ହାଇଦ୍ରାବାଦ: ଆକ୍ସନ ମୋଡରେ ହାଇଦ୍ରାବାଦ ମ୍ୟୁନସିପାଲ କର୍ପୋରେସନ । ଉଚ୍ଛେଦ ହେଲା ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଲୋଟସ ପଣ୍ଡ୍ ହାଉସ ସମ୍ମୁଖ ସେଡ୍ । ଏହା ଫୁଟପାଥକୁ ଲାଗି ରହିଥିବା ବେଳେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ନେଇ ଅଭିଯୋଗ ହୋଇଆସୁଥିଲା । ତେଣୁ ଏହା ବିରୋଧରେ ନିଗମ କାର୍ଯ୍ୟାନୁଷ୍ଠାନ ନେଇଛି । ସରକାରଙ୍କ ନିର୍ଦ୍ଦେଶକ୍ରମେ ଲୋଟସ ପଣ୍ଡ ସାମନାରେ ଥିବା ଜଗନଙ୍କ ବାସଭବନର ସୁରକ୍ଷାକର୍ମୀଙ୍କ ସେଡକୁ ଉଚ୍ଛେଦ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ନିର୍ବାଚନରେ ଚନ୍ଦ୍ରବାବୁ ନାଇଡୁ ସରକାର ପୁଣି ଥରେ ଆନ୍ଧ୍ର ପ୍ରଦେଶର ଶାସନ ଗାଦି ହାତେଇଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ଜଗନ ମୋହନ ରେଡ୍ଡୀ କିଛି ଦିନ ତଳେ ଇସ୍ତଫା ଦେଇଛନ୍ତି । ପ୍ରାୟ ୬ ମାସ ପୂର୍ବେ ଏହି ଲୋଟସ ପଣ୍ଡ ସାମନାରେ ଥିବା ବେଆଇନ ସେଡ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ଗତକାଲି ଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ହାଇଦ୍ରାବାଦ ମହାନଗର ନିଗମ । ସାର୍ବଜନୀନ ସ୍ଥାନରେ ଏହା ନିର୍ମାଣ କରାଯାଇଥିବାରୁ କଲୋନୀ ବାସିନ୍ଦାଙ୍କ ଯାତୟତରେ ସମସ୍ୟା ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏହା 'ଲୋଟସ ପଣ୍ଡ' ବାସଭବନ ସମ୍ମୁଖରେ ସୁରକ୍ଷାକର୍ମୀଙ୍କ ପାଇଁ ଏକ ସେଡ୍ ରହିଥିଲା । ଯାହାକୁ ଗ୍ରେଟର ହାଇଦ୍ରାବାଦ ମ୍ୟୁନସିପାଲ କର୍ପୋରେସନ (GHMC) ପକ୍ଷରୁ ଉଚ୍ଛେଦ କରାଯାଇଛି ।
2023 ବିଧାନସଭା ନିର୍ବାଚନରେ କେସିଆର ନେତ୍ବତ୍ବାଧୀନ ଭାରତ ରାଷ୍ଟ୍ର ସମିତି (BRS)କୁ ପରାସ୍ତ କରି ତେଲେଙ୍ଗାନାରେ କଂଗ୍ରେସ କ୍ଷମତାକୁ ଫେରିଛି । କୁହାଯାଏ ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ବିଆରଏସ ସରକାର ଜଗନ ମୋହନ ରେଡ୍ଡୀଙ୍କ ସହ ଭଲ ସମ୍ପର୍କ ରଖିଥିଲ । ହେଲେ ଗତ ନିର୍ବାଚନରେ BRS ହାତରୁ କ୍ଷମତା ଛଡାଇବାରେ କଂଗ୍ରେସ ସଫଳ ହୋଇଛି । ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେଣୁ କଂଗ୍ରେସ ସରକାର ଆସିବା ପରେ ଜଗନମୋହନ ରେଡ୍ଡୀଙ୍କର ଏହି ଲୋଟସ ପଣ୍ଡ ନିକଟରେ ଥିବା ବେଆଇନ ସେଡ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ବରୂପ ଏହାକୁ ଉଚ୍ଛେଦ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ