ପାଟନା: ବିହାରରୁ ବୋମା ଉଦ୍ଧାର । ଦରଭଙ୍ଗା ପୋଲିସ ଏକ ନିର୍ମାଣଧୀନ କୋଠା ଘରୁ ୬ଟି ଜୀବନ୍ତ ବୋମା ଉଦ୍ଧାର କରିଛି । ଏହାପରେ ପୋଲିସ ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ଏହି ବୋମାକୁ ନିଷ୍କ୍ରିୟ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି । ଗୁରୁବାର ବିଳମ୍ବିତ ରାତିରେ ଏହି ନିର୍ମାଣଧୀନ କୋଠାରେ ଫୁଟିଥିଲା ବୋମା ।
ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ଏହି କୋଠାରୁ ୨ଟି ବୋମା ଫୁଟିଥିଲା । ଏହାର ଭୟଙ୍କର ଶବ୍ଦ ଶୁଣିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇବା ପରେ ବହାଦରୁପୁର ଥାନା ପୋଲିସ ଆକ୍ଟିଭ ମୋଡକୁ ଆସିଥିଲା । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରାୟ ୬ଟି ଜୀବନ୍ତ ବୋମାକୁ ଉଦ୍ଧାର କରିଛି । ତେବେ କିଛି ଦୁର୍ବୃତ୍ତ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ଲାଗି ଷଡଯନ୍ତ୍ର କରୁଥିଲେ । କିନ୍ତୁ ୨ଟି ବୋମା ଫୁଟିଯିବା ପରେ ଏହାର ପର୍ଦ୍ଦାଫାସ ହୋଇଥିଲା । ଆଉ ବିସ୍ଫୋରଣ ହେବା ପୂର୍ବରୁ ପୋଲିସ ବୋମାକୁ ନିଷ୍କ୍ରିୟ କରିଛି ।
ଏ ନେଇ ଦରଭଙ୍ଗା ସିଟି ଏସପି ଶୁଭମ ଆର୍ଯ୍ୟ କହିଛନ୍ତି, " ରାତିରେ ବାହାଦୁରଗଡ଼ ଥାନା ଅଧିନସ୍ଥ ଏକ ନିର୍ମାଣଧୀନ କୋଠାରେ ବୋମା ବିସ୍ଫୋରଣ ନେଇ ସୂଚନା ମିଳିଥିଲା । ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାସ୍ଥଳରୁ ୨ଟି ବ୍ଲାଷ୍ଟ ବୋମା ଓ ୬ଟି ଜୀବନ୍ତ ବୋମା ଉଦ୍ଧାର ହୋଇଥିଲା । ଏହି ଘଟଣାରେ ପୋଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।" ଯେଉଁ କୋଠାରେ ବୋମା ବିସ୍ଫୋରଣ ହୋଇ ଉକ୍ତ ଘରର ମାଲିକଙ୍କୁ ପୋଲିସ ପଚରାଉଚରା କରୁଛି । ଏହି ଷଡ଼ଯନ୍ତ୍ରରେ ତାଙ୍କର କିଛି ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ପୋଲିସ ତଦନ୍ତ କରୁଛି ।
ସୂଚନା ଥାଉ କି ଆଜି ବେଙ୍ଗାଲୁରୁ ହ୍ବାଇଟଫିଲ୍ଡ ରାମେଶ୍ବରମ କାଫେର ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଏହା ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ ଘଟୁଥିବା କୁହାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଆଇଡି ବ୍ଲାଷ୍ଟ ବୋଲି ଜଣାପଡିଛି । କେହି ଜଣେ ଦୁର୍ବୃତ୍ତ କାଫେ ଭିତରେ ଏକ ବ୍ୟାଗ ରଖି ଚାଲିଯିବା ଫଳରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଏଯାବତ ୯ ଜଣ ଆହତ ହୋଇଛନ୍ତି । ପୋଲିସ ଓ ଫରେନ୍ସଟିକ ଟିମ ମିଳିତ ଭାବରେ ତଦନ୍ତ ଜାରି ରଖିଥିବା ବେଳେ ଘଟଣାସ୍ଥଳରେ ଏନଆଇଏ ମଧ୍ୟ ପହଞ୍ଚିବ ବୋଲି ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ