଟାଲରେ ଆବେଦନ ଆରମ୍ଭ ହୋଇସାରିଛି । ବିଦେଶୀ ପ୍ରମାଣପତ୍ର ସହ ଶରଣାର୍ଥୀମାନେ ଏବେ ଆବେଦନ କରିପାରିବେ । ପଞ୍ଜୀକରଣ ଆଧାରରେ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଡାକିବା ସହ ପ୍ରମାଣପତ୍ରର ବୈଧତା ମଧ୍ୟ ଯାଞ୍ଚ କରିବ । ଏହା ପରେ ଏକ ସାକ୍ଷାତକାର ମଧ୍ୟ ହେବ । ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ନାଗରିକତା ପ୍ରମାଣପତ୍ର ମିଳିବ । ତେବେ ଯେଉଁମାନଙ୍କ ନିକଟରେ ପ୍ରମାଣପତ୍ର ନାହିଁ, ସେମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ବିକଳ୍ପ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବାକୁ ଚିନ୍ତା କରାଯାଉଛି । ଦେଶ ସ୍ବାଧୀନତା ପରେ ଓ 2019 ଶେଷ ସୁଦ୍ଧା ଭାରତକୁ ଆସିଥିବା ଅଣମୁସଲିମ ଶରଣାର୍ଥୀ ଓ ତାଙ୍କ ପରବର୍ତ୍ତୀ ପିଢିର ସନ୍ତାନମାନେ ଏହି ଆବେଦନ ପାଇଁ ବୈଧ ହେବେ ବୋଲି ଶାହ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ