ହାଇଦ୍ରାବାଦ: ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ବର...ଗୁରୁ ସାକ୍ଷାତ ପରଂବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ... । ଆଜି ପବିତ୍ର ଗୁରୁ ଦିବସରେ ଗୁରୁ ବନ୍ଦନା ଗୁଞ୍ଜରିତ ହେଉଛି ଚାଟଶାଳୀ ଠାରୁ ଆରମ୍ଭ କରି ସ୍କୁଲ, କଲେଜ, କୋଚିଂ ସେଣ୍ଟର ସମେତ ସମସ୍ତ ଶିକ୍ଷାନୁଷ୍ଠାନ । ଗୁରୁଙ୍କ ଜ୍ଞାନ ଓ କର୍ମ ଆଗରେ ଆଜି ନତମସ୍ତକ ସମସ୍ତେ । ଶାସ୍ତ୍ରରେ ‘ଗୁ’ର ଅର୍ଥ ହେଉଛି ଅନ୍ଧକାର ଏବଂ ‘ରୁ’ର ଅର୍ଥ ଏହାକୁ ରୋକୁଥିବା ବ୍ୟକ୍ତି। ଏହାର ଅର୍ଥ ଅନ୍ଧକାରକୁ ନାଶ କରୁଥିବା ବ୍ୟକ୍ତି । ମାଆ ବାପା ସନ୍ତାନକୁ ଜନ୍ମ ଦିଅନ୍ତି କିନ୍ତୁ ଜୀବନର ମାର୍ଗ ଦର୍ଶନ କରାଉଥିବା ଏବଂ ସଂସାର ବିଷୟରେ ଅବଗତ କରାଉଥିବା ବ୍ୟକ୍ତି ଗୁରୁ ହିଁ ଅଟନ୍ତି । ଏଥିପାଇଁ ଗୁରୁଙ୍କ ମହତ୍ତ୍ବକୁ ଦର୍ଶାଇ ମହାନ ସନ୍ଥ କବୀର ଦାସ କହିଛନ୍ତି- ‘ଗୁରୁ ଗୋବିନ୍ଦ ଦୋଉ ଖଡ଼େ କାକେ ଲାଗୁ ପାୟ, ବଲିହାରୀ ଗୁରୁ ଆପନେ ଗୋବିନ୍ଦ ଦିୟୋ ମିଲାୟେ’। ଅର୍ଥାତ୍ ଭଗବାନଙ୍କଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଗୁରୁଙ୍କର ହୋଇଥାଏ । ଭାରତର ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିକୁ ଗୁରୁଦିବସ ଭାବେ ପ୍ରତିବର୍ଷ ଆଜିର ଦିନରେ ପାଳନ କରାଯାଏ ।
ଭାରତ ବର୍ଷର ଗୁରୁଶିଷ୍ୟର ପରମ୍ପରା ବହୁ ପ୍ରାଚୀନ । ଗୁରୁ ଦ୍ରୋଣାଚାର୍ଯ୍ୟ, ପର୍ଶୁରାମ ଏପରି ଅନେକ ଗୁରୁଙ୍କ ଗାଥା ପୁରାଣରେ ବର୍ଣ୍ଣିତ । ବିନା ଗୁରୁରେ କେହି କେବେ ସଫଳତାର ଶିଖର ଛୁଇଁପାରି ନଥାଏ । ଆଜି ଗୁରୁଦିବସରେ ଆସନ୍ତୁ ଜାଣିବା ଭାରତର କିଛି ସର୍ବ ଶ୍ରେଷ୍ଠ ଗୁରୁଙ୍କ ବିଷୟରେ । ଯେଉଁ ମାନଙ୍କ ଆଦର୍ଶ, ନୀତିବାଣୀ ଜ୍ଞାନ ଓ ଉପଦେଶ କୁ ଆଜିବି ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ସଭିଏଁ ।
ସର୍ବପଲ୍ଲୀ ରାଧାକ୍ରିଷ୍ଣନ: ବାସ୍ତବରେ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନକୁ ଗୁରୁ ଦିବସ ଭାବରେ ପାଳନ କରାଯାଇଆସୁଛି । ସେ ରାଷ୍ଟ୍ରପତି ଥିବାବେଳେ ଜନସାଧାରଣ ତାଙ୍କର ଜନ୍ମଦିନ ପାଳନ କରିବାକୁ ଅନୁମତି ମାଗିଥିଲେ । ସେ କହିଥିଲେ ଯେ, ମୋ ଜନ୍ମଦିନ ଗୁରୁ ଦିବସ ରୂପେ ପାଳନ କରାଗଲେ ମୁଁ ଖୁସି ହେବି । ସେହିଦିନଠୁ ସେପ୍ଟେମ୍ବର ୫କୁ ଗୁରୁ ଦିବସ ରୂପେ ସାରା ଦେଶରେ ପାଳନ କରାଯାଏ । ରାଧାକ୍ରିଷ୍ଣନ ଦେଶର ପ୍ରଥମ ଉପରାଷ୍ଟ୍ରପତି ଏବଂ ଦ୍ବିତୀୟ ରାଷ୍ଟ୍ରପତି ଥିଲେ । ରାଧାକ୍ରିଷ୍ଣ ଏକାଧାରରେ ଜଣେ ଉତ୍କୃଷ୍ଟ ବକ୍ତା ଓ ହିନ୍ଦୁ ବିଚାରକ ଥିଲେ । ଏହାସହିତ ଜଣେ ମହାନ ଶିକ୍ଷକ ଭାବେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ । ତାଙ୍କ ମତ ଥିଲା, ଯଦି ପିଲାଟିକୁ ଉତ୍ତମ ଶିକ୍ଷା ମିଳେ ତାହେଲେ ସେ ନିଜର ଓ ଦେଶର ଭବିଷ୍ୟତ ଉଜ୍ବଳ କରିପାରିବ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୧୯୫୪ ମସିହାରେ ରାଧାକ୍ରିଷ୍ଣନଙ୍କୁ ସମ୍ମାନଜନକ ଭାରତ ରତ୍ନ ପ୍ରଦାନ କରାଯାଇଥିଲା
ଗୌତମ ବୁଦ୍ଧ : ଗୌତମ ବୁଦ୍ଧ ବୁଦ୍ଧ ଜଗତକୁ ଜ୍ଞାନର ମାର୍ଗ ଦେଖାଇଥିଲେ। ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ ସେ। । ବୁଦ୍ଧ ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ । ଗୌତମ ବୁଦ୍ଧ ବୋଧହୁଏ ଭାରତ ଇତିହାସର ପ୍ରଥମ ଶିକ୍ଷକ ଥିଲେ । ସେ ଖ୍ରୀ. ପୂ ୫୬୭ ରେ ହିମାଳୟର ପାଦଦେଶରେ ଅବସ୍ଥିତ କପିଳବାସ୍ତୁ ନିକଟବର୍ତ୍ତୀ ଲୁମ୍ବିନୀ ଉପବନରେ ଜନ୍ମ ଗ୍ରହଣ କରିଥିଲେ । ଦିବ୍ୟ ଜ୍ଞାନ ଅନ୍ୱେଷଣ ପାଇଁ ମାତ୍ର ୨୯ ବର୍ଷ ବୟସରେ ସଂସାରର ମୋହମାୟା ତ୍ୟାଗ କରି ଘର ଛାଡି ଦେଇଥିଲେ। ବୁଦ୍ଧ ସମଗ୍ର ବିଶ୍ୱରେ ଲୋକଙ୍କ ମଧ୍ୟରେ ଶାନ୍ତି, ପ୍ରେମ, ଅହିଂସା, ଏବଂ ବଳିଦାନର ବାର୍ତ୍ତା ଦେଇ ସମାଜରେ ବ୍ୟାପିଥିବା ମନ୍ଦତାକୁ ହଟାଇବାକୁ ଚେଷ୍ଟା କରିଥିଲେ। ତାଙ୍କର ଶିକ୍ଷା ହେଉଛି ସଠିକ୍ ଦୃଷ୍ଟିକୋଣ, ସଠିକ୍ ଉଦ୍ଦେଶ୍ୟ, ସଠିକ୍ ବକ୍ତବ୍ୟ, ସଠିକ୍ ଆଚରଣ, ସଠିକ୍ ଧ୍ୟାନ, ସଠିକ୍ ପ୍ରୟାସ ଓ ସଠିକ ଧ୍ୟାନ । ପରବର୍ତ୍ତୀ ସମୟରେ ସେ ବୌଦ୍ଧ ଧର୍ମ ପ୍ରଚାର କରିଥିଲେ । ଦୁଃଖ ଓ ଏହାର କାରଣକୁ ନିବାରଣ ପାଇଁ ବୁଦ୍ଧ ଅଷ୍ଟାଙ୍ଗ ମାର୍ଗର ପ୍ରଚାର କରିଥିଲେ।
ଏହା ମଧ୍ୟ ପଢନ୍ତୁ-Teachers Day: ଅନ୍ଧାରରୁ ଆଲୋକର ପଥ ପ୍ରଦର୍ଶକ ଗୁରୁ, ଗୁରୁ ବିନା ଜ୍ଞାନ ନାହିଁ
ଚାଣକ୍ୟ: ଆଚାର୍ଯ୍ୟ ଚାଣକ୍ୟ କୌଟିଲ୍ୟ ନାମରେ ଜଣାଶୁଣା । ସେ ଏକା ଧାରାରେ ଜଣେ ବିଶିଷ୍ଟ ଦାର୍ଶନିକ, ତକ୍ଷଶିଳା ପ୍ରଫେସର ଏବଂ ପରାମର୍ଶଦାତା ଥିଲେ । ସେ ଭାରତର ଜଣେ ଅନ୍ୟତମ ଶିକ୍ଷକ । ତାଙ୍କ ଆଦର୍ଶକୁ ଆଜିବି ଅନୁସରଣ କରନ୍ତି ସମସ୍ତେ। ଚାଣକ୍ୟଙ୍କ ପ୍ରତିଟି କଥାରେ ରହିଛି ନିତୀ ଆଦର୍ଶର ଚରମବାଣୀ । ସେ ସ୍ବାସ୍ଥ୍ୟ ହେଉ ଅବା ଶିକ୍ଷା, ମିତ୍ର, ବ୍ୟବସାୟ, ବ୍ୟବହାର ଭଳି ଅନେକ ମହତ୍ତ୍ବପୂର୍ଣ୍ଣ ବିଷୟରେ । କୌଟିଲ୍ୟ ନାମରେ ପରିଚିତ ଚାଣକ୍ୟ ତକ୍ଷଶିଳା ବିଶ୍ବବିଦ୍ୟାଳୟର ଆଚାର୍ଯ୍ୟ ଥିଲେ । ଏଠାରେ ସେ ଅନେକ ଗ୍ରନ୍ଥର ରଚନା କରିଥିଲେ । ଏମାନଙ୍କ ମଧ୍ୟରେ ଅର୍ଥଶାସ୍ତ୍ର ଆଜି ଯାଏଁ ଲୋକପ୍ରିୟ ହୋଇ ରହିଛି । ଏହାକୁ ମୌର୍ଯ୍ୟକାଳୀନ ଭାରତୀୟ ସମାଜର ଦର୍ପଣ ବୋଲି ମନାଯାଏ ।ଏଥିରେ ରାଜ୍ୟ ପରିଚାଳନା, ରାଜନୀତି, ସମରନୀତି ପରି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ବର୍ଣ୍ଣିତ ହୋଇଛି । ତାଙ୍କ ଦ୍ବାରା ରଚିତ ଚାଣକ୍ୟ ନୀତି ଯୋଜନା ଏବଂ ରଣନୀତିକୁ ଗୁରୁତ୍ୱାରୋପ କରେ । ଏହା ସମସ୍ତଙ୍କୁ ଆଗକୁ ଚିନ୍ତା କରିବା ଏବଂ ନିଜର କାର୍ଯ୍ୟର ପରିଣାମ ବିଷୟରେ ବିଚାର କରିବା ଶିଖାଏ ।
ସ୍ବାମୀ ଦୟାନନ୍ଦ ସରସ୍ବତୀ (1824 – 1883): ଭାରତର ଅନ୍ୟ ଜଣେ ଶିକ୍ଷକ ହେଉଛନ୍ତି ସ୍ବାମୀ ଦୟାନନ୍ଦ ସରସ୍ବତୀ । ଉନଂବିଶ ଶତାବ୍ଦୀରେ ଆରମ୍ଭ ହୋଇଥିବା ଭାରତୀୟ ନବୀକରଣ ଏବଂ ଜାତୀୟତାବାଦର ସେ କର୍ଣ୍ଣଧାରା ଥିଲେ । ତାଙ୍କ ନେତୃତ୍ବରେ ସାମାଜିକ, ଶିକ୍ଷାଗତ ତଥା ଧାର୍ମିକ ସଂସ୍କାର ହେତୁ ତାଙ୍କୁ ଭାରତର ଅଗ୍ରଣୀ ରାଷ୍ଟ୍ର ନିର୍ମାଣକାରୀ ଭାବରେ ସମ୍ମାନିତ କରାଯାଇଛି । ଦୟାନନ୍ଦ ସରସ୍ବତୀ ଜଣେ ଭାରତୀୟ ଦାର୍ଶନିକ, ସାମାଜିକ ନେତା ତଥା ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ଥିଲେ । ବୈଦିକ ଧର୍ମର ସଂସ୍କାରକ ଆନ୍ଦୋଳନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ଭାରତ ଭାରତୀୟଙ୍କ ପାଇଁ ସ୍ବରାଜର ପ୍ରଥମ ଡାକରା ଦେଇଥିଲେ ସ୍ବାମୀ ଦୟାନନ୍ଦ ସରସ୍ବତୀ । 7 ଏପ୍ରିଲ 1875 ରେ ମୁମ୍ବାଇରେ ଆର୍ଯ୍ୟ ସମାଜ ନାମକ ହିନ୍ଦୁ ସଂସ୍କାର ସଂଗଠନ ପ୍ରତିଷ୍ଠା କରିଥିଲେ ।
ସ୍ବାମୀ ବିବେକାନନ୍ଦ (1863-1902): ଦେଶର ଜଣେ ବିଖ୍ୟାତ ବିଦ୍ବାନ, ସନ୍ୟାସୀ , ଦୁରଦର୍ଶୀ ଯୁବବର୍ଗଙ୍କ ମାର୍ଗଦର୍ଶକ ହେଉଛନ୍ତି ସ୍ବାମୀ ବିବେକାନନ୍ଦ । 1893 ମସିହାରେ ଶିକାଗୋରେ ଓ୍ବାଲ୍ଡ ପାଲ୍ୟାମେଣ୍ଟ ଅଫ ରିଲିଜିଅନରେ ତାଙ୍କର ଭାଷଣ ପରେ ସ୍ବାମୀ ବିବେକାନନ୍ଦ ପାଶ୍ଚାତ୍ୟ ଜଗତରେ ଲୋକପ୍ରିୟ ହୋଇଥିଲେ। ସେ ଉନବିଂଶ ଶତାବ୍ଦୀରେ ରାମକୃଷ୍ଣଙ୍କର ମୁଖ୍ୟ ଶିଷ୍ୟ ତଥା ରାମକୃଷ୍ଣ ମିଶନର ପ୍ରତିଷ୍ଠାତା ଥିଲେ। ସେ ବେଦାନ୍ତ ଓ ଏବଂ ପାଶ୍ଚାତ୍ୟ ଜଗତରେ ପରିଚିତ କରାଇଥିଲେ ।
ଏପିଜେ ଅବଦୁଲ କଲାମ: ଭାରତର ପୂର୍ବତନ ରାଷ୍ଟ୍ରପତି ଡ଼ ଏପିଜେ ଅବଦୁଲ କଲାମ । ଭାରତର ପ୍ରଥମ ରାଷ୍ଟ୍ରପତି ଥିଲେ ଯିଏ ଅବିବାହିତ ଓ ଶାକାହାରୀ ଥିଲେ । ଶିକ୍ଷାପ୍ରତି ଥିଲା ତାଙ୍କ ଅହେତୁକ ଦୁର୍ବଳତା । ଦାରିଦ୍ରତାରେ ଜୀବନ ବିତାଇଥିବା କଲାମଙ୍କ ଶିଖିବାର ମନବୃତ୍ତି ଓ ନିଶ୍ଠା ପାଇଁ ରାମେଶ୍ବରମରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ । ବିଦ୍ୟାର୍ଥୀଙ୍କ ପ୍ରତି କଲାମଙ୍କ ମନରେ ଥିଲା ସ୍ବତନ୍ତ୍ର ସ୍ଥାନ । ଏଥିପାଇଁ ସଂଯୁକ୍ତ ରାଷ୍ଟ୍ର ତାଙ୍କ ଜନ୍ମ ଦିବସକୁ ବିଦ୍ୟାର୍ଥୀ ଦିବସ ରୂପେ ପାଳନ କରୁଛି । କଲାମଙ୍କୁ ଦେଶର ସମସ୍ତ ସର୍ବୋଚ୍ଚ ପୁରସ୍କାର ଦ୍ବାରା ସମ୍ମାନିତ କରାଯାଇଥିଲେ । ତାଙ୍କୁ 1981ରେ ପଦ୍ମ ଭୂଷଣ, ୧୯୯୦ରେ ପଦ୍ମ ବିଭୂଷଣ ଓ ୧୯୯୭ ରେ ଭାରତ ରତ୍ନରେ ସମ୍ମାନିତ ହୋଇଥିଲେ ।
ରବୀନ୍ଦ୍ରନାଥ ଟାଗୋର: ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଟାଗୋର କେବଳ ଜଣେ କବି କିମ୍ବା ଲେଖକ ନଥିଲେ । ବରଂ ବଙ୍ଗଳାବାସୀଙ୍କ ମଧ୍ୟରେ ଜାଗରଣ ଆଣିବାରେ ସେ ବଡ଼ ଭୂମିକା ବହନ କରିଥିଲେ । ସେ ହିଁ ରଚିଥିଲେ ଆମ ଜାତୀୟ ସଙ୍ଗୀତ ଜନ ଗଣ ମନ । ତାଙ୍କ ରଚୟିତ ଗୀତାଞ୍ଜଳୀ, Where The Mind Is Without Fear ଭଳି ପୁସ୍ତକ ଦ୍ବାରା ପ୍ରତ୍ୟେକ ଭାରତୀୟ ପ୍ରଭାବିତ ହୋଇଥିଲେ । ଖାଲି ସେତିକି ନୁହେଁ ବାଂଲାଦେଶର ଜାତୀୟ ସଙ୍ଗୀତ ଆମାର ସୋନାର ବାଂଲା ମଧ୍ୟ ରବୀନ୍ଦ୍ରନାଥ ଟାଗୋର ରଚନା କରିଛନ୍ତି । ତାଙ୍କ ବଳିଷ୍ଠ ଲେଖାରେ ବ୍ରିଟିଶ ସରକାର ମଧ୍ୟ ପ୍ରଭାବିତ ଥିଲେ ।