ନୂଆଦିଲ୍ଲୀ: ଭାରତର ଐତିହାସିକ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-3’ର ଲ୍ୟାଣ୍ଡର ମଡ୍ୟୁଲ ‘ବିକ୍ରମ’ ଅବତରଣ କରିଥିବା ଚନ୍ଦ୍ରର ଦକ୍ଷିଣମେରୁ ସ୍ଥାନର ‘ଶିବଶକ୍ତି’ ନାମକରଣକୁ ମିଳିଲା ଅନ୍ତର୍ଜାତୀୟ ଅନୁମୋଦନ । ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ସଂଘ (International Astronomical Union (IAU) ଆଜି ଏହାକୁ ଅନୁମୋଦନ ଦେଇଛି । ମହାକାଶ ଗବେଷଣା କ୍ଷେତ୍ରରେ ଏହାର ଅନ୍ତର୍ଜାତୀୟ ନାମ ରଖାଯାଇଛି ‘ଷ୍ଟାଟିଓ ଶିବଶକ୍ତି’ । ଏବେ ସମଗ୍ର ବିଶ୍ବର ମହାକାଶ ଗବେଷଣା ସଂସ୍ଥା ଏହାକୁ ଏହି ନାମରେ ଜାଣିବ । ଭାରତର ଏହି ମିଶନ ସଫଳ ହେବା ସହ ଚନ୍ଦ୍ରର ଅଣ ଆବିଷ୍କୃତ ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିଥିଲା । ଅଗଷ୍ଟ 23 ତାରିଖ ସଂଧ୍ୟା 6ଟା 4ମିନିଟରେ ସଫଳ ଅବତରଣ ପରେ ଅଗଷ୍ଟ 26 ତାରିଖରେ ଏହି ସ୍ଥାନର ନାମ ରଖାଯାଇଥିଲା ‘ଶିବଶକ୍ତି’ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସ୍ଥାନର ନାମକରଣ କରିଥିଲେ । ଭାରତୀୟ ପୌରଣିକ କଥାବସ୍ତୁ ଅନୁସାରେ, ଭଗବାନ ଶିବଙ୍କ ସହ ଚନ୍ଦ୍ରର ସମ୍ପର୍କ ଥିବା କାରଣରୁ ଏହି ନାମର ନାମକରଣ ‘ଶିବଶକ୍ତି’ କରାଯାଇଥିଲା ।
ଗତବର୍ଷ (2023) ଜୁଲାଇ 14 ତାରିଖ ଅପରାହ୍ନ 2.35 ମିନିଟରେ ଉତକ୍ଷେପଣ ହୋଇଥିବା ଚନ୍ଦ୍ରାଯାନ-3 ଅଗଷ୍ଟ 23 ତାରିଖ ସଂଧ୍ୟା 6ଟା 4ମିନିଟ (ଭାରତୀୟ ସମୟ)ରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁର ଲ୍ୟାଣ୍ଡିଂ ସ୍ଥାନ ‘ଶିବଶକ୍ତି ପଏଣ୍ଟ’ରେ ଲ୍ୟାଣ୍ଡର ‘ବିକ୍ରମ’ର ସଫଳତାର ସହ ଅବତରଣ କରିଥିଲା । ତାର କିଛି ଘଣ୍ଟା ମଧ୍ୟରେ ଲ୍ୟାଣ୍ଡରରୁ ରୋଭର ‘ପ୍ରଜ୍ଞାନ’ ବାହାରି ନିଜର କାର୍ଯ୍ୟ ଆରମ୍ଭ କରିଥିଲା । ନିଜର 14ଦିନ କାର୍ଯ୍ୟକାଳ ମଧ୍ୟରେ ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠର ତାପମାତ୍ରା, କମ୍ପନ, ଖଣିଜ ଓ ରାସାୟନିକ ଉପାଦନ ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବାରେ ସଫଳ ହୋଇଛି । ସଲଫର ଓ ଅକ୍ସିଜେନ ସମେତ ଏକାଧିକ ଉପାଦନ ଚନ୍ଦ୍ରପୃଷ୍ଠରେ ଥିବା ନେଇ ସୂଚନା ଆସିବା ପରେ ଏବେ ଚନ୍ଦ୍ରର ଦକ୍ଷିଣ ମେରୁକୁ ନେଇ ବିଭିନ୍ନ ଦେଶର ମହାକାଶ ଗବେଷଣା ସଂସ୍ଥାମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି ।
ଏହା ମଧ୍ୟ ପଢନ୍ତୁ :- କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ୩୧ରେ ଇଣ୍ଡିଆ ମେଣ୍ଟର ମହାରାଲି - INDIA bloc mega rally
ଏହି ସଫଳତା ଭାରତକୁ ମହାକାଶ ଗବେଷଣା କ୍ଷେତ୍ରରେ ବିଶ୍ବର ଏକ ପ୍ରମୁଖ ରାଷ୍ଟ୍ରର ମାନ୍ୟତା ଦେଇଛି । ଚନ୍ଦ୍ରରେ ମହାକାଶ ଯାନ ଅବତରଣ କରିବାରେ ଭାରତ ବିଶ୍ବର 4ର୍ଥ ରାଷ୍ଟ୍ର ଓ ଚନ୍ଦ୍ରର ଆହ୍ବାନପୂର୍ଣ୍ଣ ଦକ୍ଷିଣ ମେରୁରେ ଅବତରଣ କରିବାର ପ୍ରଥମ ତଥା ଏକମାତ୍ର ରାଷ୍ଟ୍ର ଭାବେ ପରିଚୟ ପାଇଛି । ଗୋଟିଏ ଚନ୍ଦ୍ରଦିବସର (ପୃଥିବୀର 14ଦିନ) ଶେଷ ସହ ଏବେ ଉଭୟ ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର ’ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠରେ ସ୍ଲିପିଂ ମୋଡରେ ରହିଛନ୍ତି । ରୋଭର ‘ପ୍ରଜ୍ଞାନ’କୁ ଭାରତର ‘ଲୁନାର ଆମ୍ବାସଡର’ (ଚନ୍ଦ୍ରପୃଷ୍ଠରେ ଭାରତର ରାଜଦୂତ) ଘୋଷଣା କରିଛି ଇସ୍ରୋ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ