ETV Bharat / bharat

ଜାରି ହେଲା ଲୁକଆଉଟ ନୋଟିସ, ହାଜର ନହେଲେ ଗିରଫ ହେବେ ପ୍ରଜ୍ଜ୍ବଳ ରେବନ୍ନା ! - PRAJWAL REVANNA

author img

By ETV Bharat Odisha Team

Published : May 2, 2024, 3:19 PM IST

ପ୍ରଜ୍ଜଳ ରେବନ୍ନାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି
ପ୍ରଜ୍ଜଳ ରେବନ୍ନାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି

Lookout Notice Issued Against Prajwal Revanna: ପ୍ରଜ୍ଜ୍ବଳଙ୍କ ବିରୋଧରେ ଏସଆଇଟି ଜାରି କଲା ଲୁକଆଉଟ ନୋଟିସ । ହାଜର ନହେଲେ ଜାରି ହେବ ଆରେଷ୍ଟ ଓ୍ବାରେଣ୍ଟ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଯୌନ କେଳଙ୍କାରୀ ଓ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ବଢିଲା ଜେଡିଏସ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡାଙ୍କ ନାତି ପ୍ରଜ୍ଜ୍ବଳ ରେବନ୍ନାଙ୍କ ଅଡୁଆ । ଏବେ ବିଦେଶରେ ଥିବା ରେବନ୍ନାଙ୍କ ପାଇଁ ମାମଲାର ତଦନ୍ତ କରୁଥିବା କର୍ଣ୍ଣାଟକ ପୋଲିସର ଏସଆଇଟି ଲୁକଆଉଟ ନୋଟିସ ଜାରି କରିଛି । ଏନେଇ ରାଜ୍ୟ ଗୃହମନ୍ତ୍ରୀ ପରମେଶ୍ବର ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ନୋଟିସ ଜାରି କରିବା ସତ୍ତ୍ବେ ମଧ୍ୟ ରେବନ୍ନା ଯଦି ସ୍ବଦେଶ ଫେରି ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ନହୁଅନ୍ତି, ତେବେ ତାଙ୍କ ବିରୋଧରେ ପରବର୍ତ୍ତୀ ସମୟରେ ଗିରଫ ପରଓ୍ବାନା ମଧ୍ୟ ଜାରି କରାଯିବ । ପୂର୍ବରୁ ହାଜର ହେବା ପାଇଁ 7ଦିନ ସମୟ ଦେବାକୁ ରେବନ୍ନା ତଦନ୍ତକାରୀ ସଂସ୍ଥାକୁ ଅନୁରୋଧ କରିସାରିଛନ୍ତି । ମାତ୍ର ଏହାକୁ ଏସଆଇଟି ଗ୍ରହଣ କରିନଥିଲା ।

ଦେବେଗୌଡାଙ୍କ 33 ବର୍ଷୀୟ ନାତି ପ୍ରଜ୍ଜ୍ବଳ ହାସନ ସଂସଦୀୟ କ୍ଷେତ୍ରରୁ 2019ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଚଳିତଥର ତାଙ୍କ ଦଳ ଜେଡିଏସ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ସହଯୋଗୀ ଦଳ ଭାବେ ନିର୍ବାଚନ ଲଢୁଛି । ସେ ମଧ୍ୟ ହାସନ ଆସନରୁ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଜଣେ ମହିଳା ପ୍ରଜ୍ଜ୍ବଳ ଓ ତାଙ୍କ ବାପା ଏଚ.ଡି ରେବନ୍ନାଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହା ପରେ ପ୍ରଜ୍ଜ୍ବଳଙ୍କ ଏକାଧିକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ନିର୍ବାଚନ ସମୟରେ ଏହି ଭିଡିଓ ନେଇ ବିବାଦ ଆରମ୍ଭ ହେବା ପରେ ପ୍ରଜ୍ଜ୍ବଳ ଦେଶ ଛାଡି ଚାଲିଯାଇଥିବା ଜଣାପଡିଛି । ସେ ବର୍ତ୍ତମାନ ସୁଦ୍ଧା କେଉଁ ଦେଶରେ ଅଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇନି । ମାତ୍ର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରଜ୍ଜ୍ବଳଙ୍କ ଡିପ୍ଲୋମାଟିକ ଭିସା ବାତିଲ କରିବା ପାଇଁ କେନ୍ଦ୍ରକୁ ନିବେଦନ କରିଛନ୍ତି । ଜଣେ ନିର୍ବାଚିତ ଜନ ପ୍ରତିନିଧି ହୋଇଥିବା କାରଣରୁ ପ୍ରଜ୍ଜ୍ବଳ ଏବେ ଡିପ୍ଲୋମାଟିକ ଭିସା ବ୍ୟବହାର କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ବେଲ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସିସୋଦିଆ - Manish Sisodia

ଅନ୍ୟପଟେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ପ୍ରଜ୍ଜ୍ବଳଙ୍କ ବିରୋଧରେ ଜେଡିଏସ ଦଳୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛି । ତାଙ୍କୁ ଏହି ମାମଲାର ତଦନ୍ତ ଶେଷ ନହେବା ଯାଏ, ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି । ଦୁଇଦିନ ତଳେ ଦଳ କୋର କମିଟି ବୈଠକ ଡାକି ଏହି ନିଷ୍ପତ୍ତି ଗ୍ରହଣ କରିଥିଲା । କଂଗ୍ରେସ ଏହି ମାମଲାରେ ବିଜେପି ଓ ଜେଡିଏସକୁ ଟାର୍ଗେଟ କରିସାରିଛି । କର୍ଣ୍ଣାଟକରେ କଂଗ୍ରେସ ଶାସନରେ ରହିଛି । ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପାଲଟା ଅଭିଯୋଗ କରିଥିଲେ । ଏବେ ରେବନ୍ନାଙ୍କ ଅଡୁଆ ବଢିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.