ବେଙ୍ଗାଲୁରୁ/ଶିମଲା: ଆଜି 3 ରାଜ୍ୟରେ 15 ଆସନରେ ରାଜ୍ୟସଭା ନିର୍ବାଚନ ଜାରି ରହିଥିବା ବେଳେ ଫଳାଫଳ କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି । ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ଶାସକ କଂଗ୍ରେସ 4 ଆସନ ମଧ୍ୟରୁ 3ଟିରେ ବିଜୟ ହୋଇଛି । ସେହିପରି ଭାରତୀୟ ଜନତା ପାର୍ଟି ଖାତାକୁ ଅବଶିଷ୍ଟ ଗୋଟିଏ ଆସନ ଯାଇଛି । କଂଗ୍ରେସର ବରିଷ୍ଠ ନେତା ତଥା ଜାତୀୟ କୋଷାଧ୍ୟକ୍ଷ ଅଜୟ ମାକେନ, ଡ.ସଏଦ ନାସିର ହୁସେନ ଓ ଜି.ସି ଚନ୍ଦ୍ରଶେଖର ବିଜୟ ହୋଇଛନ୍ତି । ଅଜୟଙ୍କୁ 47 ଭୋଟ ମିଳିଥିବା ବେଳେ ଅନ୍ୟ ଦୁଇ ବିଜୟୀ କଂଗ୍ରେସ ପ୍ରାର୍ଥୀ 46 ଲେଖାଏଁ ଭୋଟ ପାଇଛନ୍ତି । ଅନ୍ୟ ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ନାରାୟଣସା ଭାନ୍ଦାଗେ ବିଜୟୀ ହୋଇଛନ୍ତି । BJP-JDS ମଳିତ ପ୍ରାର୍ଥୀ କିପେନ୍ଦ୍ର ରେଡ୍ଡୀଙ୍କୁ ପରାଜିତ ହେବାକୁ ପଡିଛି । ବିଜେପି ବିଧାୟକ ଏସ.ଟି ସୋମାଶେଖର କ୍ରସଭୋଟିଂ କରି କଂଗ୍ରେସକୁ ଭୋଟ ଦେଇଥିବା ଅଭିଯୋଗ ହୋଇଛି ।
ଅନ୍ୟପଟେ ହିମାଚଳ ପ୍ରଦେଶରେ ଶାସନରେ ଥାଇ ମଧ୍ୟ ଚିତପଟାଙ୍ଗ ମାରିଛି କଂଗ୍ରେସ । ରାଜ୍ୟରେ ଗୋଟିଏ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କଂଗ୍ରେସ ପାର୍ଥୀ ତଥା ଦଳର ବରିଷ୍ଠ ନେତା ଅଭିଶେକ ମନୁ ସିଙ୍ଗଭି ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଛନ୍ତି । ବିଜେପି ପ୍ରାର୍ଥୀ ହର୍ଷ ମହାଜନ ବିଜୟ ହୋଇଥିବା ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଜୟରାମ ଠାକୁର । ଯଥେଷ୍ଟ ସଂଖ୍ୟା ଥାଇ ମଧ୍ୟ କଂଗ୍ରେସ ପ୍ରାର୍ଥୀ ପରାଜିତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭୋଟିଂ ହେବା ପରଠାରୁ ରାଜ୍ୟରେ ପ୍ରାୟ 6 ରୁ 9 ଜଣ କଂଗ୍ରେସ ବିଧାୟକ କ୍ରସଭୋଟିଂ କରିଥିବା ଖବର କ୍ରମାଗତ ଚର୍ଚ୍ଚାରେ ଥିଲା ।
ଉତ୍ତରପ୍ରଦେଶ ଏବେ ମଧ୍ୟ ଗଣତି ଜାରି ରହିଛି । ରାଜ୍ୟରେ ମୋଟ 6 ବିଧାୟକ ପାର୍ଟି ହ୍ବିପ ବିରୋଧରେ ଯାଇ କ୍ରସଭୋଟିଂ କରିଥିବା ସୂଚନା ମିଳିଛି । ରାଜ୍ୟରେ 10 ଆସନରେ 11 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ରାଜ୍ୟରେ କ୍ଷମତାରେ ଥିବା ବିଜେପି 7 ବଦଳରେ 8 ଜଣଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ଦଳ ‘ସମାଜବାଦୀ ପାର୍ଟି’ 3 ଜଣ ପ୍ରାର୍ଥୀ ଦେଇଛି । ସଂଖ୍ୟା ଅନୁସାରେ, ବିଜେପି 7 ଟି ଆସନ ଜିତିବା ଏକପ୍ରକାର ସ୍ପଷ୍ଟ ଥିଲା । ହେଲେ କ୍ରସଭୋଟିଂ ସୂଚନା ପରେ ବିଜେପି ଆସନ ସଂଖ୍ୟା ଆଉ ଗୋଟିଏକୁ ବୃଦ୍ଧି ପାଇ 8 ହୋଇପାରେ ବୋଲି ଅନୁମାନ କରାଯାଉଛି । କ୍ରସଭୋଟିଂ କରିଥିବା ବିଧାୟକଙ୍କ ବିରୋଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ଆଜି ରାଜ୍ୟସଭା ନିର୍ବାଚନ; 3 ରାଜ୍ୟର 15 ଆସନରେ ଚାଲିଛି ମତଦାନ
ଚଳିତ ଥର ଲୋକସଭା ନିର୍ବାଚନ ପୂର୍ବରୁ 15ଟି ରାଜ୍ୟର 56ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ଜାନୁଆରୀ 29ରେ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖରେ 56 ଆସନ ମଧ୍ୟରୁ 41ଟି ଆସନରେ ନିର୍ଦ୍ବନ୍ଦ୍ବରେ ପ୍ରାର୍ଥୀମାନେ ନିର୍ବାଚିତ ହୋଇଥିଲେ । ଏମାନଙ୍କ ମଧ୍ୟରେ କଂଗ୍ରେସ ଭେଟେରାନ ସୋନିଆ ଗାନ୍ଧୀ ଓ ବିଜେପି ମୁଖ୍ୟ ଜେ.ପି ନଡ୍ଡା, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଥିଲେ । ଆଜି 3 ରାଜ୍ୟରେ ଅବଶିଷ୍ଟ 15ଟି ଆସନରେ ମତଦାନ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ