ଡେରାଡୁନ: ଧରାପଡିଲା ହଲଦ୍ବାନୀ ହିଂସାର ମାଷ୍ଟରମାଇଣ୍ଡ । ହିଂସାକାଣ୍ଡ ପଛରେ ଥିବା ଅବଦୁଲ ମଲିକ ଏବଂ ତାର ପୁଅକୁ ପୋଲିସ ଗିରଫ କରିଛି । ସେପଟେ ଉତ୍ତରାଖଣ୍ଡର ହଲଦ୍ବାନୀରେ ବ୍ୟାପିଥିବା ହିଂସା ଏବେ ଧୀରେ ଧୀରେ ଶାନ୍ତ ହେବାକୁ ଲାଗିଛି । ପୋଲିସ କିଛି ଇଲାକାରେ କର୍ଫ୍ୟୁ ମଧ୍ୟ ହଟାଇଦେଇଛି । କିନ୍ତୁ ବନଭୁଲପୁରା ଥାନା ଅନ୍ତର୍ଗତ ଅଞ୍ଚଳରେ ଏବେ ମଧ୍ୟ କର୍ଫ୍ୟୁ ବଳବତ୍ତର ରହିଛି । ସେହିପରି ଏହି ହିଂସାରେ ସାମିଲ ଥିବା ଅପରାଧୀମାନଙ୍କ ଉପରେ ପୋଲିସ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛି । ଏସମ୍ପର୍କରେ ନୈନିତାଲ ଏସଏସପି ପ୍ରହ୍ଲାଦ ନାରାୟଣ ମୀଣା ସୂଚନା ଦେଇଛନ୍ତି ।
ହଲଦ୍ବାନୀ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଅବଦୁଲ ମଲିକ ଏବଂ ତାର ପୁଅ ବୋଲି ଜଣାପଡିଛି । ଯାହାଙ୍କୁ ପୋଲିସ ଗିରଫ କରିସାରିଛି । ସେହିପରି ସମାଜବାଦୀ ପାର୍ଟିର ନେତା ମତୀନ ସିଦ୍ଦିକିର ଭାଇ ଜାଭେଦ ସିଦ୍ଦିକିକୁ ପୋଲିସ ଗିରଫ କରିଛି । ଏମାନଙ୍କ ଉପରେ ହିଂସାକୁ ଉସକାଇବାର ଅଭିଯୋଗ ରହିଛି । ନୈନିତାଲ ଏସପି କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ହଲଦ୍ବାନୀ ହିଂସାରେ ପୋଲିସ ପକ୍ଷରୁ ୩ଟି ମାମଲା ରୁଜୁ କରାଯାଇଛି । ଏ ମାମଲାରେ ନାମ ଜଣା ଥିବା ୧୯ ଜଣଙ୍କ ସମେତ ୫ ହଜାର ଲୋକଙ୍କ ଉପରେ ମାମଲା ରୁଜୁ ହୋଇଛି । ସେହି ୧୯ ଜଣଙ୍କ ମଧ୍ୟରେ ୬ ଜଣଙ୍କୁ ପୋଲିସ ଗିରଫ କରିସାରିଛି । ଏହା ସହ ବନଭୁଲପୁରା ଥାନା ଅଞ୍ଚଳରେ ଉଗ୍ର ହୋଇଯାଇଥିବା ହିଂସାକୁ କାବୁ କରିବା ପାଇଁ ମାଜିଷ୍ଟ୍ରେଟ ଗୁଳିଚାଳନାର ଆଦେଶ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ ... ଉଗ୍ରରୂପ ନେଉଛି ହାଲଦୱାନି ହିଂସାକାଣ୍ଡ: ମୃତ୍ୟୁସଂଖ୍ୟା 4କୁ ବୃଦ୍ଧି, ଶହେ ପୋଲିସଙ୍କ ସମେତ 300 ଆହତ
ପ୍ରକାଶ ଯୋଗ୍ୟ ଯେ ହଲଦ୍ବାନୀରେ ମଲିକ ବଗିଚାରେ ଅବୈଧ ନିର୍ମାଣ ଅବ୍ଦୁଲ ମଲିକ କରିଥିଲା । ପୋଲିସ ଅନୁସାରେ ଗତ ଗୁରୁବାର ଅର୍ଥାତ ୮ ତାରିଖ ସନ୍ଧ୍ୟାରେ ପ୍ରଶାସନ ଏବଂ ହଲଦ୍ବାନୀ ନଗର ନିଗମର ଟିମ୍ ଯେବେ ନିର୍ମାଣକୁ ଭାଙ୍ଗିବା ପାଇଁ ଯାଇଥିଲେ ସେତେବେଳେ ଅବଦୁଲ ମଲିକ ଓ ତାର ସମର୍ଥକ ପ୍ରତିରୋଧ କରିଥିଲେ । ପରେ ଉଗ୍ର ହୋଇ ସେମାନେ ଉପସ୍ଥିତ ଥିବା ପୋଲିସ ଏବଂ ପ୍ରଶାସନ ସମେତ ନଗର ନିଗମ ଟିମ୍ ଉପରେ ଆକ୍ରମଣ କରିଥିଲେ ।
ଘଟଣାସ୍ଥଳରେ ବ୍ୟାପକ ଜଳାପୋଡା ମଧ୍ୟ ହୋଇଥିଲା । ପୋଲିସ ଗାଡି ସହ ଏକାଧିକ ଗାଡିରେ ଉପଦ୍ରବକାରୀମାନେ ନିଆଁ ଲଗାଇ ଦେଇଥିଲେ । ପ୍ରାୟ 70ଟି ଗାଡି ଜଳିଯାଇଥିବା ସୂଚନା ରହିଛି । ଏହାପରେ ପୋଲିସ ସେମାନଙ୍କ ଉପରେ ଗୁଳି ଚଳାଇଥିଲା । ପୋଲିସ ଗୁଳିରେ 6 ଜଣଙ୍କର ମୃତ୍ୟୁ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଜାରି କରିଛି । ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରାଯିବା ସହ ଦଙ୍ଗାକାରୀଙ୍କୁ ଦେଖିବାମାତ୍ରେ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ