ଥିରୁଅନନ୍ତପୁରମ: କୋରୋନା ଭାଇରସ ଠାରୁ ଘାତକ କୁହାଯାଉଥିବା ନିପା ଭାଇରସରେ ଆଜି (ରବିବାର) ଜଣେ ନାବାଳକର ମୃତ୍ୟୁ ଘଟିଛି । ନାବାଳକ ଜଣକ ଭେଣ୍ଟିଲେଟରରେ ଥିବା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାର ଅକାଳ ବିୟୋଗ ହୋଇଛି । ହେଲେ ସବୁଠୁ ଚିନ୍ତାର ବିଷୟ ହେଉଛି ସଂକ୍ରମଣରେ ମୃତ୍ୟୁ ଘଟିଥିବା ନାବାଳକ ସଂସ୍ପର୍ଶରେ ପ୍ରାୟ 246 ଜଣ ଅଛନ୍ତି । ଏଣୁ ଏହି ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ରବିବାର କେରଳରେ ନିପା ଭାଇରସ ମୃତ୍ୟୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଆଖି ବୁଜିଥିବା 14 ବର୍ଷୀୟ ନାବାଳକ ଜଣକ କେରଳ ଅଧିବାସୀ । ସେ ନିପା ଭାଇରସ ସଂକ୍ରମଣରେ ଆସି ଅସୁସ୍ଥ ହୋଇପଡ଼ିବା ପରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ନାବାଳକ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର କୋଝିକୋଡ ମେଡିକାଲ କଲେଜ ହସ୍ପିଟାଲରେ ନାବାଳକର ମୃତ୍ୟୁ ଘଟିଛି । ଡାକ୍ତରଙ୍କ କହିବାନୁସାରେ, ନାବାଳକର ରକ୍ତ ଚାପ ହ୍ରାସ ପାଇଥିଲା । ଆଜି ସକାଳେ ତାର ପରିସ୍ରା ମଧ୍ୟ ହୋଇନଥିଲା । ଏହାସହିତ ନାବାଳକର ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା । ଏଥିଯୋଗୁଁ ରବିବାର ସକାଳ ପ୍ରାୟ 10ଟା 50 ମିନିଟରେ ହୃଦଘାତ ଯୋଗୁଁ ନାବାଳକ ଆଖି ବୁଜିଛି ।"
ଏହା ବି ପଢନ୍ତୁ- ନିପାତ ହେବ ନିପା ଭାଇରସ ! ଟିକାର ହ୍ୟୁମାନ ଟ୍ରାଏଲ ଆରମ୍ଭ
ନିପା ଭାଇରସରେ ନାବାଳକର ମୃତ୍ୟୁ ଘଟିବା ପରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ଆବଶ୍ୟକୀୟ ପ୍ରୋଟେକଲ ଅନୁସାରେ ନାବାଳକର ଅନ୍ତିମ ସଂସ୍କାର କରାଯିବ । ଏହି ଅନ୍ତେଷ୍ଟିକ୍ରିୟା ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯାଇଛି । ଅନ୍ୟପଟେ ନାବାଳକ ସଂସ୍ପର୍ଶରେ ଆସିଛନ୍ତି ପଣ୍ଡିକ୍କଡ ଓ ଅନାକ୍କାୟାମ ପଞ୍ଚାୟତର ପ୍ରାୟ 246 ଜଣ ଅଧିବାସୀ । ଏହି ଅଞ୍ଚଳରେ ଅନ୍ୟ ଜଣେ ଶିଶୁ ଜ୍ବରରେ ପୀଡ଼ିତ ଥିବାରୁ ତାକୁ ପରୀକ୍ଷଣ ପାଇଁ ହସ୍ପିଟାଲକୁ ପଠାଯାଇଛି । ଏହାସହିତ ଉକ୍ତ ଶିଶୁର ପିତାମାତାଙ୍କ ସମେତ ଅନ୍ୟ ପରିବାର ସଦସ୍ୟଙ୍କୁ ଆଇସୋଲେସନରେ ରଖାଯାଇଛି ।
କେଉଁଠୁ ଆସିଲା ନିପା ଭାଇରସ:-
ସୂଚନାନୁସାରେ, ପ୍ରାୟ 25 ବର୍ଷ ପୂର୍ବେ ମାଲେସିଆରୁ ନିପା ଭାଇରସ ଚିହ୍ନଟ ହୋଇଥିଲା । ଏହାପରେ ବାଲାଂଦେଶ, ଭାରତ ଏବଂ ସିଙ୍ଗାପୁରରେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଭାରତର କେରଳ ସମେତ ଏସିଆର ଅନେକ ସ୍ଥାନରେ ଚିନ୍ତାର କାରଣ ସାଜିଛି ନିପା ଭାଇରସ । ତେବେ ଏହି ଭାଇରସରୁ ବର୍ତ୍ତିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଭ୍ୟାକ୍ସିନ ବାହାରି ନାହିଁ ।
ନିପା ଭାଇରସର ଲକ୍ଷଣ:-
ନିପା ଭାଇରସ୍ ହେଉଛି ଏକ ପ୍ରକାର ରେସ୍ପିରେଟାରୀ ଭାଇରସ। ଏହା ଜ୍ବର, ବାନ୍ତି, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ଶ୍ବାସକ୍ରିୟା ନେବାରେ ଅସୁବିଧା ଭଳି ସମସ୍ୟା ସୃଷ୍ଟି କରେ । ଭାଇରାଲ୍ ସଂକ୍ରମଣର ସାଧାରଣ ଲକ୍ଷଣ ମଧ୍ୟ ଏଥିରେ ଦେଖାଯାଏ । ଯଦି ଏହି ରୋଗ ଗୁରୁତର ହୁଏ ତେବେ ସ୍ନାୟୁଗତ ସମସ୍ୟା ଦେଖାଦେଇପାରେ । ଜାପାନିଜ୍ ଏନସେଫାଲାଇଟିସ୍ ତଥା ମସ୍ତିଷ୍କ ଜ୍ବର ଭଳି ଲକ୍ଷଣ ଥାଇପାରେ । ତେବେ କୋଭିଡ ଠାରୁ ନିପା ଭାଇରସ ଆକ୍ରାନ୍ତଙ୍କ ମୃତ୍ୟୁହାର ଅଧିକ । କୋରୋନାଠୁ 20% ଅଧିକ ଘାତକ ନିପା ଭାଇରସ ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ଡିଡି ରାଜୀବ ବହଲ ସୂଚନା ଦେଇଥିଲେ।
କେତେବେଳେ ଯାଞ୍ଚ କରିବେ:-
ନିପା ଭାଇରସ ସଂକ୍ରମଣରେ ବିଶେଷ ଗମ୍ଭୀର ଲକ୍ଷଣ ଦୃଷ୍ଟିଗୋଚର ହୁଏ ନାହିଁ । ଏଗୁଡିକ ସାଧାରଣ ଭାଇରାଲ୍ ଜ୍ବର ଭଳି ହୋଇଥାଏ । ଯଦି ନିକଟରେ ସ୍ଥାନୀୟ ଅଞ୍ଚଳରେ କୌଣସି ନିପା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି କିମ୍ବା ଆପଣଙ୍କ ନିକଟରେ ଜ୍ବରର କୌଣସି ଲକ୍ଷଣ ଦେଖାଯାଉଛି ତାହାଲେ ପରୀକ୍ଷା କରାଇନେବା ଆବଶ୍ୟକ । କୋଭିଡ ପରି ଏଥିରେ ମଧ୍ୟ RTPCR ଟେଷ୍ଟ କରାଯାଇଥାଏ । ଏହା ସହିତ ଆଣ୍ଟିବଡି ପରୀକ୍ଷା ମଧ୍ୟ କରାଯାଇପାରେ ।
ସଂକ୍ରମଣରୁ ବର୍ତ୍ତିବା ପାଇଁ ସତର୍କତା:-
- ବାହାରୁ ଆସିଲେ ଭଲ ଭାବେ ହାତଗୋଡ଼ ଧୁଅନ୍ତୁ
- ସଂକ୍ରମିତଙ୍କ ଚିକିତ୍ସା କରୁଥିବା ବ୍ୟକ୍ତିଙ୍କଠୁ ଦୂରତା ବଜାୟ ରଖନ୍ତୁ
- ସଂକ୍ରମିତ ରହୁଥିବା ସ୍ଥାନ ପରିତ୍ୟାଗ କରନ୍ତୁ
- ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକେ କଞ୍ଚା ଖାଦ୍ୟ ଖାଇବାଠୁ ଦୂରେଇ ରୁହନ୍ତୁ । ବିଶେଷ କରି ମାଂସ ଠାରୁ ଦୂରେଇ ରୁହନ୍ତୁ ।
- ସବୁବେଳେ ରନ୍ଧା ଖାଦ୍ୟ ଖାଆନ୍ତୁ
- ନିପା ଭାଇରସ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିବା ଠାରୁ ଦୂରେଇ ରୁହନ୍ତୁ
- ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଫଳ ଏବଂ ତଟକା ପନିପରିବା ଖାଆନ୍ତୁ
ସୂଚନା ଥାଉ କି ନିପା ଭାଇରସ ସଂକ୍ରମଣରେ କେରଳରେ ଏଯାବତ 21ଜଣଙ୍କ ମୃତ୍ୟୁ ଘଟିଲାଣି । ଏହା ପଞ୍ଚମ ଥର ଲାଗି ରାଜ୍ୟରେ ଦେଖାଦେଇଛି । 2018 ମସିହାରେ କେରଳରେ ପ୍ରଥମେ ନିପା ଭାଇରସ ଚିହ୍ନଟ ହୋଇଥିଲା । ଏହାପରେ 2019, 2021 ଓ 2023ରେ ନିପା ଭାଇରସ ଦ୍ବାରା ରାଜ୍ୟରେ ଲୋକେ ସଂକ୍ରମିତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ