ଡେରାଡୁନ: ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲା ହଲଦ୍ବାନୀ ହିଂସାକାଣ୍ଡ ଶାନ୍ତ ପଡ଼ିଛି ସତ ହେଲେ ଏହାକୁ ନେଇ ଜାରି ରହିଛି ବୟାନବାଜି । ଆଜି (ମଙ୍ଗଳବାର) ଯୋଗଗୁରୁ ବାବା ରାମଦେବ ଏହି ହିଂସାକାଣ୍ଡ ଉପରେ ମତ ରଖିଛନ୍ତି । ଏହି ହିଂସାକାଣ୍ଡ ଏକ ଷଡ଼ଯନ୍ତ୍ର ଥିଲା ବୋଲି ସେ କହିଛନ୍ତି । କିଛି ଲୋକ ରାଜ୍ୟରେ ଲାଗୁ ହୋଇଥିବା ଏକକ ନାଗରିକ ସଂହିତା ବା ୟୁସିସି ଆଇନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏଥିଲାଗି ହଲଦ୍ବାନୀରେ ହିଂସାକାଣ୍ଡ ଘଟାଇ ଲୋକଙ୍କୁ ଉତ୍ତେଜିତ କରିବା ଲାଗି ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି ।
ଯୋଗଗୁରୁ ବାବା ରାମଦେବ ଉତ୍ତରାଖଣ୍ଡ ଦେବପ୍ରୟାଗର ରଘୁନାଥ କୀର୍ତ୍ତି ପରିସରରେ ଥିବା କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ଉଦଘାଟନୀ ସମାରୋହରେ ପହଞ୍ଚିଥିଲେ । ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ରାମଦେବଙ୍କୁ ହଲଦ୍ବାନୀ ହିଂସାକାଣ୍ଡ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏ ନେଇ ତାଙ୍କର କଣ ମତ ବୋଲି ପ୍ରଶ୍ନରେ ବାବା ରାମଦେବ କହିଥିଲେ, " ଏକକ ନାଗରିକ ସଂହିତା ଆଇନ ଲାଗୁ କରାଯାଇ ଉତ୍ତରାଖଣ୍ଡରେ ନୂଆ କୀର୍ତ୍ତିମାନ ରଚାଯାଇଛି । ଯାହାକୁ କିଛି ଲୋକ ହଜମ କରିପାରୁନାହାନ୍ତି ।"
ଏହା ବି ପଢନ୍ତୁ- ଧରାପଡିଲା ହଲଦ୍ବାନୀ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ, ସୁଧୁରୁଛି ପରିସ୍ଥିତି
ବାବା ଆହୁରି କହିଛନ୍ତି ଯେ ଭାରତର ସମ୍ବିଧାନ ଅନୁସାରେ ଦେଶରେ ସମସ୍ତ ନାଗରିକମାନଙ୍କର ସମାନ ଅଧିକାର ରହିବା ଉଚିତ । ସମସ୍ତଙ୍କୁ ଜୀବନ ଯାପନ କରିବା ଲାଗି ସମାନ ଅଧିକାର ମିଳିବା ଆବଶ୍ୟକ । 'ଗୋଟିଏ ଦେଶ ଗୋଟିଏ ନିୟମ' ଲାଗୁ କରି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କୀର୍ତ୍ତିମାନ ରଚିଛନ୍ତି । କିନ୍ତୁ କିଛି ବିଚ୍ଛିନ୍ନତାବାଦୀ, ଆତଙ୍କବାଦୀ ଓ ଦ୍ବେଷ ଭାବ ରଖୁଥିବା ବ୍ୟକ୍ତି ଏହାକୁ ସହ୍ୟ କରିପାରୁନାହାନ୍ତି । ଏଣୁ ହଲଦ୍ବାନୀ ଭଳି ବିଶୃଙ୍ଖଳା କାଣ୍ଡ ଭିଆଉଛନ୍ତି । ହେଲେ ସେମାନେ ନିଜର ମନ୍ଦ ଉଦ୍ଦେଶ୍ୟରେ କେବେ ବି ସଫଳ ହୋଇପାରିବେ ନାହିଁ ବୋଲି କହିଛନ୍ତି ରାମଦେବ । ଉତ୍ତରାଖଣ୍ଡ ପରେ ସାରା ଦେଶରେ ଏହି ଆଇନ ଲାଗୁ ହେବା ପରେ ଦେଶ ସ୍ବାଧୀନ ହେବା ପରେ ଅଧୁରା ରହିଥିବା କାର୍ଯ୍ୟ ପୂରଣ ହେବ ବୋଲି ବାବା କହିଛନ୍ତି ।
ତେବେ ସୂଚନା ଥାଉ କି ଗତ ଫେବୃଆରୀ ୮ ତାରିଖରେ ହଲଦ୍ବାନୀର ବନଭୁଲପୁରା ଥାନା ଅଞ୍ଚଳରେ ପ୍ରଶାସନ ଏବଂ ହଲଦ୍ବାନୀ ନଗର ନିଗମର ଟିମ ବେଆଇନ ନମାଜ ପାଠ ସ୍ଥଳୀକୁ ଭାଙ୍ଗିବାକୁ ଯାଇଥିଲେ । ଏହାପରେ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଅବଦୁଲ ମଲିକ ଓ ତାର ସମର୍ଥକ ପ୍ରଥମେ ଏହାକୁ ବିରୋଧ କରିଥିଲେ । ପରେ ଉଗ୍ର ହୋଇ ସେମାନେ ଉପସ୍ଥିତ ଥିବା ପୋଲିସ ଏବଂ ପ୍ରଶାସନ ସମେତ ନଗର ନିଗମ ଟିମ୍ ଉପରେ ଆକ୍ରମଣ କରିଥିଲେ । ଏହାପରେ ଧିରେ ଧିରେ ଏହା ହିଂସାକାଣ୍ଡର ରୂପ ନେଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ