ଜୟପୁର: ରାଜସ୍ଥାନ ଭରତପୁର ଜିଲ୍ଲାର ବଏନା ଅଞ୍ଚଳରେ ବଡ ଅଘଟଣ ଘଟିଛି । ପୋଖରୀର ଆଡିବନ୍ଧ ଭାଙ୍ଗିଯିବାରୁ 7ଜଣ ଯୁବକ ଭାସିଯାଇ ପ୍ରାଣ ହରାଇଛନ୍ତି । ନାଗଲାହଟ୍ଟା ଗ୍ରାମ ନିକଟରେ ପ୍ରବାହିତ ବାଣଗଙ୍ଗା ନଦୀ ସଲଗ୍ନ ଏକ ଜଳଶୟ ନିକଟରେ ଏମାନେ ଥିବା ବେଳେ ନଦୀ ଜଳପ୍ରବାହ ବଢିବା କାରଣରୁ ହଠାତ ପୋଖରୀର ଆଡିବନ୍ଧ ଭୁଶୁଡି ପଡିଥିଲା । ଏଥିରେ 7ଜଣ ଯୁବକ ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ । ସୂଚନା ପାଇଁ ଗ୍ରାମବାସୀ ଓ ସ୍ଥାନୀୟ ପୋଲିସ ଅପରେସନ ଆରମ୍ଭ କରିଥିଲା । ସମସ୍ତ 7 ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ପୋଖରୀ ଆଡିବନ୍ଧ ଭାଙ୍ଗିବାରୁ ଅଘଟଣ:-
ସୂଚନାନୁସାରେ, ଆଜି (ରବିବାର) ଗାଁର କିଛି ଯୁବକ ନାଗଲାହଟ୍ଟା ଗ୍ରାମ ନିକଟରେ ବାଣଗଙ୍ଗା ନଦୀ କୂଳରେ ଥିବା ଏକ ପୋଖରୀ କୂଳରେ ବସିଥିଲେ । ଏହି ସମୟରେ ପୋଖରୀର ଆଡିବନ୍ଧର କିଛି ଅଂଶ ନଦୀଜଳ ପ୍ରବାହରେ ଦବି ଯାଇ ଭୁଶୁଡି ପଡିଥିଲା । ନଦୀ ପ୍ରଖର ସ୍ରୋତରେ ଏହି ଯୁବକମାନେ ଭାସି ଯାଇଥିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିବା ସହ ପୋଲିସ ଓ ପ୍ରଶାସନକୁ ଖବର ଦେଇଥିଲେ । ପୋଲିସ୍ ଓ ଅଗ୍ନିଶମ ଟିମ୍ କିଛି ଘଣ୍ଟାର ଅପରେସନ ପରେ ଗୋଟିଏ ପରେ ଗୋଟିଏ ସମସ୍ତ 7 ମୃତଦେହ ଉଦ୍ଧାର କରିଛି । ସମସ୍ତେ ଗୋଟିଏ ଗ୍ରାମର ହୋଇଥିବା ସୂଚନା ମିଳିଛି ।
- ମୃତକମାନେ ହେଲେ:
ସ୍ଥାନୀୟ ଆଉଟପୋଷ୍ଟର ହେଡ କନଷ୍ଟେବଳ ଧରମବୀର ସିଂଙ୍କ ସୂଚନା ଅନୁସାରେ, ମୃତକମାନେ ସ୍ଥାନୀୟ ଗ୍ରାମର ପବନ (15), ସୌରଭ ସିଂ (16), ଭୂପେନ୍ଦ୍ର (18), ଶାନ୍ତାନୁ (18), ଲାଖୀ (20), ଗୌରବ (16) ଏବଂ ପବନ (22) ଭାବେ ଚିହ୍ନଟ ହୋଇଛନ୍ତି । ସମସ୍ତ ମୃତଦେହକୁ ସ୍ଥାନୀୟ ହସ୍ପିଟାଲରେ ରଖାଯାଇଛି । ବ୍ୟବଚ୍ଛେଦ ସରିବା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ । ଅନ୍ୟପଟେ ଗ୍ରାମର 7 ଯୁବକଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଏହା ମଧ୍ୟ ପଢନ୍ତୁ :- କେମିକାଲ ବୋଝେଇ ଚଳନ୍ତା କଣ୍ଟେନରରେ ଲାଗିଲା ନିଆଁ - container caught fire
ଏବେ ମୌସୁମୀ ଋତୁ ଚାଲିଥିବାରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । କିଛି ସ୍ଥାନରେ ବନ୍ୟା ପରି ସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଏପରି ସମୟରେ ବିପଦପୂର୍ଣ୍ଣ ସ୍ଥାନକୁ ନଯିବା ପାଇଁ ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । କିଛି ଅସୁରକ୍ଷିତ ଓ ସମ୍ବେଦନଶୀଳ ସ୍ଥାନରେ ପୋଲିସ କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ