ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ମାମଲାରେ ଷ୍ଟେଟ ବ୍ୟାଙ୍କକୁ ଶକ୍ତ ଝଟକା । ଏସବିଆଇର ଆବେଦନ ଖାରଜ କଲେ ସୁପ୍ରମିକୋର୍ଟ । ନିର୍ବାଚନୀ ବଣ୍ଡ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଦେବା ନେଇ ସମୟ ସୀମା ବୃଦ୍ଧି କରିବାକୁ ମନା କଲେ ସର୍ବୋଚ୍ଚ ନ୍ୟାୟାଳୟ । ଜୁନ 30 ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲା ଷ୍ଟେଟ ବ୍ୟାଙ୍କ । ଆଜି ଏହାର ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଆସନ୍ତାକାଲି ସୁଦ୍ଧା ନିର୍ବାଚନ ବଣ୍ଡ୍ ସଂପର୍କିତ ସବିଶେଷ ତଥ୍ୟ ଦେବାକୁ କୋର୍ଟ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ନିର୍ବାଚନ କମିଶନ ମାର୍ଚ୍ଚ ୧୫ ତାରିଖ ସଂଧ୍ୟା ୫ଟା ସୁଦ୍ଧା, ଏ ସଂପର୍କିତ ସମସ୍ତ ସୂଚନା ସଂଗ୍ରହ କରି ନିଜ ୱେବସାଇଟରେ ଅପଲୋଡ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ- ନିର୍ବାଚନୀ ବଣ୍ଡ ମାମଲା; ଷ୍ଟେଟବ୍ୟାଙ୍କ ଆବେଦନ ଉପରେ ଆଜି 'ସୁପ୍ରିମ' ଶୁଣାଣି
SBIକୁ ସୁପ୍ରିମକୋର୍ଟଙ୍କ ଚେତାବନୀ: ଶୁଣାଣି ସମୟରେ ଷ୍ଟେଟବ୍ୟାଙ୍କକୁ ତାଗିତ କରିଥିଲେ ସର୍ବୋଚ୍ଚ ଅଦାଲତ । ଆସନ୍ତାକାଲି(ମଙ୍ଗଳବାର) ସୁଦ୍ଧା ନିର୍ବାଚନ ବଣ୍ଡର ସବିଶେଷ ତଥ୍ୟ ଦେବାକୁ କୋର୍ଟ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ସୁଦ୍ଧା ଯଦି ନିର୍ବାଚନ ଆୟୋଗଙ୍କ ନିକଟରେ ବଣ୍ଡ ସମ୍ବନ୍ଧୀୟ ତଥ୍ୟ ଦାଖଲ ନହୁଏ ତେବେ ଏହା ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ 5 ଜଣିଆ ଖଣ୍ଡପୀଠ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ।
ମାର୍ଚ୍ଚ 15ରେ ECI ଓ୍ବେବସାଇଟରେ ତଥ୍ୟ ଅପଲୋଡ କରିବାକୁ ନିର୍ଦ୍ଦେଶ: ଏସବିଆଇ ନିର୍ବାଚନ ବଣ୍ଡ ସମ୍ବନ୍ଧୀୟ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗକଙ୍କ ନିକଟରେ ଦାଖଲ କରିବ । ଏହାକୁ ମାର୍ଚ୍ଚ 15 ଅପରାହ୍ନ 5ଟା ସୁଦ୍ଧା ECI ତାର ଅଫିସିଆଲ୍ ୱେବସାଇଟରେ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 2019ରୁ ଆଜି ପର୍ଯ୍ୟନ୍ତ ମିଳିଥିବା ଅନୁଦାନର ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ-2022 ସୁଦ୍ଧା ନିର୍ବାଚନୀ ବଣ୍ଡରେ ସଂଗ୍ରହ ହୋଇଛି 16 ହଜାର କୋଟି, ସବୁଠୁ ଆଗରେ ବିଜେପି
ନିର୍ବାଚନୀ ବଣ୍ଡ ମାମଲାରେ ଫେବୃଆରୀ 15 ତାରିଖରେ ଶୁଣାଣି କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହାର କାର୍ଯ୍ୟକାରିତା ଅସାମ୍ବିଧାନିକ ଓ ସୂଚନା ଅଧିକାର ଅଧିନିୟମର ବିରୋଧୀ ବୋଲି କୋର୍ଟ କହିଥିଲେ । ଷ୍ଟେଟବ୍ୟାଙ୍କ ତୁରନ୍ତ ଏହି ‘ନିର୍ବାଚନ ବଣ୍ଡ’ ବ୍ୟବସ୍ଥା ବନ୍ଦ କରିବାକୁ କୋର୍ଟ କହିଥିଲେ । 2019 ପରଠାରୁ କେତେ ସଂଖ୍ୟକ ବଣ୍ଡ ବିକ୍ରି ହୋଇଛି ଓ କେଉଁ ରାଜନୈତିକ ଦଳକୁ କେତେ ପରିମାଣର ଦାନ ମିଳିଛି ସେ ସମ୍ପର୍କରେ ମାର୍ଚ୍ଚ 6 ତାରିଖ ସୁଦ୍ଧା ତଥ୍ୟ ଦାଖଲ କରିବା ପାଇଁ କୋର୍ଟ ଏସବିଆଇକୁ କହିଥିଲେ । ଏହି ସମୟ ସୀମାକୁ ଜୁନ 30କୁ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଷ୍ଟେଟବ୍ୟାଙ୍କ । କିନ୍ତୁ ଏହି ଆବଦେନକୁ କୋର୍ଟ ଖାରଜ କରିଦେଇଛନ୍ତି ।
ନିର୍ବାଚନୀ ବଣ୍ଡ କଣ ?
ଜାନୁଆରୀ 2, 2018ରେ ନିର୍ବାଚନୀ ବଣ୍ଡ ଯୋଜନା ଆଣିଥିଲେ କେନ୍ଦ୍ର ସରକାର । ରାଜନୈତିକ ଫଣ୍ଡିଂରେ ପାରଦର୍ଶିତା ଓ ରାଜନୈତିକ ଦଳଗୁଡିକୁ ଅନୁଦାନ ଆକାରରେ ଦିଆଯାଉଥିବା ପାଣ୍ଠିରେ ସ୍ୱଚ୍ଛତା ଆଣିବା ପାଇଁ ଏହା ଆରମ୍ଭ ହୋଇଥିଲା । ଏହି ଯୋଜନାର ନିୟମ ଅନୁଯାୟୀ, ଦେଶର କୌଣସି ନାଗରିକ କିମ୍ବା ପ୍ରତିଷ୍ଠିତ ସଂସ୍ଥା ବଣ୍ଡ କ୍ରୟ କରି ରାଜନୈତିକ ଦଳମାନଙ୍କୁ ଅନୁଦାନ ଦେଉଥିଲେ । ଏହି ବଣ୍ଡକୁ ବ୍ୟାଙ୍କରେ ଦେବା ପରେ ଅର୍ଥ ପାଉଥିଲେ ରାଜନୈତିକ ଦଳ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ