ବିଶାଖାପାଟନମ: ଉନ୍ମୋଚିତ ହେବାକୁ ଯାଉଛି ରାମୋଜୀ ରାଓଙ୍କ ୭.୫ ଫୁଟର ପ୍ରତିମୂର୍ତ୍ତି । ତେଲୁଗୁ ସମାଜ ପ୍ରତି ତାଙ୍କର ଥିବା ଅବଦାନକୁ ସମ୍ମାନ ଜଣାଇ ଏହି ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି । ଏହାସହ ଗଣମାଧ୍ୟମ ଜଗତର ଏହି ବାଦଶାହଙ୍କ ଉଦ୍ଦେଶ୍ୟରେ ନିର୍ମିତ ପ୍ରତିମୂର୍ତ୍ତି ଖୁବଶୀଘ୍ର ଉନ୍ମୋଚନ କରାଯିବ । ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର କୋନାସୀମା ଜିଲ୍ଲାର କୋଠାପେଟରେ ପ୍ରସିଦ୍ଧ ମୂର୍ତ୍ତି କାରିଗର ରାଜକୁମାର ବୁଡୟାର ରାମୋଜୀ ରାଓଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଇନାଡୁର ଜନକ ହେଉଛନ୍ତି ରାମୋଜୀ ଗ୍ରୁପ ଅଧ୍ୟକ୍ଷ ରାମୋଜୀ ରାଓ । ଆଉ ବିଶାଖାପାଟନମ ଇନାଡୁର ଜନ୍ମସ୍ଥାନ ହୋଇଥିବାରୁ ରାମୋଜୀ ରାଓଙ୍କ ଅବଦାନ ଓ ସ୍ମୃତି ଉଦ୍ଦେଶ୍ୟରେ ଏଠାରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି ।
ମୂର୍ତ୍ତି କାରିଗର ରାଜକୁମାରଙ୍କ ଦ୍ବାରା ଚାଲିଥିବା ଏହି ପ୍ରତିମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜକୁମାର ଏହି ପ୍ରତିମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଥିବାବେଳେ ଖୁବଶୀଘ୍ର ଏହା ଉନ୍ମୋଚନ ହେବାକୁ ଯାଉଛି । ମୂର୍ତ୍ତି କାରିଗରଙ୍କ କହିବା ଅନୁସାରେ, "ବିଜୟନଗରମ ସାଂସଦ କାଲିଶେଟ୍ଟୀ ଅପ୍ପଲାନାୟଡୁ ଏହି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ କାରିଗରଙ୍କ ସହ ଯୋଗାଯୋଗ କରିଥିଲେ । ରାମୋଜୀ ରାଓଙ୍କ ବହୁ ଫଟୋ ଦେଖିବା ପରେ ମୁଁ ସେଥିମଧ୍ୟରୁ ଏକ ଫଟୋ ଚୟନ କରିଥିଲି । ସେହି ଫଟୋ ରାଓଙ୍କୁ ୬୦ ବର୍ଷ ବୟସ ହୋଇଥିବା ସମୟର ଥିଲା । ଆଉ ସେହି ଫଟୋ ସାହାଯ୍ୟରେ ମୁଁ ରାଓଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛି । ମାତ୍ର ୪ ଦିନରେ ହିଁ ମୂର୍ତ୍ତି ଗଢିବାରେ ଆମେ ସଫଳ ହୋଇଛୁ ।"
ସୂଚନା ଅନୁସାରେ, ଶୁକ୍ରବାର ସାଂସଦ ଅପ୍ପଲାନାୟଡୁ ଆସି ଏହି ପ୍ରତିମୂର୍ତ୍ତି ନୀରିକ୍ଷଣ କରିଛନ୍ତି । ଏହାସହ କିଛି ସ୍ଥାନରେ ସଂଶୋଧନ କରିବା ପାଇଁ ସେ କାରିଗରଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି । ସେ କହିଛନ୍ତି,"ଆମେ ଇନାଡୁର ଜନ୍ମସ୍ଥାନ ବିଶାଖାପାଟନମରେ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରିବାର ନିଷ୍ପତ୍ତି ନେଇଛୁ । ଆଉ ଏକ ମୂର୍ତ୍ତି ଶ୍ରୀକାକୁଲମ ଜିଲ୍ଲାର ରଣସ୍ଥଲମ ସ୍ଥିତ ସାଇ ଡିଗ୍ରୀ କଲେଜ ପରିସରରେ ସ୍ଥାପନ କରାଯିବ ।"
ସାଂସଦ ଆହୁରି କହିଛନ୍ତି, ଏହି ପ୍ରତିମୂର୍ତ୍ତି ନିର୍ମାଣ ପଛର ଉଦ୍ଦେଶ୍ୟ ହେଉଛି ରାମୋଜୀ ରାଓଙ୍କ ବିଚାରଧାରା ଆଜିର ଯୁବପିଢିଙ୍କ ନିକଟରେ ପହଞ୍ଚାଇବା । ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାମୋଜୀ ରାଓଙ୍କ ପରଲୋକ ହୋଇଛି । ତାଙ୍କର ପାର୍ଥିବ ଶରୀର ରାମୋଜୀ ଫିଲ୍ମ ସିଟି ପରିସର କର୍ପୋରେଟ୍ ବିଲଡିଂରେ ରଖାଯାଇଥିଲା । ସମସ୍ତେ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ଫିଲ୍ମସିଟି ପରିସରରେ ଥିବା ସ୍ମୃତି ଭବନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।