ଲକ୍ଷ୍ନୌ: ପୋଲିସର ବଦାନ୍ୟତା । ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଅପରାଧିର ଝିଅର ବିବାହ କରାଇଲା ପୋଲିସ । ନିଜ ଝିଅ ଭଳି ବହୁ ଆଡମ୍ବର ସହ ଖୁବ ଧୁମଧାମରେ କରାଇଲେ ବିବାହ । ଭୋଜି ଠାରୁ ଆରମ୍ଭ କରି ଝିଅର ବିଦାୟୀ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରିଥିଲା ପୋଲିସ । ପୋଲିସର ଏଭଳି କାମକୁ ପ୍ରଶଂସା କରାଯାଉଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଜାଲାଉନ୍ ଅଞ୍ଚଳରେ ।
ଗତ ବର୍ଷ ଅପରାଧୀଙ୍କୁ ହତ୍ୟା କରିଥିଲା ପୋଲିସ:
2023 ମେ 10 ତାରିଖରେ ଉତ୍ତରପ୍ରଦେଶର ଓରାଇ କୋତୱାଲି ଅଞ୍ଚଳର ରାଜପଥ ପୋଷ୍ଟ ନିକଟରେ ଡ୍ୟୁଟିରେ ଥିବା ଜଣେ ପୋଲିସ କନେଷ୍ଟବଳ ଭେଦଜିତ ସିଂହଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଏହି ଘଟଣାର 4 ଦିନ ପରେ କନେଷ୍ଟବଳଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ରମେଶ ରାୟକବାର ଓ କଲ୍ଲୁ ଆହିରବାରଙ୍କୁ ପୋଲିସ ଏନକାଉଣ୍ଟର କରି ହତ୍ୟା କରିଥିଲା । ଏହା ପରେ ଏନକାଉଣ୍ଟର ମୃତ୍ୟୁବରଣ କରିଥିବା ରମେଶର 2ଟି ଝିଅ ଓ ଗୋଟିଏ ପୁଅର ପ୍ରତିପୋଷଣ ଓ ବିବାହର ଦାୟିତ୍ବ ନେଇଥିଲା ପୋଲିସ । ଗତ ଶନିବାର ରମେଶର ବଡ଼ ଝିଅ ଶିବାଙ୍ଗୀର ବିବାହ ଖୁବ ଧୁମଧାମରେ କରିଛି ପୋଲିସ ।
ନିଜ ଝିଅ ଭଳି ବିବାହ କରାଇବା ସହ ଉପହାର ଦେଲା ପୋଲିସ:
ତେବେ ରମେଶର ବଡ଼ ଝିଅ ଶିବାଙ୍ଗୀର ବିବାହ ଝାନ୍ସିର ମୋଣ୍ଠ ଥାନା ଅନ୍ତର୍ଗତ ମଗରୋରାକେ ଗ୍ରାମର ବାସିନ୍ଦା ମଲଖାନଙ୍କ ପୁଅ ମୋନୁ ରାୟକବାରଙ୍କ ସହ କରାଯାଇଛି । ଏହି ବିବାହ ଉତ୍ସବରେ ରମେଶର ଏନକାଉଣ୍ଟର କରିଥିବା ପୋଲିସ ଟିମର ଗିର୍ଜା ଶଙ୍କର ତ୍ରିପାଠୀ, କୋଟୱାଲ ଶିବ କୁମାର ରାଠୋର ଓ କନଷ୍ଟେବଳ ଅମିତ ଦୁବେ ପ୍ରମୁଖ ଉପସ୍ଥିତ ଥିଲେ । କେବଳ ସେତିକି ନୁହେଁ ବିବାହରେ ଭୋଜିର ବ୍ୟବସ୍ଥା ମଧ୍ୟ କରିଥିଲେ । ଏହା ସହ ଉପହାର ସ୍ବରୂପ ମୋଟରସାଇକେଲ, ଫ୍ରିଜ୍, ୱାସିଂ ମେସିନ୍, ଟିଭି, କୁଲର୍, ସୋଫା, ଖଟ, ଗ୍ୟାସ୍ ଚୁଲା, ବାସନକୁସନ, ମୋବାଇଲ୍ ଫୋନ୍ ସହିତ ଅନେକ ଅଳଙ୍କାର ମଧ୍ୟ ଦେଇଛି ପୋଲିସ ।
ଏହା ମଧ୍ୟ ପଢ଼ନ୍ତୁ...ତୁଷାରପାତ ବେଳେ 'ବ୍ୟାଣ୍ଡ-ବାଜା-ବାରାତ'
ପୋଲିସ କାର୍ଯ୍ୟରେ ଖୁସି ରମେଶର ଝିଅ ଓ ସ୍ତ୍ରୀ:
ସେପଟେ ପୋଲିସର ଏହି ବ୍ୟବସ୍ଥାରେ ରମେଶର ଝିଅ ଶିବାଙ୍ଗୀ ଏବଂ ତାଙ୍କ ପତ୍ନୀ ତାରା ବହୁତ ଖୁସିଥିବା ଜଣାପଡ଼ିଛି । ଏନେଇ ଝିଅ ଶିବାଙ୍ଗୀ କହିଛନ୍ତି ଯେ, ତାଙ୍କ ପାଇଁ ପୋଲିସ ଏତେ ସବୁ ବ୍ୟବସ୍ଥା କରିଥିବାରୁ ସେ ବହୁତ ଖୁସି । ବାପା ଯେଉଁ କାମ କରିଥିଲେ ସେଥିପାଇଁ ତାଙ୍କୁ ଦଣ୍ଡ ମିଳିଛି । କିନ୍ତୁ ପୋଲିସ କେବେ ମଧ୍ୟ ବାପାଙ୍କ ଅନୁପସ୍ଥିତିକୁ ଅନୁଭବ କରିବାକୁ ଦେଇନାହାନ୍ତି । ନିଜ ଝିଅ ଭଳି ବିବାହ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି । ଏହାସହ ରମେଶଙ୍କ ପତ୍ନୀ ତାରା ମଧ୍ୟ ପୋଲିସର ଏହି ବ୍ୟବସ୍ଥାରେ ସମ୍ପୁର୍ଣ୍ଣ ଖୁସି ଅଛନ୍ତି ।
ଏନେଇ ତାରା କହିଛନ୍ତି ଯେ, ଝିଅର ବିବାହ ପାଇଁ ପୋଲିସ ସମସ୍ତ ବ୍ୟବସ୍ଥା କରିଛି । ବିବାହ ପାଇଁ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନାହିଁ । ବିବାହ ପାଇଁ ସାଜସଜ୍ଜା ଠାରୁ ଆରମ୍ଭ କରି ଭୋଜିର ବ୍ୟବସ୍ଥା ମଧ୍ୟ ପୋଲିସ ଅଧିକାରୀମାନେ କରିଛନ୍ତି । ତାଙ୍କ ଚିନ୍ତା ଥିଲା ଯେ, ସେ କିପରି ଝିଅର ବିବାହ କରାଇବେ । କିନ୍ତୁ ପୋଲିସ କର୍ମଚାରୀମାନେ ଝିଅର ବିବାହ ଖୁବ ଧୁମଧାମରେ କରିଛନ୍ତି । ତେବେ ପୋଲିସର ଏଭଳି କାମକୁ ସବୁଠାରେ ପ୍ରଶଂସା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ