ନୂଆଦିଲ୍ଲୀ: ଆଜି ଅମୃତ ଭାରତ ରେଳ ଷ୍ଟେସନ ପୁନଃବିକାଶ ଯୋଜନା ଅଧିନରେ ଦେଶର 553ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିବେ ମୋଦି । 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଏହି ଷ୍ଟେସନ ଗୁଡ଼ିକୁ 19 ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟରେ ପୁନଃବିକଶିତ କରାଯିବ । ସେଥି ମଧ୍ୟରୁ ଓଡିଶାର 21 ଷ୍ଟେସନ ମଧ୍ୟ ରହିଛି ।
ଓଡିଶାର 21 ଷ୍ଟେସନର ଶିଳାନ୍ୟାସ: 21 ଷ୍ଟେସନର ପୁନଃବିକାଶ ପାଇଁ 900 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହି ତାଲିକାରେ ପାନପୋଷ, ବାଲେଶ୍ବର, ବେତନଟୀ, ସମ୍ବଲପୁର ସିଟି, ଝାରସୁଗୁଡ଼ା ରୋଡ, ପାରାଦୀପ, କେନ୍ଦୁଝରଗଡ଼, ଭଦ୍ରକ, ଟିଟିଲାଗଡ଼, ବିମଳାଗଡ଼, ଜରୋଳି, ରାଇରଙ୍ଗପୁର, କେସିଙ୍ଗା, ରାୟଗଡ଼ା, ପାରଳାଖେମୁଣ୍ଡି, କୋରାପୁଟ, ଜୟପୁର, ତାଳଚେର, ରଘୁନାଥପୁର, ବେଲପାହାଡ଼ ଓ ବ୍ରଜରାଜନଗର ଭଳି ପ୍ରମୁଖ ଷ୍ଟେସନ ରହିଛି । ପୂର୍ବତଟ ରେଳବାଇ ଜୋନ ମଧ୍ୟରେ 22ଟି ଅମୃତ ଭାରତ ରେଳ ଷ୍ଟେସନରେ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଏହା ମଧ୍ୟ ପଢନ୍ତୁ-ବଦଳିବ ଓଡିଶାରେ ୨୧ଟି ରେଳ ଷ୍ଟେସନର ରୂପରେଖ
ଶିଳାନ୍ୟାସ ହେବାକୁ ଥିବା ଷ୍ଟେସନ ଗୁଡିକରେ ଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଇବା ଯୋଜନା କରାଯାଇଛି । ଷ୍ଟେସନ ଗୁଡିକରେ ଏୟାର କନକର୍ସ, ରୁଫ୍ ପ୍ଲାଜା, ସୁନ୍ଦର ଲ୍ୟାଣ୍ଡସ୍କେପିଂ, ପ୍ରତୀକ୍ଷା କ୍ଷେତ୍ର, ଶୌଚାଳୟ ସୁବିଧା, ଲିଫ୍ଟ , ଏସ୍କେଲେଟର ପ୍ରତିଷ୍ଠାନ ଛୋଟ ପିଲାଙ୍କ ପାଇଁ ଖେଳିବା ସ୍ଥାନ, ଫୁଡ୍ କୋର୍ଟ ଭଳି ଅତ୍ୟାଧୁନିକ ଯାତ୍ରୀ ସୁବିଧା ଉପଲବ୍ଧ ହେବ । ସେହିପରି ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟ ଉପରେ ଷ୍ଟେସନ ଗୁଡ଼ିକର ଡିଜାଇନ୍ କରାଯିବ । ସେହିପରି ଯାତ୍ରୀମାନେ ମାଗଣା ୱାଇ-ଫାଇ, ସ୍ଥାନୀୟ ଉତ୍ପାଦ କିଓସ୍କ, ଏକ୍ଜିକ୍ୟୁଟିଭ୍ ଲାଉଞ୍ଜ ଏବଂ ବ୍ୟବସାୟିକ ବୈଠକ ପାଇଁ ସ୍ଥାନ ଭଳି ସୁବିଧା ପାଇବେ । ଆଜି ମଧ୍ୟାହ୍ନ 12ଟାରେ ଦେଶର 554 ଟି ରେଳ ଷ୍ଟେସନ ସହ 1500 ଆରଓବି, ଆରୟୁବି ପ୍ରକଳ୍ପର ମଧ୍ୟ ପୁନଃବିକାଶ ପାଇଁ ଶିଳାନ୍ୟାସ କରିବେ ମୋଦି ।
ଗୋମତୀ ନଗର ଷ୍ଟେସନ ଉଦଘାଟନ: ଆଜି ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଗୋମତୀ ନଗର ରେଳ ଷ୍ଟେସନକୁ ଉଦଘାଟନ କରିବେ । ପ୍ରାୟ 385କୋଟି ଟଙ୍କା ବ୍ୟୟରେ ଏହାକୁ ପୁନଃବିକଶିତ କରାଯାଇଛି । ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଷ୍ଟେସନରେ ଆଗମନ ଓ ପ୍ରସ୍ଥାନ ସୁବିଧାକୁ ଅଲଗା କରାଯାଇଛି । ଏହା ସହରର ଉଭୟ ପାର୍ଶ୍ୱକୁ ଯୋଡି ଥାଏ । ଏହି ଷ୍ଟେସନରେ ଫୁଡ୍ କୋର୍ଟ ଏବଂ ଉପର ଓ ତଳ ବେସମେଣ୍ଟରେ ପର୍ଯ୍ୟାପ୍ତ ପାର୍କିଂ ସୁବିଧା ସହ ଅତ୍ୟାଧୁନିକ ଯାତ୍ରୀ ସୁବିଧା ରହିଛି ।