ଜୟପୁର: ଭୋଟ ଦେଇ ଟଳିପଡିଲେ ବୃଦ୍ଧ । ରାଜସ୍ଥାନରେ ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି । ଏହାମଧ୍ୟରେ ଏକ ଅଘଟଣର ଚିତ୍ର ସାମ୍ନାକୁ ଆସିଛି । ରାଜସ୍ଥାନର ଭିଲଓ୍ବାଡା ସହର ନିକଟରେ ଏକ ମତଦାନ କେନ୍ଦ୍ରରେ ଭୋଟ ଦେବା ପରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ କେଉଁ କାରଣରୁ ବୃଦ୍ଧଙ୍କ ମୃତ୍ୟୁ ହେଲା ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ଏନେଇ ବିଜେପି ନେତା ଚେତନଙ୍କ କହିଛନ୍ତି ଯେ, ଭିଲଓ୍ବାଡା ସହର ନିକଟସ୍ଥ କସ୍ବେ ଉପନଗର ପୁର ଠାରେ ନୋହରା ବୁଥ ନମ୍ବର ୭ରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । କସ୍ବେ ଅଞ୍ଚଳର ୮୦ ବର୍ଷୀୟ ଛଗନ ବାଗେଲ ମତଦାନ କେନ୍ଦ୍ରକୁ ଭୋଟ ଦେବା ପାଇଁ ଆସିଥିଲେ । ମତଦାନ କେନ୍ଦ୍ରରେ ଲମ୍ବା ଲାଇନରେ ଛିଡା ହୋଇ ଶେଷରେ ଭୋଟ ଦେଇଥିଲେ । ତେବେ ଭୋଟ ଦେଇ ଫେରୁଥିବା ବେଳେ ଭୋଟିଂ ସେଣ୍ଟର ପରିସରରେ ହଠାତ ତଳେ ପଡିଯାଇଥିଲେ ।
ଏହାମଧ୍ୟ ପଢନ୍ତୁ..ବୁଥରେ ପହଞ୍ଚି ଭୋଟ ଦେଲେ ହେଭିୱେଟ, ଭୋଟିଂ ପାଇଁ ଦେଲେ ଆହ୍ୱାନ - Lok Sabha Election Voting
ମତଦାତା କେନ୍ଦ୍ରରେ ଉପସ୍ଥିତ ଅଧିକାରୀମାନେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ବୃଦ୍ଧଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ କେଉଁ କାରଣରୁ ବୃଦ୍ଧଙ୍କ ମୃତ୍ୟୁ ହେଲା ତାହା ଜଣାପଡିନଥିବା ବେଳେ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି ।
ଅନ୍ୟପଟେ ପଶ୍ଚିମବଙ୍ଗରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ମତଗ୍ରହଣ ଚାଲିଥିବା ବେଳେ ଆଉ ଏକ ଅଘଟଣ ସାମ୍ନାକୁ ଆସିଛି । ରାଜ୍ୟର ଗୋରାମୋହଲ ଅଞ୍ଚଳରେ ମିଦନାପୁର ଜିଲ୍ଲାର ମୋଏନା ଅଞ୍ଚଳର ୧୮ ବର୍ଷୀୟ ଦିନବନ୍ଧୁ ମିଦ୍ୟା ନାମକ ଜଣେ ବିଜେପି କର୍ମୀଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପରିବାରର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଦିନବନ୍ଧୁଙ୍କ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ତଦନ୍ତ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ