ଭୋପାଳ: ମଧ୍ୟପ୍ରଦେଶରୁ ଏକ ବର୍ବରତା ସାମ୍ନାକୁ ଆସିଛି । ଏଠାରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ କାର୍ରେ ଅପହରଣ କରିନେଲେ । ଏହାପରେ ବରଫ ଖଣ୍ଡ ଉପରେ ଶୁଆଇ ନିର୍ଦ୍ଧୁମ ପିଟିଲେ । ଏତିକିରେ ମନ ମାନିଲାନି ଯେ, ଯୁବକଙ୍କ ମୁହଁରେ ପରିସ୍ରା କରି ସେମାନଙ୍କ ପାଦ ଧରିବାକୁ ବାଧ୍ୟ କଲେ । ଏହି ଅମାନୁଷିକ ଘଟଣା ଘଟିଛି ଶିବପୁରୀ ଜିଲ୍ଲା କରୈରାରେ । ଯୁବକଙ୍କ ସହ ଏଭଳି ଅତ୍ୟାଚାରର ଭିଡିଓ ମଧ୍ୟ ଦୁର୍ବୃତ୍ତମାନେ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି ।
ଭାଇରାଲ ଭିଡିଓରେ ଯୁବକଙ୍କ ହାତ ଗୋଡ ବାନ୍ଧି ମାରିପିଟ୍ କରାଯାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୀଡିତ ଯୁବକ ସାଗର ଏସପି ଅଫିସରେ ପହଞ୍ଚି ଅଭିଯୋଗ କରିଛନ୍ତି । ତାଙ୍କର ଅଭିଯୋଗ ଅନୁସାରେ, ଗତ ଜାନୁଆରୀ ୨୯ରେ ସେ କରୈରା ମୁଙ୍ଗାବଲି ରାସ୍ତାରେ ଛିଡା ହୋଇଥିଲେ । ସେହି ସମୟରେ ଏକ କାରରେ ଧର୍ମେନ୍ଦ୍ର, ଆକାଶ ଯାଦବ, ସୌରଭ ଯାଦବ ଓ ବ୍ରଜେନ୍ଦ୍ର ଯାଦବ ସେଠାରେ ପହଞ୍ଚି ଥିଲେ । କୌଣସି ପୁରୁଣା ବିବାଦକୁ ନେଇ ଚାରି ଜଣ ଯାକ ସାଗରଙ୍କୁ ଜୋର ଜବରଦସ୍ତ କାର୍ରେ ଉଠାଇ ନେଇଥିଲେ ।
ସେମାନେ ସାଗରଙ୍କୁ ଏକ ବରଫ ଫ୍ୟାକ୍ଟ୍ରିକୁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ଗୋଟିଏ ବରଫ ଖଣ୍ଡ ଉପରେ ୪ ଘଣ୍ଟା ଯାଏଁ ଶୁଆଇ ନିର୍ଦ୍ଧୁମ ମାରପିଟ୍ କରିଥିଲେ । ଏହାପରେ ତାଙ୍କ ମୁହଁରେ ପରିସ୍ରା କରିବା ସହ ପାଦ ଛୁଇଁବାକୁ ବାଧ୍ୟ କରିଥିବା ପୀଡିତ ଯୁବକ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତାଙ୍କ ମୁହଁରୁ ପୁରା ଘଟଣା ଶୁଣିବା ପରେ ବି ସାମାନ୍ୟ ଧାରାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏ ବିଷୟରେ ପଚାରିବାରୁ ଯାହା ମାମଲା ରୁଜୁ ହୋଇଛି ତାହା ହିଁ ଠିକ ବୋଲି ପୋଲିସ କହିଥିଲା ।
ଏହା ମଧ୍ୟ ପଢନ୍ତୁ: ଇନ୍ସପେକ୍ଟର ପୁଅର ଗୁଣ୍ଡାଗର୍ଦ୍ଦି; MCA ଛାତ୍ରକୁ ପରିସ୍ରା ପିଆଇଲେ, ଛେପ ଚଟାଇଲେ
ଏହାପରେ ଦୁର୍ବୃତ୍ତମାନେ ଯୁବକଙ୍କ ସହ ମାରପିଟ୍ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଯେତେବେଳେ ସାଗର ଏହି ଭିଡିଓ ଦେଖିଲେ ସେ ଖୁବ୍ ବିବ୍ରତ ହୋଇଲେ । ତେଣୁ ନ୍ୟାୟ ପାଇଁ ଶେଷରେ ଏସପିଙ୍କ ଦ୍ବାରସ୍ତ ହୋଇଛନ୍ତି । ଏନେଇ ଏସପି କହିଛନ୍ତି ଯେ, ଯୁବକଙ୍କୁ ବରଫ ଉପରେ ଶୁଆଇ ମୁହଁର ପରିସ୍ରା କରିବା ସମୟର ଭିଡିଓ ଆସିନି । ପୂର୍ବରୁ ଏହି ଘଟଣାରେ ମାମଲା ରୁଜୁ ହୋଇସାରିଥିଲା । ଏବେ ପୀଡିତଙ୍କ ବୟାନ ଅଧାରରେ ମାମଲା ରୁଜୁ କରି ତଦନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟିଆଇଙ୍କୁ ନିର୍ଦ୍ଦେଶ ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ