ନୂଆଦିଲ୍ଲୀ: ପୂର୍ବତନ ASG ତଥା ବରିଷ୍ଠ ଆଇନଜୀବୀ ଫଲି ଏସ ନରିମନଙ୍କ ବିୟୋଗ ହୋଇଛି । 95 ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ବାସଭବନରେ ସେ ଆଖି ବୁଜିଛନ୍ତି । ବିଳମ୍ବିତ ରାତି ପ୍ରାୟ 1ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିବା ଫଲି ଏସ ନରିମନଙ୍କ ବିୟୋଗକୁ ନେଇ ବିଭିନ୍ନ ମହଲରେ ଖେଳିଯାଇଛି ଶୋକର ଛାୟା । ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ଏକ୍ସ ହ୍ୟାଣ୍ଡଲରେ ଶୋକ ପ୍ରକାଶ କରି ଲେଖିଛନ୍ତି, "ଏକ ଯୁଗର ଅବସାନ ଘଟିଲା।"
ସେହିପରି ବରିଷ୍ଠ ଆଇନଜୀବୀ ମହେଶ ଜେଠମଲାନୀ କହିଛନ୍ତି, ନରିମନଙ୍କ ବିୟୋଗ ଖବର ପାଇ ମୁଁ ମର୍ମାହତ । ସେ ଜଣେ ପ୍ରକୃତ ଜେଣ୍ଟଲମ୍ୟାନ। ଦେଶ ଜଣେ ଶକ୍ତ ଆଇନଜୀବୀଙ୍କୁ ହରାଇଛି । ମୁଁ ତାଙ୍କ ସହ ଅତୀତରେ ବହୁ ସମୟ ବିତାଇଛି । ଯାହାକି ମୋର ମନେ ରହିବ । ଈଶ୍ବର ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ । ଓମ ଶାନ୍ତି।"1929 ମସିହା ଜାନୁଆରୀ ମାସ 10 ତାରିଖରେ ଜନ୍ମଗ୍ରହଣ କରିଥିଲେ ନରିମନ । ସେ ଏକ ପାର୍ସି ପରିବାରରେ ଜନ୍ମ ହୋଇଥିଲେ । ସେ 1950 ମସିହାରେ ବମ୍ବେ ହାଇକୋର୍ଟରେ ଲ' ପ୍ରାକ୍ଟିସ୍ କରିଥିଲେ । 1972 ମସିହାରେ ସୁପ୍ରିମକୋର୍ଟରେ ଆଇନ ଅଭ୍ୟାସ କରିଥିଲେ ନରିମନ। ପରେ ତାଙ୍କୁ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ନିଯୁକ୍ତ କରାଯାଇଥିଲା।
ଏହା ମଧ୍ୟ ପଢନ୍ତୁ...ଅଙ୍ଗଦାନ କରି ଅମର ହେଲେ ଡଃ କ୍ଷୀରୋଦ ଚନ୍ଦ୍ର ନାୟକ
ଏହା ମଧ୍ୟ ପଢନ୍ତୁ...ହୃଦଘାତରେ ଆଖିବୁଜିଲେ ଲୋକପ୍ରିୟ ଟିଭି ତାରକା ଋତୁରାଜ ସିଂହ
ଏହା ମଧ୍ୟ ପଢନ୍ତୁ...ହୃଦଘାତରେ ଆଖି ବୁଜିଲେ 'ଉଡାନ' ଅଭିନେତ୍ରୀ କବିତା ଚୌଧୁରୀ
ଫଲି ଏସ୍ ନରିମନ ଜଣେ ଦକ୍ଷ ଆଇନଜୀବୀ ଭାବେ ବେଶ ଜଣାଶୁଣା । ସେ ଜେନେଭାର ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥତା କୋର୍ଟର ଉପାଧ୍ୟକ୍ଷ ମଧ୍ୟ ରହିଥିଲେ । 1991 ମସିହାରେ ପଦ୍ମଭୂଷଣ ଏବଂ 2007ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ଫଲି ଏସ ନରିମନ । 1975 ମସିହାରେ ଇନ୍ଦିରାଗାନ୍ଧୀଙ୍କ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସେ ସଲିସିଟର ଜେନେରାଲ ପଦରୁ ଇସ୍ତଫା ଦେଇଥିଲେ । ତତ୍କାଳୀନ ଆଇନମନ୍ତ୍ରୀ ଏଚଆର ଗୋଖଲେଙ୍କୁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହିଭଳି ଭାବେ ନରିମନଙ୍କର କ୍ୟାରିଅର ଯେତିକି ସଫଳ ଥିଲେ ସେ ମଧ୍ୟ ସେତିକି ପରିଚିତ ଥିଲେ। ଆଜି ସମସ୍ତଙ୍କଠାରୁ ବିଦାୟ ନେଇଛନ୍ତି ନରିମନ। ଆଉ ଦେଶ ତାଙ୍କ ଭଳି ଜଣେ ଦକ୍ଷ ଆଇନଜୀବୀଙ୍କୁ ହରାଇଛି। ତାଙ୍କ ବିୟୋଗରେ ସବୁ ମହଲରେ ଶୋକ ପ୍ରକାଶ ପାଇଛି ।