ଅମରାବତୀ: ଆନ୍ଧ୍ରପ୍ରଦେଶରେ ଲୋମଟାଙ୍କୁରା ଦୁର୍ଘଟଣା । ଟ୍ରକ ସହ ମୁହାଁମୁହିଁ ଧକ୍କା ହେବା ପରେ ହୁତୁ ହୁତୁ ହୋଇ ଜଳିଗଲା ବସ୍ । ଜୀବନ୍ତ ଦଗ୍ଧ ହୋଇଗଲେ ଏକାସଙ୍ଗେ ୬ ଜଣ । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଆନ୍ଧ୍ରର ପାଲନାଡୁ ଜିଲ୍ଲାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ମୃତକଙ୍କ ମଧ୍ୟରେ ଟ୍ରକ ଓ ବସର ଡ୍ରାଇଭରଙ୍କ ବ୍ୟତୀତ ୪ ଜଣ ଯାତ୍ରୀ ଅଛନ୍ତି । ଆଉ କିଛି ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ମୃତାହତମାନେ ଆନ୍ଧ୍ରପ୍ରଦେଶରେ ଭୋଟ ଦେଇ ହାଇଦ୍ରାବାଦକୁ ଫେରୁଥିଲେ ।
ସୂଚନା ମୁତାବକ, ଉକ୍ତ ବସରେ ପାଖାପାଖି ୪୨ ଜଣ ଯାତ୍ରୀ ଥିଲେ । ସମସ୍ତେ ଗତ ୨୩ ତାରିଖ ଦିନ ପାଲନାଡୁ ଜିଲ୍ଲା ଚିନ୍ନାଗଞ୍ଜାମ ଗାଁରେ ଭୋଟ ଦେଇ ଗତକାଲି ରାତିରେ ହାଇଦ୍ରାବଦକୁ ଫେରୁଥିଲେ । ରାତି ପ୍ରାୟ ୨ଟା ବେଳେ ବାଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ବସ୍ । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଆଖି ପିଛୁଳାକେ ବସ୍ ସହିତ ଟ୍ରକରେ ନିଆଁ ଲାଗି ହୁତୁ ହୁତୁ ଜଳିବାକୁ ଲାଗିଥିଲା । ଫଳରେ ଏହି ନିଆଁରେ ଦୁଇ ଗାଡିର ଡ୍ରାଇଭରଙ୍କ ସମେତ ୬ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ଉଦ୍ଧାର କରିଛି ।
ଏହା ମଧ୍ୟ ପଢନ୍ତୁ: କାଳ ହେଲା ପିକନିକ ! ନଦୀରେ ବୁଡି ୫ ସାଙ୍ଗ ମୃତ - Betwa River Drown Incident
ଏହା ମଧ୍ୟ ପଢନ୍ତୁ: 6 ଜୀବନ ନେଲା କାର ଚକା... - UP Accident
ମୃତକଙ୍କ ମଧ୍ୟରୁ ଚାରିଜଣଙ୍କ ପରିଚୟ ମିଳିଥିବା ବେଳେ ଆଉ ୨ ଜଣଙ୍କ ମୃତଦେହ ଚିହ୍ନଟ ହୋଇପାରିନାହିଁ । ୪ ମୃତକ ହେଲେ ବାପତଲା ଜିଲ୍ଲାର ଅଞ୍ଜି, ଉପ୍ପୁଗୁଣ୍ଡୁର ଲକ୍ଷ୍ମୀ, ମୁପ୍ପାରାଜୁ ଖ୍ୟାତି ସାଇଶ୍ରୀ । ଏନେଇ ଆଜି (ବୁଧବାର) ପୋଲିସ କହିଛି, ''ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ପାଲନାଡୁ ଜିଲ୍ଲାର ଚିଲାକଲୁରିପେଟ ମଣ୍ଡଳରେ ଏହି ଅଘଟଣ ଘଟିଛି । ଦୁର୍ଘଟଣାରେ ଟ୍ରକ ଓ ବସ୍ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି ।'' ତେବେ ସୌଭାଗ୍ୟବଶତଃ ଏଥିରେ ଅନ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କିଛି ଯାତ୍ରୀ ଆହତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ