ଗୌହାଟୀ: ଦୁଇ ଦିନିଆ ଆସାମ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି(ଶନିବାର) ସକାଳ ସମୟରେ କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ବ୍ୟାଘ୍ର ସଂରକ୍ଷଣ ବୁଲିଥିଲେ ମୋଦି । ହାତୀ ପିଠିରେ ବସି କାଜିରଙ୍ଗା ବୁଲିଥିଲେ । ପରେ ଜିପରେ ବସି ଟାଇଗର ରିଜର୍ଭ ବୁଲି ଦେଖିଥିଲେ । UNESCO ମାନ୍ୟତା ପାଇଥିବା ଏହି ଉଦ୍ୟାନକୁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗସ୍ତ କରି ପ୍ରାୟ ଦୁଇ ଘଣ୍ଟା ବିତାଇଥିଲେ । ଏହି ଯାତ୍ରା ସମୟରେ ମୋଦି 'ବନ ଦୁର୍ଗା'ର ସଦସ୍ୟ, ମହିଳା ବନ ସୁରକ୍ଷା କର୍ମୀ, ହାତୀ ମାହୁନ୍ତ ଏବଂ ଜଙ୍ଗଲ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ ।
ହାତୀ ପିଠିରେ ଓ ଜିପରେ ବୁଲିରେ ମୋଦି: କାଜିରଙ୍ଗା ଜାତୀୟ ଉଦ୍ୟନ ବୁଲିବା ବେଳେ ମୋଦି ହାତୀ ପିଠିରେ ବସିଥିଲେ । ହାତୀ ପିଠିରେ ବସି ପୁରା ଉଦ୍ୟାନ ବୁଲିଥିଲେ । ଏହାପରେ ଏକ ଜିପରେ ମଧ୍ୟ ବୁଲିଥିଲେ । ହାତରେ ଏକ କ୍ୟାମେରା ଧରି ଫଟୋ ଉତ୍ତୋଳନ ମଧ୍ୟ କରୁଥିବା ନଜର ଆସିଥିଲେ । ଏହି ସମୟରେ ସ୍ବତନ୍ତ୍ର ପୋଷାକରେ ନଜର ଆସିଥିଲେ ପ୍ରଧାନମନ୍ତ୍ରୀ ।
'କାଜିରଙ୍ଗା ସମସ୍ତେ ପରିଦର୍ଶନ କରନ୍ତୁ': ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ''ଆଜି ସକାଳେ ମୁଁ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଥିଲି । ସବୁଜ ପରିବେଶରେ ଥିବା ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳରେ ବିଭିନ୍ନ ପ୍ରକାରର ପ୍ରାଣି ଓ ଉଦ୍ଭିଦ ରହିଛନ୍ତି । ଏଥିସହ ଏଠାରେ ଶିଙ୍ଗିଆ ରାଇନୋ ମଧ୍ୟ ରହିଛି । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି କାଜିରଙ୍ଗା ଜାତୀୟ ଉଦ୍ୟାନ ସମସ୍ତେ ପରିଦର୍ଶନ କରନ୍ତୁ ଏବଂ ଏହାର ସୁନ୍ଦରତାକୁ ଉପଭୋଗ କରନ୍ତୁ । ଏହା ଏପରି ଏକ ସ୍ଥାନ ଯେଉଁଠାରେ ଆପଣଙ୍କୁ ଆତ୍ମତୃପ୍ତି ଲାଭ ହେବ ଏବଂ ଆସାମବାସୀଙ୍କ ସହିତ ଆପଣଙ୍କୁ ଯୋଡିଥାଏ । ''
ଏହା ମଧ୍ୟ ପଢନ୍ତୁ-ଆଜି ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଆସାମ ଗସ୍ତ, CAAକୁ ନେଇ ବିରୋଧୀଙ୍କ ବିକ୍ଷୋଭ
ମହିଳା ଫେରଷ୍ଟ ଗାର୍ଡଙ୍କୁ ପ୍ରଶଂସା: ମୋଦି କହିଛନ୍ତି, '' ମହିଳା ଫେରଷ୍ଟ ଗାର୍ଡଙ୍କ ବନ ଦୁର୍ଗା ଟିମ ସହ ସାକ୍ଷାତ କଲି । ଯେଉଁମାନେ ଜଙ୍ଗଲ ସଂରକ୍ଷଣ ଦାୟିତ୍ବରେ ଅଛନ୍ତି, ସେମାନେ ସାହସର ସହିତ ଆମର ଜଙ୍ଗଲ ଏବଂ ବନ୍ୟଜନ୍ତୁକୁ ସୁରକ୍ଷା ଦେଉଛନ୍ତି । ଆମର ପ୍ରାକୃତିକ ଐତିହ୍ୟର ସୁରକ୍ଷା ପାଇଁ ସେମାନଙ୍କର ନିଷ୍ଠା ଏବଂ ସାହସ ପ୍ରକୃତରେ ପ୍ରେରଣାଦାୟକ । ''
ହାତୀକୁ ଆଖୁ ଖୁଆଇଲେ ମୋଦି: ସେ ଆହୁରି ମଧ୍ୟ କହିଛନ୍ତି ''ଲକ୍ଷ୍ମୀମାଇ, ପ୍ରଦ୍ୟୁମନା ଏବଂ ପ୍ରଦ୍ୟୁମ୍ନ ଓ ଫୁଲମାଇଙ୍କୁ ମୁଁ ଆଖୁ ଖୁଆଇଲି । କାଜିରଙ୍ଗା ଗଣ୍ଡାଙ୍କ ପାଇଁ ଜଣାଶୁଣା କିନ୍ତୁ ସେଠାରେ ଅନ୍ୟାନ୍ୟ ପ୍ରଜାତି ସହିତ ବହୁ ସଂଖ୍ୟକ ହାତୀ ମଧ୍ୟ ଅଛନ୍ତି । ''
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ