ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଶୁକ୍ରବାର ଦେଶର ସବୁଠୁ ବଡ଼ ମେଡିକାଲ ପ୍ରବେଶିକା ପରୀକ୍ଷାର ସଂଶୋଧିତ ଫଳାଫଳ ପ୍ରକାଶ କରିଛି । ଏହା ପୂର୍ବରୁ ଏଜେନ୍ସି ପକ୍ଷରୁ ରିଭାଇଜଟ୍ ଆନ୍ସର କି ପ୍ରକାଶ ପାଇଥିଲା । ଏହି ଆଧାରରେ ଆଜି ଫଳାଫଳ ପ୍ରକାଶ ପାଇଛି । ପରୀକ୍ଷାର୍ଥୀମାନେ ଅଧିକାରିକ ୱେବସାଇଟ exams.nta.ac.in. କୁ ଯାଇ ନିଜର ଅପଡେଟେଡ୍ ପରୀକ୍ଷା ଫଳ ଦେଖିପାରିବେ ।
NTA declares the Re-revised Result/NTA Scores/Rank of the National Eligibility cum Entrance Test NEET (UG) – 2024. pic.twitter.com/AHvthxYeno
— ANI (@ANI) July 26, 2024
ଶିକ୍ଷାବିତ୍ ଦେବ ଶର୍ମା ଏନେଇ କହିଛନ୍ତି ଯେ ନିଟ୍ ୟୁଜି ପ୍ରଶ୍ନପତ୍ରର ଫିଜିକ୍ସ (ଭୌତିକ ବିଜ୍ଞାନ)ର ଏକ ପ୍ରଶ୍ନରେ ସଂଶୋଧନ କରାଯାଇଥିଲା । ଏହାପରେ ତୁରନ୍ତ ସଂଶୋଧନ ସ୍କୋର କାର୍ଡ ଜାରି କରାଯାଇଛି । ଫିଜିକ୍ସ ପ୍ରଶ୍ନର ଉତ୍ତରରେ ସଂଶୋଧନ କରାଯିବା ପରେ 44ଜଣ ପରୀକ୍ଷାର୍ଥୀ ପୂର୍ଣ୍ଣ ମାର୍କ 720ରୁ 720 ଆଣିବାରେ ବିଫଳ ହୋଇଛନ୍ତି । ପୂର୍ବରୁ 67ଜଣ ପରୀକ୍ଷାର୍ଥୀଙ୍କ ପୂର୍ଣ୍ଣ ମାର୍କ 720 ଥିଲା । ଗ୍ରେସମାର୍କ ହଟାଇବା ପରେ ଏହି ସଂଖ୍ୟା 61ରେ ପହଞ୍ଚିଥିଲା । ଆଉ ଏବେ ଫିଜିକ୍ସ ପ୍ରଶ୍ନର ଉତ୍ତରରେ ସଂଶୋଧନ କରାଯିବା ପରେ ଟପ୍ପରଙ୍କ ସଂଖ୍ୟା ଆହୁରି ତଳକୁ ଖସିଆସିଛି । ଏମାନଙ୍କର ମାର୍କରୁ 5ନମ୍ବର କଟାଯାଇଛି । ଫଳରେ ଏବେ ପରଫେକ୍ଟ ସ୍କୋର ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା 17ରେ ପହଞ୍ଚିଛି ।
IIT ଦିଲ୍ଲୀ କରିଥିଲା ପ୍ରଶ୍ନପତ୍ରର ଯାଞ୍ଚ:-
ଶିକ୍ଷାବିତ ଦେବ ଶର୍ମାଙ୍କ କହିବାନୁସାରେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (IIT) ଦିଲ୍ଲୀର ସବଜେକ୍ଟିଭ ଏକ୍ସପର୍ଟ ଟିମ ଦ୍ବାରା ଫିଜିକ୍ସର ପ୍ରଶ୍ନପତ୍ର ଯାଞ୍ଚ କରାଯାଇଥିଲା । ଆଇଆଇଟି ଦିଲ୍ଲୀ ପକ୍ଷରୁ ପ୍ରଶ୍ନର ଯାଞ୍ଚ କରିବା ପରେ ନୂଆ NCERT ଅନୁସାରେ ଏହାର ଉତ୍ତର ଚୟନ କରାଯାଇଛି । ଫଳରେ ଅନେକ ପରୀକ୍ଷାର୍ଥୀଙ୍କ ମାର୍କ କମିଛି । ଏହା ପୂର୍ବରୁ ପରୀକ୍ଷାର୍ଥୀଙ୍କ ଅଭିଯୋଗ ପରେ ଏହି ପ୍ରଶ୍ନର 2ଟି ଉତ୍ତରକୁ ଏଜେନ୍ସି ସଠିକ ବୋଲି କହି ନମ୍ବର ଦେଇଥିଲା । ଏହି ପ୍ରଶ୍ନର ଉତ୍ତର ପୂର୍ବ ଏନସିଇଆରଟି ଓ ନ୍ୟୁ ଏନସିଇଆରଟି ଅନୁସାରେ ଭିନ୍ନ ଭିନ୍ନ ରହିଛି ।
AIR ରାଙ୍କରେ ପୁଣି ହେବ ପରିବର୍ତ୍ତନ:-
ଏବେ ଗୋଟିଏ ପ୍ରଶ୍ନର ଉତ୍ତରକୁ ସଂଶୋଧିତ କରିବା ପରେ ଏବେ ସାରା ଭାରତରେ ରାଙ୍କରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ । ଏପରି ମଧ୍ୟ ପରିସ୍ଥିତି ଉପୁଜିପାରେ ଯେ, କିଛି ପରୀକ୍ଷାର୍ଥୀ ଏହି ପ୍ରଶ୍ନ ପାଇଁ ପାଇଥିବା 5 ନମ୍ବର ହରାଇବା ପରେ ସରକାରୀ ମେଡିକାଲ କଲେଜରେ ନାମଲେଖାରୁ ବଞ୍ଚିତ ହେବେ । ଅନ୍ୟପଟେ 5 ନମ୍ବର ପାଇ କିଛି ପରୀକ୍ଷାର୍ଥୀ ନାମ ଲେଖାଇ ପାରିବେ । ଏହା ଏକ ପ୍ରତିଯୋଗୀମୂଳକ ପରୀକ୍ଷା ହୋଇଥିବାରୁ ଗୋଟିଏ ମାର୍କରେ ହଜାର ହଜାର ପରୀକ୍ଷାର୍ଥୀ ରହିଥାନ୍ତି । ବିଭିନ୍ନ ମାପଦଣ୍ଡ ଅନୁସାରେ ସେମାନଙ୍କ ରାଙ୍କ ସ୍ଥିର କରାଯାଇଥାଏ । ଏବେ ନିଟ ୟୁଜି 2024 ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଖୁବଶୀଘ୍ର NTA ପକ୍ଷରୁ କାଉନେସେଲିଂ ଆରମ୍ଭ ହେବ ।
ସୂଚନା ଥାଉ କି ଚଳିତ ବର୍ଷ ନିଟ୍ ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିବା ବେଳେ ପରୀକ୍ଷାର୍ଥୀ ରାଜରାସ୍ତାକୁ ଓହ୍ଲାଇଥିଲେ । ଏନଟିଏ ଓ କେନ୍ଦ୍ର ସରକାରଙ୍କ ଶିକ୍ଷା ବ୍ୟବସ୍ଥା ନେଇ ଅନେକ ପ୍ରଶ୍ନ ଉଠାଇଥିଲେ । ପରେ ଏହି ଘଟମା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ପୁନଃ ପରୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ଗତ 23 ତାରିଖରେ ସୁପ୍ରିମକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ପରୀକ୍ଷାରେ ବ୍ୟାପକ ପ୍ରଶ୍ନପତ୍ର ଲିକ୍ ନେଇ ସେପରି କୌଣସି ପ୍ରମାଣ ନଥିବାରୁ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ