ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଅପରାହ୍ନରେ ପୁଟିନଙ୍କ ସହ କଥା ହେବାର କିଛି ଘଣ୍ଟା ମଧ୍ୟରେ ଜେଲେନସ୍କିଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଉଭୟ ରାଷ୍ଟ୍ରମୁଖ୍ୟଙ୍କ ସହ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ସହ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ପୁଟିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ମଧ୍ୟ ସଂଘର୍ଷ ହ୍ରାସ କରିବା ଓ ଭାରତର ସହଯୋଗ ଜାରି ରହିବା ଦିଗରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଉଭୟ ରାଷ୍ଟ୍ରମୁଖ୍ୟ ଭାରତରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜ ଦେଶକୁ ଗସ୍ତ କରିବା ପାଇଁ ନିମନ୍ତ୍ରଣ କରିଥିବା ମଧ୍ୟ ଜଣାପଡିଛି ।
2000 ମସିହାରେ ପ୍ରଥମଥର ଋଷର ରାଷ୍ଟ୍ରପତି ହୋଇଥିବା ପୁଟିନ ଏବେ ସୁଦ୍ଧା ମୋଟ 5ଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପୁଟିନଙ୍କର ଏକାଧିକ ଥର ସାକ୍ଷାତ ଓ ଆଲୋଚନା ମଧ୍ୟ ହୋଇଛି । ଶେଷ ଥର ପାଇଁ 2018ରେ ପ୍ରଧାନମନ୍ତ୍ରୀ ଋଷ ଗସ୍ତ କରିଥିଲେ । ଏହି ସମୟରେ ନିଜେ ପୁଟିନ ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିବା ସହ ବିଦାୟ ଦେବା ପାଇଁ ଆସିଥିଲେ । ସେତେବେଳେ ଉଭୟଙ୍କ ବନ୍ଧୁତା ସମ୍ପର୍କରେ ଚର୍ଚ୍ଚା ହୋଇଥିଲା । ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ ହେବାପୂର୍ବରୁ ମଧ୍ୟ ପୁଟିନ ଥରେ ଭାରତ ଗସ୍ତରେ ଆସିଥିଲେ । ଦିଲ୍ଲୀରେ ହାଇଦ୍ରାବାଦ ହାଉସରେ ମୋଦି ଓ ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।
ଅନ୍ୟପଟେ ଗତବର୍ଷ ମେ’ 20 ତାରିଖରେ ଜାପାନର ହିରୋସୀମାରେ ଜି-7 ସମ୍ମିଳନୀ ଅବସରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିଥିଲେ ପ୍ରଧାନମନ୍ତ୍ରୀ । ଦୁଇ ରାଷ୍ଟ୍ରମୁଖ୍ଯ ଓ ଦୁଇ ଦେଶର ପ୍ରତିନିଧି ମଣ୍ଡଳୀ ମଧ୍ଯରେ ଯୁଦ୍ଧକୁ ଓ ଉତ୍ତେଜନା ହ୍ରାସ କରିବା ଦିଗରେ ଏକାଧିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଯୁଦ୍ଧ ବିଶ୍ବ ପାଇଁ ଏକ ଗମ୍ଭୀର ପ୍ରସଙ୍ଗ । ଏହା କୌଣସି ଆର୍ଥିକ କିମ୍ବା ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଭାରତ ପାଇଁ ଏକ ମାନବୀୟ ପ୍ରସଙ୍ଗ ବୋଲି କହି ପ୍ରଧାନମନ୍ତ୍ରୀ ମୋଦି ଜେଲେନସ୍କିଙ୍କୁ ଶାନ୍ତ୍ବନା ମଧ୍ୟ ଦେଇଥିଲେ । ପରେ ଭାରତ ପକ୍ଷରୁ ଏକାଧିକ ପର୍ଯ୍ୟାୟରେ ମାନବୀୟ ସହାୟତା ରାଶି ମଧ୍ୟ ୟୁକ୍ରେନକୁ ପଠାଯାଇଥିଲା । ଏବେ ଉଭୟ ନେତାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ