ଡେରାଡୁନ: 202 ରେ ହେଲିକପ୍ଟର କ୍ରାସରେ ଶହୀଦ ହୋଇଥିବା ଦେଶର ପ୍ରଥମ ପ୍ରତିରକ୍ଷା ପ୍ରମୁଖ (ସିଡିଏସ) ଜେନେରାଲ ବିପିନ ରାଓ୍ବତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଡେରାଡୁନର ଏକ ସ୍କୁଲରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ସହ ଦିବଙ୍ଗତ ଜେନେରାଲ ରାଓ୍ବତଙ୍କୁ ଜଣେ ରୋଲମଡେଲ ଭାବେ ପ୍ରତିରକ୍ଷା ମନ୍ତ୍ରୀ ବର୍ଣ୍ଣନା କରିଛନ୍ତି । ଭାରତୀୟ ସ୍ଥଳସେନା ଇତିହାସରେ ଜେନେରାଲ ରାଓ୍ବତଙ୍କ ଦ୍ବାରା ବହୁ ସଂସ୍କାର ଆସିଥିବା କହିଛନ୍ତି ରାଜନାଥ ।
ପ୍ରତିରକ୍ଷା ମନ୍ତ୍ରୀ ଡେରାଡୁନର ଟନ୍ସ ବ୍ରିଜ୍ ସ୍କୁଲରେ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । ରାଜନାଥ କହିଥିଲେ, ଜେନେରାଲ ରାୱତଙ୍କୁ ପ୍ରତିରକ୍ଷା ପ୍ରମୁଖ (ସିଡିଏସ୍) ଭାବେ ନିଯୁକ୍ତି କରିବା ଭାରତୀୟ ସେନା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାରମୂଳକ ନିଷ୍ପତ୍ତି ଥିଲା । 3 ଭାରତୀୟ ସଶସ୍ତ୍ର ବଳର ଐକୀକରଣ ପାଇଁ ସୃଷ୍ଟି କରାଯାଇଥିବା ଏହି ପଦବୀ ସେନାର ସଶକ୍ତିକରଣ ତଥା ସେମାନଙ୍କ ସମ୍ମାନ ପ୍ରତି ସରକାରଙ୍କ ସଂକଳ୍ପକୁ ଦର୍ଶାଉଛି ବୋଲି ରାଜନାଥ କହିଥିଲେ ।
ଆହୁରି ମଧ୍ୟ ରାଜନାଥ କହିଛନ୍ତି, ମୋଦି ସରକାର ଦିଲ୍ଲୀରେ ଜାତୀୟ ଯୁଦ୍ଧସ୍ମାରକୀ ମଧ୍ୟ ନିର୍ମାଣ କରିଛନ୍ତି । ଏହା ସେନାର ପରାକ୍ରମକୁ ଏକ ଯଥାର୍ଥ ସମ୍ମାନ । ସେନାର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ନିୟମିତ ପ୍ରୟାସ ଜାରି ରଖିଛି । ସେନାକୁ ନୂତନ ତଥା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଯିବା ଜାରି ରହିଛି । କେବଳ ସେନାର ଯବାନମାନଙ୍କ ପାଇଁ ଦେଶବାସୀ ସୁରକ୍ଷାର ସହ ବଞ୍ଚୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ସୈନିକମାନଙ୍କର ସମ୍ମାନ ବଜାୟ ରଖିଛନ୍ତି ଓ ଦେଶର ସୁରକ୍ଷା ତଥା ନିରାପତ୍ତା ପାଇଁ ସେମାନଙ୍କର ଅବଦାନକୁ ମଧ୍ୟ ସମ୍ମାନ ଜଣାଇଛନ୍ତି । ଭାରତର ଅଭିବୃଦ୍ଧିର ସମସ୍ତ କ୍ଷେତ୍ରରେ ସେନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଏହା ମଧ୍ୟ ପଢନ୍ତୁ :- ରାଜ୍ୟସଭା ଯିବେ ସୋନିଆ, ରାଏ ବରେଲୀରୁ ନିର୍ବାଚନରେ ଡେବ୍ୟୁ କରିବେ ପ୍ରିୟଙ୍କା !
ଏଠାରେ ସୂଚନାଯୋଗ୍ୟ ଯେ, 2021 ମସିହା ଡିସେମ୍ବର 8 ତାରିଖ ତାମିଲନାଡୁ କୁନ୍ନୁରେ ଭାରତୀୟ ବାୟୁସେନାର ହେଲିକପ୍ଟର କ୍ରାସରେ ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କ ନିଧନ ହୋଇଥିଲା । ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ 12 ଜଣଙ୍କୁ ନେଇ ଉଡ଼ାଣ ଭରିଥିବା ବାୟୁସେନା ହେଲିକପ୍ଟର ଏମଆଇ-17 ଭି-5 ଖରାପପାଗ କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ସିଡିଏସ୍ଙ୍କ ସମେତ 13 ଜଣଙ୍କର ହେହାନ୍ତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ