ବେଙ୍ଗାଲୁରୁ: ବିଧିର ବିଧାନ କି କରିବ ଆନ । ଦଇବ ବିଧାତାର ନିଷ୍ପତ୍ତିକୁ କିଏ ବା ଟାଳି ପାରିବ । ଯେମିତି ଏହି ଦମ୍ପତି । ଗୋଟିଏ ଦିନରେ ପୃଥିବୀରେ ପାଦ ଥାପିଥିଲେ ଆଉ ଗୋଟିଏ ଦିନରେ ହିଁ ଦୁନିଆକୁ ଅଲବିଦା କହିଲେ । ଏକାଦିନରେ ଆଖି ବୁଜିଲେ ଦମ୍ପତି । ଉତ୍ତରାଖଣ୍ଡ ଟ୍ରେକିଂ ଟ୍ରାଜେଡିରେ ଏଭଳି ଜଣେ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ମୃତ ଦମ୍ପତିଙ୍କ ଘର କର୍ଣ୍ଣାଟକର ହୁବୁଳି ଅଞ୍ଚଳରେ ବୋଲି ଜଣାପଡ଼ିଛି । ଗୋଟିଏ ଦିନରେ ଜନ୍ମ ଗୋଟିଏ ଦିନରେ ଦମ୍ପତିଙ୍କ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
କଣ ଥିଲା ଘଟଣା ?
ଉତ୍ତରାଖଣ୍ଡ ଖରାପ ପାଗ ଯୋଗୁଁ ଜୀବନ ହରାଇଥିବା ଏହି ଦମ୍ପତିଙ୍କ ମୃତଦେହକୁ ଦିଲ୍ଲୀ ଦେଇ ବେଙ୍ଗାଲୁରୁକୁ ପଠାଯାଇଛି । ଏହି ଦୁର୍ଘଟଣାରେ ଦମ୍ପତିଙ୍କ ସମେତ 9ଜଣ ଟ୍ରେକରଙ୍କ ମୃତ୍ୟୁ ଘଟିଛି । କର୍ଣ୍ଣାଟକର 22 ଜଣିଆ ଟ୍ରେକର ଟିମ ଉତ୍ତରାଖଣ୍ଡର ଉଚ୍ଚ ସହସ୍ତ୍ରତାଲ ମନେରି ଅଞ୍ଚଳରେ ଟ୍ରେକିଂ ପାଇଁ ପହଞ୍ଚିଥିଲେ । ଟ୍ରେକିଂର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଏହି ଟିମ ନିଜ କ୍ୟାମ୍ପକୁ ଫେରୁଥିଲା । କିନ୍ତୁ ହଠାତ ରାସ୍ତାରେ ପାଗରେ ପରିବର୍ତ୍ତନ ଘଟିଥିଲା । ଫଳରେ ସମସ୍ତ ଟ୍ରେକର ବିପଦରେ ପଡ଼ିଥିଲେ । ଏହି ଦୁର୍ଘଟଣାରେ 9ଜଣ ଟ୍ରେକରଙ୍କ ମୃତ୍ୟୁ ଘଟିଥିବା ବେଳେ 13ଜଣଙ୍କ ଜୀବନ ବଞ୍ଚିଯାଇଛି ।
ଟ୍ରେକିଂ ବେଳେ ଚାଲିଗଲା ଦମ୍ପତିଙ୍କ ଜୀବନ:-
ମୃତକଙ୍କ ମଧ୍ୟରେ କର୍ଣ୍ଣାଟକର ଏହି ଦମ୍ପତି ସାମିଲ । ଏମାନଙ୍କ ପରିଚୟ ବିନାୟକ ମୁଙ୍ଗୁରାୱଡି ଓ ସୁଜାତା ମୁଙ୍ଗୁରାୱଡି ବୋଲି ଜଣାପଡ଼ିଛି । ଏହି ଦମ୍ପତିଙ୍କ ଜନ୍ମ ତାରିଖ ଗୋଟିଏ ଦିନରେ ଥିଲା । କିନ୍ତୁ ବୟସରେ ବ୍ୟବଧାନ ଥିଲା ଅର୍ଥାତ ଜନ୍ମ ବର୍ଷ ଅଲଗା ଥିଲା । ଉଭୟଙ୍କ ଜନ୍ମ ଦିନ ଅକ୍ଟୋବର 3 ତାରିଖରେ ପଡ଼ିଥାଏ । ବିଡମ୍ବନାର ବିଷୟ ଏବେ ଉଭୟଙ୍କ ମୃତ୍ୟୁ ତାରିଖ ମଧ୍ୟ ସମାନ ହୋଇଛି । ଜୁନ 4 ତାରିଖରେ ଏହି ଦମ୍ପତି ଏକାସାଙ୍ଗେ ଦୁନିଆକୁ ଅଲବିଦା କହିଛନ୍ତି ।
ଏହା ବି ପଢନ୍ତୁ- ବାଥରୁମରେ ଗ୍ୟାସ ଗିଜରରୁ ବିଷାକ୍ତ ଗ୍ୟାସ ଲିକ, ଶ୍ବାସରୁଦ୍ଧ ହୋଇ ଦମ୍ପତିଙ୍କ ମୃତ୍ୟୁ !
ଏହି ଦମ୍ପତି 1994 ମସିହାରେ ହୁବୁଳି ବିବିବି କଲେଜରେ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ବିନାୟକ ମେକାନିକାଲ ଇଞ୍ଜିନିୟରିଂରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ଦାମ୍ପତ୍ୟ ଜୀବନର ପ୍ରାରମ୍ଭିକ ସମୟରେ ଉଭୟ ହୁବୁଳିର ଉନାକଲଠାରେ ରହୁଥିଲେ । 1996ରେ ଚାକିରି ପାଇଁ ଉଭୟ ବେଙ୍ଗାଲୁରୁ ସ୍ଥାନାନ୍ତର ହୋଇଥିଲେ । ଉଭୟ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ 'ଉତ୍ତର କର୍ଣ୍ଣାଟକ ସ୍ନେହଲୋକ ଟ୍ରଷ୍ଟ' ନାମରେ ଏକ ସଂଗଠନର ଶୁଭାରମ୍ଭ କରିଥିଲେ । ଏହି ଦମ୍ପତି ଗତ 16 ବର୍ଷ ଧରି ଜନସେବାରେ ନିୟୋଜିତ ଥିଲେ । ବିନାୟକଙ୍କୁ ଟ୍ରେକିଂର ସଉକ ଥିଲା । ଏଥିଲାଗି ସେ ପ୍ରତିବର୍ଷ ଟ୍ରେକିଂ ପାଇଁ ଭିନ୍ନ ଭିନ୍ନ ସ୍ଥାନକୁ ଯାଉଥିଲେ । ଦମ୍ପତିଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ । ଝିଅ ଅଦିତି ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବେଳେ ପୁଅ ଈଶାନ ଇଞ୍ଜିନିୟରିଂ ପାଠ ପଢୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ