ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଗିରଫଦାରୀକୁ ନେଇ ସାରା ଦେଶର ରାଜନୈତିକ ମାହୋଲ ବେଶ ଘମାସାନ ରହିଥିବା ବେଳେ ଏହା ମଧ୍ୟରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନିତା କେଜ୍ରିଓ୍ୱାଲ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଏହି ବାର୍ତ୍ତା ଜେଲ ଭିତରେ ଥାଇ ଅରବିନ୍ଦ କେଜ୍ରିଓ୍ୱାଲ ପଠାଇଥିବା କହିଛନ୍ତି ପତ୍ନୀ ସୁନିତା । ତେବେ ଦେଶ ସେବା ପାଇଁ ତାଙ୍କ ଜୀବନ ସମର୍ପିତ ଓ ଖୁବଶୀଘ୍ର ସେ ଜେଲ ବାହାରକୁ ଆସିବେ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
ଭିଡିଓ ବାର୍ତ୍ତାରେ ସୁନିତା କେଜ୍ରିଓ୍ୱାଲ କହିଛନ୍ତି," ଆପଣଙ୍କ ପୁଅ ଓ ଭାଇ ଅରବିନ୍ଦ କେଜ୍ରିଓ୍ୱାଲ ଜେଲରୁ ଆପଣଙ୍କ ନିକଟକୁ ବାର୍ତ୍ତା ପଠାଇଛନ୍ତି । ମୋ ପ୍ରିୟ ଦେଶବାସୀ । ମୋତେ କାଲି ଗିରଫ କରାଯାଇଛି । ମୋ ଜେଲ ଭିତରେ ରହେ କି ବାହାରେ ରହେ ମୁଁ ସବୁବେଳେ ଦେଶର ସେବା କରିବି । ମୋ ଜୀବନନର ପ୍ରତ୍ୟେକ ମୁହୂର୍ତ୍ତ ଦେଶ ପାଇଁ ସମର୍ପିତ । ମୋ ଶରୀରର ପ୍ରତ୍ୟେକ ଅଂଶ ଦେଶ ପାଇଁ । ଏହି ପୃଥିବୀରେ ମୋର ଜନ୍ମ ହୋଇଛି ସଂଘର୍ଷ ପାଇଁ । ମୁଁ ଆଜି ଯାଏ ଅନେକ ସଂଘର୍ଷ କରିଛି । ଆଗକୁ ମଧ୍ୟ କରିବି । ଯେଉଁଥିପାଇଁ ଏହି ଗିରଫଦାରୀ ମୋତେ ଆଚମ୍ୱିତ କରୁନାହିଁ । ଆପଣମାନଙ୍କ ଠାରୁ ମୋତେ ବହୁତ ଭଲ ପାଇବା ମିଳିଛି ।"
ସେ ଆଉ ମଧ୍ୟ କହିଛନ୍ତି," ପୂର୍ବ ଜନ୍ମରେ ମୋ କିଛି ପୂର୍ଣ୍ୟ କରିଥିଲି ଯେଉଁଥିପାଇଁ ଭାରତ ଭଳି ମହାନ ଦେଶରେ ମୁଁ ଜନ୍ମ ହୋଇଛି । ଆମକୁ ମିଳିମିଶି ପୁଣି ଭାରତକୁ ମହାନ କରିବାର ଅଛି । ଦୁନିଆର ସବୁଠୁ ଶକ୍ତିଶାଳୀ ଓ ନମ୍ବର 1 ଦେଶ ଭାରତକୁ ବନାଇବା । ଭାରତର ବାହାରେ ଓ ଭିତରେ ଅନେକ ଏଭଳି ଶକ୍ତି ରହିଛି ଯାହା ଦେଶକୁ ଦୁର୍ବଳ କରୁଛନ୍ତି । ସେହି ଶକ୍ତିମାନଙ୍କୁ ଚିହ୍ନି ତାଙ୍କୁ ହରାଇବାର ଅଛି ଏବଂ ଭାରତରେ ଅନେକ ଏପରି ଶକ୍ତି ରହିଛନ୍ତି ଯେଉଁମାନେ ଦେଶକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛନ୍ତି । ଯେଉଁମାନେ ଦେଶଭକ୍ତ ଅଟନ୍ତି । ସେମାନଙ୍କ ସହ ଆମକୁ ରହିବାକୁ ପଡିବ ।"
"ଦିଲ୍ଲୀର ମାଆ ଭଉଣୀମାନେ ଭାବୁଥିବେ କେଜ୍ରିଓ୍ୱାଲ ତ ଜେଲ ଚାଲିଗଲେ ହଜାର ଟଙ୍କା ମିଳିବ କି ନାହିଁ କେଜାଣି । ମୋ ସବୁ ମାଆ ଭଉଣୀମାନଙ୍କୁ ମୋ ନିବେଦନ । ଆପଣଙ୍କ ଭାଇ ଓ ପୁଅ ଉପରେ ଭରସା ରଖ । ଏମିତି କୌଣସି ଜେଲ ନାହିଁ ଯାହା କେଜ୍ରିଓ୍ୱାଲକୁ ବହୁତ ଦିନ ଭିତରେ ରଖିପାରିବ । ଖୁବ ଶୀଘ୍ର ମୁଁ ଜେଲରୁ ବାହାରିବି ଓ ପ୍ରତିଶ୍ରୁତି ପାଳନ କରିବି । ଏମିତି ଆଜି ଯାଏ କେବେ ହୋଇନାହିଁ କେଜ୍ରିଓ୍ୱାଲ ନିଜର ପ୍ରତିଶ୍ରୁତି ପାଳନ କରିନାହାନ୍ତି ।"
"ଆପଣଙ୍କ ଭାଇ ଓ ପୁଅ ଲୁହାରେ ତିଆରି ହୋଇଛି । ସେ ବହୁତ ଶକ୍ତିଶାଳୀ । ଗୋଟିଏ ନିବେଦନ । ମନ୍ଦିର ଯାଇ ମୋ ପାଇଁ ଆଶୀର୍ବାଦ ମାଗିବ । ଆପର ସବୁ କର୍ମକର୍ତ୍ତାକୁ ମୋ ନିବେଦନ ମୁଁ ଜେଲରେ ରହିଥିଲେ ମଧ୍ୟ ଦେଶର ବିକାଶ ଓ ଲୋକମାନଙ୍କ ସେବା କାର୍ଯ୍ୟ ଯେପରି ନ ଅଟକେ । ଆଉ ଏଥିପାଇଁ ବିଜେପି ନେତାମାନଙ୍କୁ ଘୃଣା କରିବ ନାହିଁ । ସେମାନେ ଆମ ଭାଇ ଭଉଣୀ । ମୁଁ ଖୁବ ଶୀଘ୍ର ଫେରିବି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ