ନୂଆଦିଲ୍ଲୀ: ପାଠ ପଢାଇଲେ ମାଡାମ ପ୍ରେସିଡେଣ୍ଟ । ପୁଣି ଏକ ନୂଆ ଷ୍ଟାଇଲ ଏବଂ ନୂଆ ଅନ୍ଦାଜରେ ସାମ୍ନାକୁ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କେନ୍ଦ୍ରୀୟ ବିଦ୍ୟାଳୟ ପିଲାଙ୍କୁ ପାଠ ପଢାଇଲେ ରାଷ୍ଟ୍ରପତି । ଦିଲ୍ଲୀ ରାଷ୍ଟ୍ରପତି ଭବନ ପରିସରରେ ଥିବା ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସୁରକ୍ଷା ନେଇ ପାଠ ପଢାଇଛନ୍ତି ରାଷ୍ଟ୍ରପତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରେଣୀ ଗୃହରେ ପ୍ରବେଶ କରିବା ପରେ ସେ ପିଲାଙ୍କ ସହ ଦୀର୍ଘ ସମୟ କଥା ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଛାତ୍ରଛାତ୍ରୀ ମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ଅତି ନିକଟରୁ ଦେଖି ଭାରି ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ଏହା ପରେ ପିଲାମାନଙ୍କୁ ସେମାନଙ୍କର ପ୍ରିୟ ବିଷୟ ବିଷୟରେ ପଚାରିଥିଲେ ମହାମହିମ । ଅନେକ ପିଲା ଡାକ୍ତର ଏବଂ ଇଞ୍ଜିନିୟର ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏଥିରେ ରାଷ୍ଟ୍ରପତି ନିଜର ଖୁସି ବ୍ୟକ୍ତ କରିଥିଲେ ।
ସେହିପରି ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସୁରକ୍ଷା ପ୍ରସଙ୍ଗରେ ରାଷ୍ଟ୍ରପତି ପିଲାମାନଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ଆମକୁ ଛଅଟି ଋତୁ ବିଷୟରେ ଶିକ୍ଷା ଦିଆଯାଇଛି । କିନ୍ତୁ ଆମେ କେବଳ 3ଟି ଅନୁଭବ କରୁଛେ । ଏଥିରେ ମଧ୍ୟ ଅଧିକ ସମୟ ଗରମ ଅନୁଭବ ହେଉଛି । ଏହାର କାରଣ ହେଉଛି ଗ୍ଲୋବାଲ ୱାର୍ମିଂ । ବିଶ୍ୱ ତାପମାତ୍ରା ପରିବର୍ତ୍ତନରେ କେବଳ ମଣିଷ ନୁହେଁ ପଶୁମାନଙ୍କୁ ମଧ୍ୟ ପ୍ରଭାବିତ ହୋଇଥାନ୍ତି । ଏନେଇ ରାଷ୍ଟ୍ରପତି ପିଲାମାନଙ୍କ ସହ ଅନେକ ସମୟ ଧରି ଆଲୋଚନା କରିଥିଲେ । ଗ୍ଲୋବାଲ ୱାର୍ମିଂ ବିଷୟରେ ଆମେ କ'ଣ କରିବା ଉଚିତ୍ ସେ ସମ୍ପର୍କରେ ସେମାନଙ୍କ ମତାମତ ଗ୍ରହଣ କରିଥିଲେ । ଜଳବାୟୁ ପରିବର୍ତ୍ତନ ବନ୍ଦ କରିବାକୁ ପିଲାମାନେ ପରାମର୍ଶ ମାଗିଥିଲେ । ଏହି ସମୟରେ ସେ କହିଥିଲେ ଯେ, ଗଛ ଆମର ପୂର୍ବଜ ।
ଏହା ମଧ୍ୟ ପଢନ୍ତୁ: ବଜେଟ ଉପସ୍ଥାପନ ପୂର୍ବରୁ କାହିଁକି ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆନ୍ତି ରାଷ୍ଟ୍ରପତି ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଏକ ପେଡ୍ ମାଆ କେ ନାମ’ ବିଷୟରେ ମଧ୍ୟ ପିଲାମାନଙ୍କୁ କହିଥିଲେ ରାଷ୍ଟ୍ରପତି । ସେହିପରି ଛାତ୍ରମାନଙ୍କୁ ନିଜ ଜନ୍ମଦିନରେ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ଜନ୍ମଦିନରେ ଯେପରି ଏକ କେକ୍ କାଟି ଦିଆଯାଏ, ସେହିଭଳି ଏକ ବୃକ୍ଷ ମଧ୍ୟ ଲଗାଇବା ଉଚିତ୍ । ଏହାସହ ନିଜର ପିଲା ଦିନ ସମ୍ପର୍କରେ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ