ଭୋପାଳ: ଯୌତୁକ ମାଗିବା ପ୍ରଥା ଏବେ ବେଆଇନ । ସ୍ତ୍ରୀକୁ କିମ୍ବା ଶ୍ବଶୁର ଘର ଆଗରେ ଯୌତୁକ ଦାବି କଲେ ଜେଲଦଣ୍ଡ ମଧ୍ୟ ଭୋଗିବାକୁ ପଡେ । ଏହାପରେ ମଧ୍ୟ ଜଣେ ବିବାହିତ ମହିଳାଙ୍କୁ ଯୌତୁକ ଲାଗି ଖାଇବାକୁ ନ ଦେବା ଓ ବାପଘରକୁ ପଠାଇବାକୁ ବାଧ୍ୟ କରିବା ଭଳି ଖବର ସାମ୍ନାକୁ ଆସିଛି । ଏହା କ୍ରୁରତା ବୋଲି ନିଜ ରାୟରେ କହିଛନ୍ତି ମଧ୍ୟ ପ୍ରଦେଶ ହାଇକୋର୍ଟ । ପୀଡ଼ିତା ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସ୍ବାମୀଙ୍କ ପକ୍ଷରୁ ଏ ନେଇ ପାଲଟା ହାଇକୋର୍ଟରେ ଆବେଦନ ହୋଇଥିଲା । ଯାହାକୁ କୋର୍ଟ ଖାରଜ କରି ଏହି ରାୟ ଶୁଣାଇଛନ୍ତି ।
ମହିଳା ଜଣକ ପୋଲିସ ଆଗରେ କରିଥିବା ଅଭିଯୋଗ ଅନୁସାରେ ସେ ଗତ ଏପ୍ରିଲ 2018ରେ ବିବାହ କରିଥିଲେ । ବିବାହ ସମୟରେ ସ୍ବାମୀ ପର୍ଯ୍ୟାପ୍ତ ପରିମାଣରେ ଯୌତୁକ ଦାବି କରିଥିଲେ । ଏହାପରେ ମଧ୍ୟ ତାଙ୍କୁ ବିବାହ ପରେ ମାନସିକ ଓ ଶାରୀରିକ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପରିସ୍ଥିତି ସେତେବେଳେ ଅସହ୍ୟ ହୋଇପଡ଼ିଥିଲା ଯେତେବେଳେ ଶାଶୁଘର ଲୋକେ ତାଙ୍କୁ ଖାଇବାକୁ ଦେବା ବନ୍ଦ କରିଦେଇଥିଲେ । ସେ ଭୋକ ଶୋଷରେ ଦିନ କାଟିଥିଲେ । ଯୌତୁକରେ ସ୍ବାମୀ ଏସି କାର ମାଗିଥିବା ବେଳେ ଏହା ଦେବାରେ ମହିଳାଙ୍କ ପରିବାର ସକ୍ଷମ ନଥିବାରୁ ତାଙ୍କୁ ଏପରି ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା ।
ଏହା ବି ପଢନ୍ତୁ- ‘ଶାରୀରିକ ସମ୍ପର୍କ ରଖିବାକୁ ପତ୍ନୀ ମନା କରିବା କ୍ରୁରତା, ଛାଡପତ୍ରର ପାଇଁ ଗ୍ରହଣଯୋଗ୍ୟ କାରଣ’
ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସ୍ବାମୀ ଓ ଶାଶୁ ଘର ଲୋକେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟରେ ହୋଇଥିବା ଆବେଦନରେ ମହିଳା ଜଣକ ମିଛ ଅଭିଯୋଗ ଆଣିଥିବା ସ୍ବାମୀ ଦର୍ଶାଇଥିଲେ । ଏହି ମାମଲାର ଶୁଣାଣି ସମୟରେ ଜଷ୍ଟିସ ଗୁରୁପାଲ ସିଂ ଅହୁଲବାଲିୟା କହିଥିଲେ ଯେ ଯୌତୁକ ଆଶା ପୂରଣ ନ ହେବାରୁ ବିବାହିତ ମହିଳାଙ୍କୁ ନିଜ ବାପ ଘରେ ରହିବା ଲାଗି ବାଧ୍ୟ କରିବା ମାନସିକ ନିର୍ଯାତନା । ଭାରତୀୟ ଦଣ୍ଡ ସଂହିତାର ଧାରା 498 ଏ (ପତ୍ନୀ ପ୍ରତି କ୍ରୁରତା) ଅନୁଯାୟୀ ଏହା ଦଣ୍ଡନୀୟ । ସମସ୍ତ ତଥ୍ୟ ଓ ପ୍ରମାଣକୁ ଭିତ୍ତି କରି ହାଇକୋର୍ଟ ଶେଷରେ ରାୟ ଦେଇଥିଲେ ଯେ 'ଯୌତୁକ ଆଶା ପୂରଣ ନ ହେବା ପରେ ମହିଳାଙ୍କ ଖାଇବା ବନ୍ଦ କରିବା ନିସନ୍ଦେହ ଭାବେ ଶାରୀରିକ ଓ ମାନସିକ ନିର୍ଯାତନା।'
ସ୍ବାମୀ ଆବେଦନ ଉପରେ କୋର୍ଟଙ୍କ ରାୟ:- କୋର୍ଟ ମହିଳାଙ୍କ ସ୍ବାମୀଙ୍କ ଆବେଦନକୁ ଖାରଜ କରି କହିଛନ୍ତି, "ଛାଡପତ୍ର ଆବେଦନ କରାଯିବା ପରେ ଯଦି ଏଫଆଇଆର ଦାଖଲ କରାଯାଏ ତେବେ ଏହା ମଧ୍ୟ କୁହାଯାଇପାରେ ଯେ ମହିଳା ହୁଏତ ବୈବାହିକ ଜୀବନ ବଞ୍ଚାଇବାକୁ ଏ ସବୁ ଚୁପଚାପ ସହୁଥିଲେ ଏବଂ ଯେତେବେଳେ ସେ ଅନୁଭବ କଲେ ଯେ ବର୍ତ୍ତମାନ ବୈବାହିକ ଜୀବନ ଆଗକୁ ବଢାଇବା ଅସମ୍ଭବ ଏବଂ ସେ ଦୁଷ୍କର୍ମର ଶିକାର ହେବା ନେଇ ଏକ ଏଫଆଇଆର ଦାଖଲ କରନ୍ତି, ତେବେ ଏହା ଛାଡପତ୍ର ଆବେଦନକୁ କାଉଣ୍ଟର ଆଟାକ୍ ବୋଲି କୁହାଯାଇପାରିବ ନାହିଁ ।"
ଏହା ବି ପଢନ୍ତୁ- ଶାଶୁ-ଶ୍ବଶୁରଙ୍କଠୁ ଅଲଗା ରହିବାକୁ ଜିଦ୍ କରିବା ନିଷ୍ଠୁରତା: ଦିଲ୍ଲୀ ହାଇକୋର୍ଟ
ସମସ୍ତ ଯୁକ୍ତି ଶୁଣିବା ପରେ କୋର୍ଟ ରାଯ ଶୁଣାଇ କହିଥିଲେ ଯେ ମହିଳାଙ୍କ ସହିତ ସ୍ବାମୀ ଏବଂ ଶାଶୁ ଘର ଲୋକଙ୍କ ସମ୍ପର୍କ ମଧୁର ନଥିଲା । ମହିଳାଙ୍କ ସ୍ବାମୀଙ୍କ ପକ୍ଷରୁ ଅଣାଯାଇଥିବା ବ୍ୟଭିଚାର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ମନେ ହେଉଛି । ଯଦି ବ୍ୟଭିଚାରର ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ ହୁଏ ତେବେ ଏହା ନିଷ୍ଠୁରତା । ଏହି ପରିସ୍ଥିତିରେ ଆବେଦନକୁ ଖାରଜ କରାଯାଉଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନିଶାନ୍ତ ଅଗ୍ରୱାଲ ଉପସ୍ଥିତ ଥିବା ବେଳେ ସରକାରୀ ଓକିଲ କେ.ଏସ୍ ବାଗେଲ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ