ନୂଆଦିଲ୍ଲୀ: 2018 ମସିହାରେ ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ବିଜେପିକୁ ସମାଲୋଚନାମୂଳକ ଭିଡିଓ ରିଟ୍ବିଟ୍ କରିବା ମାମଲାରେ ସର୍ବାଚ୍ଚକୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଆଜି ପକ୍ଷ ରଖିଛନ୍ତି । ଏହି ଭିଡିଓକୁ ରିଟ୍ବିଟ୍ କରିବା ପରେ ତାଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ଦାଏର କରାଯାଇଥିଲା । ତେବେ ଆଜି କୋର୍ଟରେ କେଜ୍ରିଓ୍ବାଲ କହିଛନ୍ତି, ଏହି ଭିଡିଓ ରିଟ୍ବିଟ କରିବା ତାଙ୍କର ଏକ ଭୁଲ ଥିଲା । ଆଜି ଏହି ମାମଲାର ଶୁଣାଣି ସର୍ବୋଚ୍ଚ କୋର୍ଟଙ୍କ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ନେତୃତ୍ବାଧୀନ ଦୁଇଜଣିଆ ଖଣ୍ଡପୀଠରେ ହୋଇଥିଲା । କେଜ୍ରିଓ୍ବାଲଙ୍କ ପକ୍ଷ ଶୁଣିବା ପରେ ସର୍ବୋଚ୍ଚ କୋର୍ଟ ତଳକୋର୍ଟକୁ କେଜ୍ରିଓ୍ବାଲଙ୍କ ବିରୋଧରେ ମାମଲା ଆଗକୁ ନବଢାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ସୂଚନା ଅନୁସାରେ, ବର୍ଷ 2018 ରେ ଚର୍ଚ୍ଚିତ ୟୁଟ୍ୟୁବର ଧ୍ରୁବ ରାଠୀ ଭାରତୀୟ ଜନତା ପାର୍ଟିକୁ ସମାଲୋଚନା କରି ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଏହାର ଶୀର୍ଷକ ଥିଲା,ବିଜେପି ଆଇଟି ସେଲ ପାର୍ଟ-2 (BJP IT CELL Part-II) । ଏଥିରେ ଶାସକ ବିଜେପିକୁ ବିଭିନ୍ନ ଦିଗ ସହ ଧ୍ରୁବ ରାଠୀ କଡା ସମାଲୋଚନା କରିଥିଲେ । କିଛି ଅଭିଯୋଗ ମଧ୍ୟ ଲଗାଇଥିଲେ । ଏହାକୁ ମିଥ୍ୟା, ମନୋଗଢା, ଆପତ୍ତିଜନକ ଓ ଅପମାନଜନକ ବୋଲି ଭାରତୀୟ ଜନତା ପାର୍ଟି କହିଥିଲା । ଏହି ଭିଡିଓକୁ ଏକ୍ସ (ସେତେବେଳେ ଟ୍ବିଟର)ରେ ନିଜ ହ୍ୟାଣ୍ଡେଲରେ କେଜ୍ରିଓ୍ବାଲ ସେୟାର କରିଥିଲେ । ଏହା ପରେ ମିଥ୍ୟା ଓ ଆପତ୍ତିଜନକ ଭିଡିଓ ସେୟାର କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ଅପରାଧିକ ମାମଲା ଦାଏର କରାଯାଇଥିଲା ।
ପରେ କେଜ୍ରିଓ୍ବାଲ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇ ଏହାକୁ ଖାରଜ କରିବା ପାଇଁ ଆବେଦନ କରିଥିଲେ । ହେଲେ ଦିଲ୍ଲୀ ହୋଇକୋର୍ଟ ଫେବୃଆରୀ 5 ତାରିଖରେ ଏହି ମାମଲାର ଶୁଣାଣି କରି କେଜ୍ରିଓ୍ବାଲଙ୍କୁ ଆଶ୍ବସ୍ତି ଦେବାକୁ ମନା କରିଥିଲେ । ଏହା ପରେ କେଜ୍ରିଓ୍ବାଲ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲେ । ଆଜି ସେ କରିଥିବା ରିଟ୍ବଟକୁ ଭୁଲ ବୋଲି ସ୍ବୀକାର କରିବା ପରେ କୋର୍ଟ ତାଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ଏମିତି ବି ଆସେ ମୃତ୍ୟୁ ! ଅତ୍ୟଧିକ ଥଣ୍ଡା ଯୋଗୁଁ ଚାଲିଗଲା ଓଡିଆ ଯୁବକଙ୍କ ଜୀବନ
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏବେ ସାଧାରଣ ନିର୍ବାଚନର ଠିକ ପୂର୍ବରୁ ୟୁଟ୍ଯୁବର ଧ୍ରୁବ ରାଠୀ ପୁଣି ଏକ ବିଜେପି ପ୍ରତି ସମାଲୋଚନାମୂଳକ ଭିଡିଓ ପ୍ରସ୍ତୁତ କରି ନିଜ ଚ୍ୟାନେଲରେ ଅପଲୋଡ କରିଛନ୍ତି । ଏଥିରେ ମୋଦି ସରକାରର ନୀତିକୁ ଏକଛତ୍ରବାଦ ଭାବେ ବର୍ଣ୍ଣନା କରାଯାଇ ଭୀଷଣ ସମାଲୋଚନା କରାଯାଇଛି । ଏହାକୁ ବିରୋଧୀମାନେ ପ୍ରଶଂସା କରୁଥିବା ବେଳେ ବିଜେପି ୟୁଟ୍ୟୁବର ରାଠୀଙ୍କୁ ପାଲଟା ଟାର୍ଗେଟ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ