ବେଙ୍ଗାଲୁରୁ: ମାଟ୍ରିମୋନି ସାଇଡରୁ ବର ଖୋଜୁଛନ୍ତି କି ? ଯଦି ଖୋଜୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ଫେକ ଆଇଡି ଖୋଲି ବିବାହର ପ୍ରଲୋଭନ ଦେଖାଇ ଠକୁଛନ୍ତି ଠକ । ଟଙ୍କା ଠକି ନେଇ ଆଉ ଧରାଛୁଆଁ ଦେଉନାହାନ୍ତି । ଜଣେ କି ଦୁଇ ଜଣ ନୁହଁ ବରଂ 250 ଜଣ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିଛନ୍ତି ଜଣେ ଯୁବକ । ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁରେ । ବିବାହର ପ୍ରତିଶ୍ରୁୃତି ଦେଇ ଠକେଇ ଓ ଟଙ୍କା ଠକି ନେବା ଅଭିଯୋଗରେ ଯୁବକ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଯୁବକ ହେଉଛି ରାଜସ୍ଥାନର ନରେଶ ପୁରୀ ଗୋସ୍ବାମୀ ।
ଫେକ ଆକାଉଣ୍ଟ ଖୋଲି ଠକେଇ: ନରେଶ ପୁରୀ ଗୋସ୍ବାମୀ ବେଙ୍ଗାଲୁରୁର ଏକ କପଡା ଦୋକାନରେ କାମ କରେ । ସେ ତାର ନାମ ପରିବର୍ତ୍ତନ କରି ପଓ୍ବନ ଅଗ୍ରଓ୍ବାଲ ନାମରେ ମାଟ୍ରିମୋନିରେ ଏକ ଆକାଉଣ୍ଟ ଖୋଲିଥିଲା ଓ ନିଜକୁ ଏୟାରପୋର୍ଟରେ ଜଣେ କଷ୍ଟମ ଅଫିସର ବୋଲି ପରିଚୟ ଦେଉଥିଲା । ମାଟ୍ରିମୋନିରେ କୋଏମ୍ବାଟୁରର ଜଣେ ଛାଡପତ୍ର ପାଇଥିବା ମହିଳାଙ୍କ ସହ କଥା ହୋଇଥିଲେ । ଏହାପରେ ବିବାହ ବିଷଯରେ କଥା ହେବାକୁ ତାଙ୍କ ଅଭିଭାବକଙ୍କୁ ଜାନୁଆରୀ 14 ତାରିଖରେ ବେଙ୍ଗାଲୁରୁ ଡକାଇଥିଲା ଠକ । ଏହାପରେ ବେଙ୍ଗାଲୁରୁରେ ଦେଖା କରିବା ପରେ ମହିଳାଙ୍କ ବାପା ଓ ମାଆଙ୍କୁ ପର୍ସ ଆଣିବାକୁ ଭୁଲିଯାଇଥିବା କହି ଟିକେଟ କରିବାକୁ ଟଙ୍କା ମାଗିଥିଲା । ବିଶ୍ବାସ ଜମାଇବା ପରେ 10 ହଜାର ଟଙ୍କା ଧରି ଘରକୁ ଯିବା ପରେ ଆଉ ଧରାଛୁଆଁ ଦେଇନଥିଲା । ଏନେଇ ମହିଳାଙ୍କ ବାପା ମାଆ ଥାନାରେ ଅଭିଯୋଗ କରିଥିଲେ । ରେଲଓ୍ବେ ପୋଲିସ ଏକ ମମାଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।
ଏହା ମଧ୍ୟ ପଢନ୍ତୁ-ନକଲି ଡାକ୍ତର ରମେଶ ସ୍ବାଇଁର ଫିଟୁଛି ଗୁମର, ମାଟ୍ରିମୋନିଆଲ ସାଇଟକୁ ପୋଲିସର ଚିଠି
ଗିରଫ ଅଭିଯୁକ୍ତ ଜଣଙ୍କ ଏକ ପ୍ରି ଆକ୍ଟିଭ ସିମ କିଣିଥିଲା । ଖବରକାଗଜରେ ମାଟ୍ରିମୋନି ପାଇଁ ଦିଆଯାଇଥିବା ବିଜ୍ଞାପନରେ ମହିଳାଙ୍କ ମୋବାଇଲ ନମ୍ବର ଆଣି ଯୋଗାଯୋଗ କରୁଥିଲା । ପୱନ ଅଗ୍ରୱାଲ ନାମରେ ମାଟ୍ରିମୋନିରେ ଆକାଉଣ୍ଟ ଖୋଲି ନିଜର ନକଲି ବାୟୋଡାଟା ଏବଂ ନକଲି ଫଟୋଗ୍ରାଫ ଦେଇଥିଲା । ସେ ବେଙ୍ଗାଲୁରୁ ବିମାନବନ୍ଦରରେ କଷ୍ଟମ ଅଫିସର ଭାବରେ କାମ କରୁଥିବା ସମସ୍ତଙ୍କୁ କହୁଥିଲା ।
ପୋଲିସର ସୂଚନାନୁସାରେ, ଅଭିଯୁକ୍ତ "ଅଗ୍ରସେଞ୍ଜୀ ବୈବାହିକ୍ ମଞ୍ଚ" ନାମକ ଏକ ହ୍ବାଟ୍ସଆପ ଗ୍ରୁପରେ ସାମିଲ ଥିଲା । ସେ ସେଥିରୁ ଛାଡପତ୍ର ପାଇଥିବା ମହିଳାଙ୍କୁ ଚିହ୍ନଟ କରି ଫୋନରେ କଥା ହୋଇଥିଲେ । ପରେ ସେମାନଙ୍କ ସହ କଥାବାର୍ତ୍ତା କରି ବିବାହ କରିବାର ପ୍ରତିଶ୍ରୁତି ଦେଇ ବିଶ୍ବାସ ଜମାଉଥିଲା । ଏହା ପରେ ସେ ସେମାନଙ୍କୁ ବିବାହ ବିଷୟରେ କଥା ହେବା ପାଇଁ ବେଙ୍ଗାଲୁରୁକୁ ଡାକି ସେମାନଙ୍କଠାରୁ ଟଙ୍କା ନେଇ ଠକିଥିଲା । ମହିଳାମାନଙ୍କ ସହ କଥା ହେବାକୁ ଅଲଗା ମୋବାଇଲ୍ ବ୍ୟବହାର କରୁଥିଲା ଅଭିଯୁକ୍ତ ।
250ରୁ ଅଧିକ ମହିଳାଙ୍କୁ ଅଭିଯୁକ୍ତ ଜଣଙ୍କ ବିବାହର ପ୍ରଲୋଭନ ଦେଖାଇ ଟଙ୍କା ଠକେଇ କରିଛି । ସେଥିମଧ୍ୟରୁ ରାଜସ୍ଥାନର 56 ଜଣ, ଉତ୍ତରପ୍ରଦେଶର 32 ଜଣ, ଦିଲ୍ଲୀର 32 ଜଣ, କର୍ଣ୍ଣାଟକର 17 ଜଣ, ମଧ୍ୟପ୍ରଦେଶର 16 ଜଣ, ମହାରାଷ୍ଟ୍ରର 13 ଜଣ, ଗୁଜୁରାଟର 11 ଜଣ, ତାମିଲନାଡୁର 6 ଜଣ, ବିହାରରୁ 5, ଝାଡଖଣ୍ଡରୁ 5 ଏବଂ ଆନ୍ଧ୍ରପ୍ରଦେଶର ଦୁଇଜଣ ରହିଛନ୍ତି । ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ସେମାନେ ପୋଲିସ ଷ୍ଟେସନରେ ଅଭିଯୋଲ କରିପାରିବେ ବୋଲି ରାଜ୍ୟ ରେଳ ବିଭାଗର ଡିଜିପି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ