ଭୋପାଳ: ରସୁଣକୁ ନେଇ ଖଣ୍ଡ ଯୁଦ୍ଧ । ରସୁଣ ନଷ୍ଟ କରିଦେବାରୁ ଫୁଟିଲା ଗୁଳି । କ୍ଷେତରେ ବହିଲା ରକ୍ତର ନଦୀ । ଦୁଇ ପରିବାର ମଧ୍ୟରେ ବଚସା ପରେ ଗୁଳି ଫୁଟିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଉଜୈନର ରୁଦାହେଡା ଗ୍ରାମରେ ।
ରସୁଣ ନଷ୍ଟ କରିଦେବାରୁ ରକ୍ତପାତ: ରୁଦାହେଡା ଗ୍ରାମର ରାଜପୁତ ପରିବାରଏବଂ ପଡ଼ୋଶୀ ମୀନା ପରିବାରର ଏକ ଚାଷ ଜମି ରହିଛି । ରାଜପୁତ ପରିବାର ଲୋକେ ନିଜ କ୍ଷେତରେ ରସୁଣର ଶୁଖାଇଥିଲେ । ଏହି ସମୟରେ ମୀନା ପରିବାର ସେଠାରୁ ଗହମ ଅମଳ କରିଥିଲେ, ଯାହା ଫଳରେ ରସୁଣ ନଷ୍ଟ ହୋଇଯାଇଥିଲା । ଏହା ପରେ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହି ଘଟଣାକୁ ନେଇ ରାଜ ପରିବାର ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ମୀନାଙ୍କ ପରିବାରର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ ।
ବେକରେ ଗୁଳି ବାଜିବା ପରେ ଜଣଙ୍କର ମୃତ୍ୟୁ ହୋଇଛି: ପୋଲିସର ସୂଚନା ଅନୁସାରେ, ରସୁଣ କଟାକୁ ନେଇ ରୁଦାହିଡା ଗ୍ରାମରେ ଦୁଇ ପରିବାର ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏହି ବିବାଦରେ ରାଜପୁତ ପରିବାରର ମୋକାମ ସିଂ, ଅର୍ଜୁନ ସିଂ, ଲକ୍ଷ୍ମଣ ସିଂ, ରାଜେନ୍ଦ୍ର, ମହେନ୍ଦ୍ର ଏବଂ ଲଖନ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ସେହିପରି ମୀନା ପରିବାରର ମୁକୁଟ ମୀନା, ପ୍ରବୀଣ ମିନା ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ବିବାଦ ଉଗ୍ର ରୂପ ନେଇଥିଲା । ରାଜ ପରିବାରର ମୋକାମ ସିଂ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ । ଯାହା ଫଳରେ ମୀନା ପରିବାରର ଯୁବକ ପ୍ରବୀଣଙ୍କ ବେକରେ ଗୁଳି ବାଜିଥିଲା, ଫଳସ୍ୱରୂପ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ତାଙ୍କ ମାମୁଁ ମୁକୁଟ ମୀନା ମଧ୍ୟ ଗୁଳିରେ ଆହତ ହୋଇଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଏହା ମଧ୍ୟ ପଢନ୍ତୁ-କାଠଗଡାକୁ ଯାଇପାରିଲେନି ସାକ୍ଷୀ, କୋର୍ଟରେ ପହଞ୍ଚିବା ପୂର୍ବରୁ ଫିଲ୍ମ ଷ୍ଟାଇଲରେ ହତ୍ୟା !
ସ୍ଥାନୀୟ ଜଣେ ପୋଲିସ ଅଧିକାରୀ କହିଛନ୍ତି, ''ଗୁଳିରେ ଆହତ ହୋଇଥିବା ପ୍ରବୀଣ ଏବଂ ମୁକୁଟଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା । ଯେଉଁଠାରେ ଡାକ୍ତର ପ୍ରବୀଣଙ୍କୁ ମୃତ ଘୋଷଣା କରିଥିଲେ । ଏହି ମାମଲାରେ 6 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ମୁଖ୍ୟ ଅଭିଯୁକ୍ତ ମୋକାମ ସିଂ ରାଜପୁତଙ୍କୁ ଅଟକ ରଖାଯାଇଛି ଏବଂ ପଚରାଉଚରା ଆରମ୍ଭ ହୋଇଛି ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ପଚରାଉଚରା କରାଯିବ ।'' ବର୍ତ୍ତମାନ ରସୁଣ ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାକୁ ନେଇ ଗୁଳି କରି ଜଣଙ୍କୁ ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।