ଲକ୍ଷ୍ନୌ: ଆସନ୍ତାକାଲି ରାମ ଜନ୍ମଭୂମି ଅଯୋଧ୍ୟାରେ ହେବାକୁ ଥିବା ବହୁପ୍ରତୀକ୍ଷିତ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମଗ୍ର ଅଯୋଧ୍ୟା ସହର ଓ ମନ୍ଦିର ପରିସରରେ 10 ହଜାର ସିସିଟିଭି ଇନଷ୍ଟଲ କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ସହ ସାଧା ପୋଷାକରେ ମଧ୍ୟ ପୋଲିସ ମୁତୟନ ରହିବେ । ସହରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଅପରେଟେଡ ଡ୍ରୋନ ମଧ୍ୟ ଏରିଆଲ ସର୍ଭିଲାନ୍ସରେ ନିୟୋଜିତ ହୋଇଛି । ପୋଲିସ, ଗୁଇନ୍ଦା, ଏଟିଏସ ସମେତ ତମାମ କେନ୍ଦ୍ରୀୟ ଫୋର୍ସ ଅଯୋଧ୍ୟା ଓ ସମଗ୍ର ଉତ୍ତର ପ୍ରଦେଶ ଉପରେ କଡା ନଜର ରଖିଛନ୍ତି ।
ଆଜିଠାରୁ ନିମନ୍ତ୍ରିତ ଅତିଥିମାନେ ଅଯୋଧ୍ୟାରେ ପହଞ୍ଚିବା ଆରମ୍ଭ କଲେଣି । ଅଯୋଧ୍ୟାରେ ନବନିର୍ମିତ ବିମାନ ବନ୍ଦରରୁ ସହରର ବିଭିନ୍ନ ପ୍ରମୁଖ ସ୍ଥାନ ଓ ମନ୍ଦିର ପରିସର ପର୍ଯ୍ୟନ୍ତ ବହୁସ୍ତରୀୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଯୋଧ୍ୟା ରେଳ ଷ୍ଟେସନରେ ମଧ୍ୟ ବହୁମାତ୍ରାରେ ଫୋର୍ସ ମୁତୟନ ହୋଇଛନ୍ତି । ସହରର ନିୟମିତ ପାଟ୍ରୋଲିଂ ମଧ୍ୟ ଜାରି ରହିଛି । ଉତ୍ତର ପ୍ରଦେଶ ପୋଲିସ, ଏନଏସଜି କମାଣ୍ଡୋ ସହରରେ ପ୍ରହରା ଦେଉଛନ୍ତି । ରେଳ ଷ୍ଟେସନରେ ଆରପିଏଫ ସହ ସିଆରପିଏଫ ଓ ବିମାନ ବନ୍ଦରରେ ସିଆଇଏସଏଫର ଯବାନମାନେ ନିୟୋଜିତ ରହିଛନ୍ତି । ସେହିପରି ପୁରା ଗୁଇନ୍ଦା ବିଭାଗ ସମନ୍ବୟରେ ଆତଙ୍କବାଦ ନିରୋଧୀ ସ୍କ୍ୱାଡ (ଏଟିଏସ) ସମସ୍ତ ସନ୍ଦେଜଜନକ କାର୍ଯ୍ୟକଳାପ ଓ ସୋସିଆଲ ମିଡିଆ ଗତିବିଧି ଉପରେ କଡା ନଜର ରଖିଛି ।
ଅଯୋଧ୍ୟାରେ ଏଆଇ ପାଓ୍ବାର୍ଡ ଡ୍ରୋନ ସାହାଯ୍ୟରେ ଏରିଆଲ ପାଟ୍ରୋଲିଂ ମଧ୍ୟ ଜାରି ରହିଛି । ଏକାଧିକ ପୋଲିସ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି । କୌଣସି ଅପ୍ରୀତିକର ସ୍ଥିତି ପାଇଁ ଜାତୀୟ ପ୍ରଶମନ ବଳ (ଏନଡିଆରଏଫ) ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ମନ୍ଦିର ପରିସରରେ ଏନଡିଆରଏଫର ଏକ କ୍ୟାମ୍ପ ମଧ୍ୟ ସ୍ଥାପିତ ହୋଇସାରିଛି । ଏନଡିଆରଏଫ ଗୋଟିଏ ଟିମ ଓ ଉତ୍ତର ପ୍ରଦେଶ ଏସଡିଆରଏଫର ଏକାଧିକ ଟିମ ସରାୟୁ ନଦୀଘାଟରେ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବ ।
ଏହା ମଧ୍ୟ ପଢନ୍ତୁ :- ‘ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଆରମ୍ଭ ହେବ ଭାରତବର୍ଷ ପୁନର୍ଗଠନ ଅଭିଯାନ’
ସହରର ବିଭିନ୍ନ ସ୍ଥାନରେ ସାଧା ପୋଷାକରେ ପୋଲିସ ଅଧିକାରୀ ନିୟୋଜିତ ରହିଛନ୍ତି । ଏନଏସଜି ସ୍ନାଇପର କମାଣ୍ଡୋ ମଧ୍ୟ ଆଲର୍ଟ ମୋଡରେ ରହିଛନ୍ତି । ଦେଶର ବିଭିନ୍ନ ସ୍ଥାନ ଓ ବିଦେଶରୁ ନିମନ୍ତ୍ରିତ ଅତିଥିମାନେ ଅଂଶଗ୍ରହଣ କରୁଥିବାରୁ ସହରର ବିଭିନ୍ନ ସ୍ଥାନରେ ବହୁଭାଷୀ ସୂଚନା ଫଳକ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିରେ ଭାରତୀୟ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନ ପାଇଥିବା ସମସ୍ତ ଭାଷା ସହ ଜାତିସଂଘ ଦ୍ବାରା ଅନୁମୋଦିତ 6 ବିଦେଶୀ ଭାଷାରେ ମଧ୍ୟ ନିୟମିତ ସୂଚନା ପ୍ରସାରିତ ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ