ନୂଆଦିଲ୍ଲୀ: ଗତକାଲି ସୁପ୍ରିମକୋର୍ଟଙ୍କ ଛାଟ ପରେ ଷ୍ଟେଟ ବ୍ୟାଙ୍କ ଆଜି ନିର୍ବାଚନୀ ବଣ୍ଡ ସମ୍ବନ୍ଧୀୟ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛି । ଗତକାଲି ଶୁଣାଣିରେ ସର୍ବୋଚ୍ଚ କୋର୍ଟ ଷ୍ଟେଟବ୍ୟାଙ୍କର ଆବେଦନକୁ ଖାରଜ କରିବା ସହ 24 ଘଣ୍ଟା ମଧ୍ୟରେ ତଥ୍ୟ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛନ୍ତି । ମାତ୍ର ନିର୍ବାଚନ କମିଶନ ଏହାକୁ ସାର୍ବଜନୀନ କରିନାହାନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ,ଏହି ତଥ୍ୟ ଆୟୋଗଙ୍କ ଅଫିସିଆଲ ଓ୍ବେବ-ସାଇଟରେ ଉପଲବ୍ଧ ହେବ । ସାଧାରଣ ଲୋକେ ଏହାକୁ ଦେଖିପାରିବେ । ତେବେ ଏହି ତଥ୍ୟକୁ ଖୁବଶୀଘ୍ର ଆୟୋଗ ଏହାର ଓ୍ବବସାଇଟରେ ଅପଲୋଡ କରିବ ।
ନିର୍ବାଚନୀ ବଣ୍ଡ ମାମଲାରେ ଫେବୃଆରୀ 15 ତାରିଖରେ ଶୁଣାଣି କରି ଐତିହାସିକ ରାୟ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ମୋଦି ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଏହି ଯୋଜନାର କାର୍ଯ୍ୟକାରିତା ଅସାମ୍ବିଧାନିକ ଓ ସୂଚନା ଅଧିକାର ଅଧିନିୟମର ବିରୋଧୀ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ । ଷ୍ଟେଟବ୍ୟାଙ୍କ ତୁରନ୍ତ ଏହି ‘ନିର୍ବାଚନ ବଣ୍ଡ’ ବ୍ୟବସ୍ଥା ବନ୍ଦ କରିବା ସହ 2019 ପରଠାରୁ କେତେ ସଂଖ୍ୟକ ବଣ୍ଡ ବିକ୍ରି ହୋଇଛି ଓ କେଉଁ ରାଜନୈତିକ ଦଳକୁ କେତେ ପରିମାଣର ଦାନ ମିଳିଛି ସେ ସମ୍ପର୍କରେ ମାର୍ଚ୍ଚ 6 ତାରିଖ ସୁଦ୍ଧା ତଥ୍ୟ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ହେଲେ ଏହାକୁ ନେଇ ପରବର୍ତ୍ତୀ ସମୟରେ ପୁଣି କୋର୍ଟରେ ଦ୍ବାରସ୍ଥ ହୋଇଥିଲା ଷ୍ଟେଟବ୍ୟାଙ୍କ । ଏହି ସମୟ ସୀମାକୁ ଜୁନ 30 ତାରିଖକୁ ବୃଦ୍ଧି କରିବାକୁ ଷ୍ଟେଟବ୍ୟାଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଗତକାଲି ଏହି ଆବଦେନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ସହ ମାତ୍ର 24 ଘଣ୍ଟା (ଆଜି ସୁଦ୍ଧା) ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ଷ୍ଟେଟବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହେଲେ ଷ୍ଟେଟବ୍ୟାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବା ପାଇଁ ମଧ୍ୟ ଚେତାବନୀ ଦେଇଥିଲେ କୋର୍ଟ ।
ନିର୍ବାଚନୀ ବଣ୍ଡ କଣ ?
2018 ମସିହା ଜାନୁଆରୀ 2 ତାରିଖରେ କେନ୍ଦ୍ର ସରକାର ନିର୍ବାଚନୀ ବଣ୍ଡ ଯୋଜନା କାର୍ଯ୍ୟକାରୀ କରିଥିଲେ । ରାଜନୈତିକ ଚାନ୍ଦା ବା ଦାନ ବ୍ୟବସ୍ଥାରେ ପାରଦର୍ଶିତା ଆଣିବା ଏହି ବ୍ୟବସ୍ଥାର ଏକମାତ୍ର ଉଦ୍ଦେଶ୍ୟ ବୋଲି ସରକାରଙ୍କ ପକ୍ଷରୁ ଯକ୍ତି ବଢାଯାଇଥିଲା । ଏହି ଯୋଜନାର ନିୟମ ଅନୁଯାୟୀ, ଦେଶର କୌଣସି ନାଗରିକ କିମ୍ବା ସଂସ୍ଥା ବ୍ୟାଙ୍କରୁ ବଣ୍ଡ କ୍ରୟ କରି ରାଜନୈତିକ ଦଳକୁ ଦାନ ଦେଇପାରିବେ । ହେଲେ ଏଥିରେ ସେମାନଙ୍କ ନାମ ଓ ଅନ୍ୟ ପରିଚୟ ଗୋପନ ରଖାଯିବାର ବ୍ୟବସ୍ଥା ଥିଲା । ତେବେ ଏହି ବଣ୍ଡ ସମସ୍ତ ବ୍ୟାଙ୍କ ପରିବର୍ତ୍ତେ କେବଳ ଷ୍ଟେଟବ୍ୟାଙ୍କରେ ଉପଲବ୍ଧ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ କୋର୍ଟ ଅସିଦ୍ଧ ମଧ୍ୟ ଘୋଷଣା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ