ନୂଆଦିଲ୍ଲୀ: ବିକଶିତ ଭାରତ ବିକଶିତ ଗୁଜରାଟ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସି ଜରିଆରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ ତଥା ଅନ୍ୟ ଆବାସ ଯୋଜନା ଅଧିନରେ 24,184 ଆବସର ଲୋକାର୍ପଣ କରିଛନ୍ତି । 1411 କୋଟି ଟଙ୍କା ବ୍ୟୟରେ ଏହି ଆବାସ ନିର୍ମାଣ କରିଯାଇଥିବା ସୂଚନା ରହିଛି ।
ଆବାସ ଲୋକାର୍ପଣ କରିବା ସହିତ ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ସମ୍ବୋଧନ କରି କହିଛନ୍ତି, "ମୁଁ ଗତ ମାସରେ ବାଇବ୍ରେଣ୍ଟ ଗୁଜୁରାଟ ସମିଟରେ ଯୋଗ ଦେବାର ସୁଯୋଗ ପାଇଥିଲି । ଭାଇବ୍ରାଣ୍ଟ ଗୁଜୁରାଟକୁ 20 ବର୍ଷ ପୂର୍ତ୍ତି ହୋଇସାରିଛି । ଚଳିତବର୍ଷ ଆୟୋଜନ ମଧ୍ୟ ଚମତ୍କାର ହୋଇଥିଲା । ଗୁଜୁରାଟ ସହିତ ଦେଶବାସୀ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଏହା ଏକ ଉତ୍ତମ କାର୍ଯ୍ୟକ୍ରମ ଅଟେ ।"
ଆବାସ ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "କୌଣସି ଗରିବଙ୍କ ପାଇଁ ତାଙ୍କ ଘର ହେଉଛି ଉଜ୍ଜ୍ବଳ ଭବିଷ୍ୟତର ଗ୍ୟାରେଣ୍ଟି । କିନ୍ତୁ ସମୟ ସହିତ ପରିବାର ବୃଦ୍ଧି ପାଉଛି । ଏଥିପାଇଁ ନୂଆ ଘରର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଉଛି । ସମସ୍ତଙ୍କ ପାଖରେ ସ୍ଥାୟୀ ଛାତ ଏବଂ ନିଜ ଘର ରହୁ, ଏହା ଆମ ସରକାରର ପ୍ରୟାସ ଅଟେ । ଆଜି ଯେଉଁ ପରିବାରକୁ ତାଙ୍କ ଘର ମିଳିଛି, ତାଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା । ଯେତେବେଳେ ଏଭଳି କାର୍ଯ୍ୟ ହୋଇଥାଏ, ସେତେବେଳେ ଦେଶ କୁହେ ମୋଦିଙ୍କର ଗ୍ୟାରେଣ୍ଟି । ଅର୍ଥାତ ଗ୍ୟାରେଣ୍ଟି ପୁରା ହେବାର ଗ୍ୟାରେଣ୍ଟି ।"
ଏହା ମଧ୍ୟ ପଢନ୍ତୁ: ମୋଦିଙ୍କ ଗ୍ୟାରେଣ୍ଟି, ଭାରତ ହେବ ବିଶ୍ବର ତୃତୀୟ ଶ୍ରେଷ୍ଠ ଅର୍ଥନୀତି
ନଭେମ୍ବର, ଡିସେମ୍ବର ଏବଂ ଜାନୁଆରୀ ମାସରେ ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ସଫଳ ଆୟୋଜନ ଦେଖିଛୁ । ପ୍ରତ୍ୟେକ ଗାଁରେ ମୋଦି ଗ୍ୟାରେଣ୍ଟି ଗାଡ଼ି ପହଞ୍ଚିଛି । ସରକାରଙ୍କ ଏଭଳି ପ୍ରୟାସ ଯୋଗୁଁ ଗତ 10 ବର୍ଷ ମଧ୍ୟରେ 25 କୋଟି ଲୋକ ଦାରିଦ୍ର୍ୟରୁ ବାହାରିଛନ୍ତି । ସରକାର ଏହି 25 କୋଟିଙ୍କ ସହିତ ସବୁ ପରିସ୍ଥିତିରେ ସାଥିରେ ରହିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ସ୍ବାଧୀନତା ସଂଗ୍ରାମ ସମୟରେ ସ୍ବଦେଶୀ ଆନ୍ଦୋଳନ ଏବଂ ଭାରତଛାଡ ଆନ୍ଦୋଳନ ଲୋକଙ୍କ ପାଇଁ ସଂକଳ୍ପ ପାଲଟିଥିଲା । ବର୍ତ୍ତମାନ ସମୟରେ ବିକଶିତ ଭାରତ ନିର୍ମାଣ ଦେଶପାଇଁ ସଂକଳ୍ପ ପାଲଟିଛି । ଦେଶର ପ୍ରତ୍ୟେକ ନାଗରିକ ଚାହୁଁଛନ୍ତି ଆଗାମୀ 25 ବର୍ଷ ମଧ୍ୟରେ ଭାରତ ବିକାଶିତ ରାଷ୍ଟ୍ର ଭାବେ ପରିଗଣିତ ହେଉ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିବାରେ ଗୁଜୁରାଟ ଆଗରେ ରହିଛି । ଏହା ମୋ ପାଇଁ ଖୁସିର ବିଷୟ ଅଟେ । ଏହା ଅଧୀନରେ ସହରାଞ୍ଚଳର 8 ଲକ୍ଷରୁ ଅଧିକ ଘର ନିର୍ମାଣ କରାଯାଇଛି । "