ଅମରାବତୀ: ନିର୍ବାଚନରେ ସ୍କୁଲ ପିଲା ଦେବେ ଭୋଟ ! ଭୋଟର ଲିଷ୍ଟରେ ରହିଛି ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ନାଁ । ଏପରି ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲାରୁ । ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲାର ପେଡାକୁରାପଡୁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏମ୍ମାଜିଗୁଡେମ ଅଞ୍ଚଳରେ ଅନେକ ନାବାଳକଙ୍କ ନାମ ଭୋଟର ତାଲିକାରେ ରହିଛି । ବିରୋଧୀ ତେଲୁଗୁ ଦେଶମ ପାର୍ଟିର ଅଭିଯୋଗ ଅନୁସାରେ ୧୨ରୁ ୧୬ ବର୍ଷ ମଧ୍ୟରେ ହାଇସ୍କୁଲ ପଢୁଥିବା ୧୦ ଜଣ ପିଲାଙ୍କ ନାଁ ତାଲିକାରେ ରହିଛି । ଏ ସମସ୍ତ ପିଲାଙ୍କ ଭୋଟିଂ କେନ୍ଦ୍ର ପୋଲିଂ ବୁଥ ନମ୍ବର ୨୮ ବୋଲି ଜଣାପଡିଛି ।
ଉକ୍ତ ଛାତ୍ରଛାତ୍ରୀ ହେଉଛନ୍ତି ଓରସୁ ଚନ୍ଦ୍ରକଳା (ନବମ), ଓରସୁ ଶିବଗୋପୀ (ଦଶମ), ତମ୍ମିସେଟ୍ଟି ମହାଲକ୍ଷ୍ମୀ (ଅଷ୍ଟମ), ଓରସୁ ଲକ୍ଷ୍ମୀ ଥିରୁପଟାମ୍ମା ( ସପ୍ତମ), ରାଭୁରି ମନୋଜ କୁମାର (ଦଶମ), ଥୁରାକା ନିଲିମା (ନବମ) , ନନ୍ଦାଲ୍ୟା ବସବି (ନବମ), ବାଥୁଲା ଶିବ ପୂଜିତା (ଅଷ୍ଟମ), ଜାଲି ଦିବ୍ୟା (ଇଣ୍ଟର ପ୍ରଥମ ବର୍ଷ ) ଓ କୁରାକୁଲା ହିମାବିନ୍ଦୁ (ଦଶମ) । ଏସବୁ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରିଥିବା ବିଏଲଓ କିରଣ ଦାୟୀ ବୋଲି ତେଲୁଗୁ ଦେଶମ ପାର୍ଟି ଅଭିଯୋଗ କରିଛି ।
ଏହା ମଧ୍ୟ ପଢନ୍ତୁ... ଖାଇବା ଥାଳିରେ ମହଙ୍ଗା ମାଡ, ଆମିଷ ଅପେକ୍ଷା ବଢିଛି ନିରାମିଷ ଖାଦ୍ୟର ଦର
ତେବେ ଏ ପ୍ରକାର ତ୍ରୁଟି ସମ୍ପର୍କରେ ବିଏଲଓ କିରଣଙ୍କୁ ପଚାରିବାରୁ ସେ ଅତି ଦାୟିତ୍ୱହୀନ ଉତ୍ତର ଦେଇଥିଲେ, ଯାହାକୁ ନେଇ ତେଲୁଗୁ ଦେଶମ ପାର୍ଟିର ନେତାମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏ ଘଟଣା ପୂର୍ବରୁ ୱାଇଏସଆର କଂଗ୍ରେସର ବିଧାୟକଙ୍କ ବିବାଦୀୟ ଅଡିଓ ଭାଇରାଲ ହୋଇଛି । କିଛି ଦିନ ପୂର୍ବରୁ ୱାଇଏସଆର କଂଗ୍ରେସର ବିଧାୟକ ନାମ୍ବୁରୀ ଶଙ୍କର ରାଓ ନିଜର ପାର୍ଟିର ନେତା ଓ କର୍ମୀମାନଙ୍କୁ କେବଳ ୱାଇଏସଆର କଂଗ୍ରେସକୁ ସମର୍ଥନ କରୁଥିବା ଲୋକଙ୍କ ନାଁ ଭୋଟର ଲିଷ୍ଟରେ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେହି ସମୟରେ ବିଧାୟକ ନାମ୍ବୁରୀ ଶଙ୍କର ରାଓ ଏମ୍ମାଜିଗୁଡେମ ଅଞ୍ଚଳରେ ପାର୍ଟି ପାଇଁ କାମ କରୁଥିବା ଜଣେ ନେତାଙ୍କୁ ଏ ପ୍ରକାର ନିର୍ଦ୍ଦେଶ ଦେଉଥିବା କଥା ସାମ୍ନାକୁ ଆସିଥିଲା । ତେବେ ସେହି ଏମ୍ମାଜିଗୁଡେମ ଅଞ୍ଚଳରେ ୱାଇଏସଆର କଂଗ୍ରେସ ସମର୍ଥକମାନଙ୍କ ନାବାଳକ ସନ୍ତାନମାନଙ୍କୁ ଭୋଟର ଭାବେ ତାଲିକାରେ ସ୍ଥାନ ଦେବା ଘଟଣା ବିବାଦକୁ ଜନ୍ମ ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ