ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆଇଆଇଟି ବମ୍ବେରେ କ୍ୟାନସର ନିରାକରଣ ପାଇଁ ଦେଶର ପ୍ରଥମ ସ୍ବଦେଶୀ ଜିନ ଥେରାପିର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଭାରତର ପ୍ରଥମ ଜିନ୍ ଥେରାପିର ଶୁଭାରମ୍ଭ କ୍ୟାନସର ବିରୋଧରେ ଆମର ଲଢ଼େଇରେ ଏକ ବଡ଼ ସଫଳତ। "ସିଏଆର-ଟି ସେଲ ଥେରାପି" ନାମକ ଏହି ଚିକିତ୍ସା ପଦ୍ଧତି ସୁଲଭ ଏବଂ ସହଜରେ ଉପଲବ୍ଧ ହୋଇଥିବାରୁ ଏହା ସମଗ୍ର ମାନବଜାତି ପାଇଁ ଏକ ନୂତନ ଆଶା ପ୍ରଦାନ କରିବ । ଏହା ଅଗଣିତ କ୍ୟାନସର ପୀଡିତଙ୍କୁ ନୂଆ ଜୀବନ ଦେବାରେ ସଫଳ ହେବ ବୋଲି ସେ ଆସ୍ଥା ପ୍ରକଟ କରିଛନ୍ତି ।
କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ‘ସି ଏଆର-ଟି’ ସେଲ୍ ଥେରାପି ଚିକିତ୍ସା ବିଜ୍ଞାନରେ ସବୁଠାରୁ ଅଭୂତପୂର୍ବ ଅଗ୍ରଗତି ବୋଲି ବିବେଚନା କରାଯାଏ । ବିକଶିତ ଦେଶମାନଙ୍କରେ ଏହା କିଛି ଦିନ ହେବ ଉପଲବ୍ଧ ହେଉଛି । କିନ୍ତୁ ଏହା ଅତ୍ୟନ୍ତ ବ୍ୟୟବହୁଳ । ବିଶ୍ୱର ଅଧିକାଂଶ ରୋଗୀ ଏହାକୁ ଉପଲବ୍ଧ କରିବା ସମ୍ଭବ ନୁହେଁ । ଆଜି ଆରମ୍ଭ ହେଉଥିବା ଥେରାପି ବିଶ୍ୱର ସବୁଠାରୁ ସୁଲଭ ସିଏଆର୍-ଟି ସେଲ୍ ଥେରାପି ହେବ । ଏହା ମଧ୍ୟ 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନର ଓ 'ଆତ୍ମନିର୍ଭର ଭାରତ'ର ଏହା ଏକ ଜ୍ୱଳନ୍ତ ଉଦାହରଣ ।
ଆଇଆଇଟି ବମ୍ବେ, ଟାଟା ମେମୋରିଆଲ ହସ୍ପିଟାଲ ସହଯୋଗରେ ଭାରତର ପ୍ରଥମ ସିଏଆର୍-ଟିସେଲ୍ ଥେରାପି ବିକଶିତ ହୋଇଛି ବୋଲି ରାଷ୍ଟ୍ରପତି ଆନନ୍ଦିତ ହୋଇଛନ୍ତି । ସେ କହିଛନ୍ତି ଯେ ଏହା ଶିକ୍ଷା-ଶିଳ୍ପ ଭାଗିଦାରୀର ଏକ ପ୍ରଶଂସନୀୟ ଉଦାହରଣ, ଯାହା ଆହୁରି ଅନେକ ଏହିପରି ପ୍ରୟାସକୁ ପ୍ରେରଣା ଦେବା ଉଚିତ । ଆଇଆଇଟି ବମ୍ବେ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ପ୍ରଯୁକ୍ତିବିଦ୍ୟା ଶିକ୍ଷାର ଏକ ମଡେଲ ଭାବରେ ପ୍ରତିଷ୍ଠା ଅର୍ଜନ କରିଛି । ସିଏଆର-ଟି ବିକାଶରେ ଟେକ୍ନୋଲୋଜିକୁ କେବଳ ମାନବିକତାର ସେବାରେ ନିୟୋଜିତ କରାଯାଉନାହିଁ । ବରଂ ଅନ୍ୟ କ୍ଷେତ୍ରର ପ୍ରତିଷ୍ଠିତ ଅନୁଷ୍ଠାନ ତଥା ଶିଳ୍ପ ସହ ଭାଗିଦାରୀ ମଧ୍ୟ କରାଯାଇଛି । ଗତ ତିନିଦଶନ୍ଧି ଧରି ଆଇଆଇଟି-ବମ୍ବେ ଗବେଷଣା ଏବଂ ବିକାଶ ଉପରେ ଯେଉଁ ଧ୍ୟାନ ଦେଇଛି, ତାହା ଦ୍ୱାରା ଏହା ସମ୍ଭବ ହୋଇଛି । ଆଇଆଇଟି ବମ୍ବେ ଏବଂ ଅନ୍ୟାନ୍ୟ ଅନୁରୂପ ଅନୁଷ୍ଠାନର ଅଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କ ଜ୍ଞାନ ଭିତ୍ତିଭୂମି ଏବଂ ଦକ୍ଷତା ଦ୍ୱାରା ଭାରତ ବର୍ତ୍ତମାନ ଚାଲିଥିବା ବୈଷୟିକ ବିପ୍ଳବରୁ ବହୁତ ଉପକୃତ ହେବ ବୋଲି ରଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର