ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଛନ୍ତି । ଏହାପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇକୁ ନୋଟିସ ଜାରି କରିଛନ୍ତି କୋର୍ଟ । ଏପ୍ରିଲ 20 ତାରିଖ ସୁଦ୍ଧା ଏନେଇ ଜବାବ ରଖିବାକୁ ସ୍ପେଶାଲ ଜଜ୍ କାଭେରୀ ବାୱେଜା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଫେବୃଆରୀ 26 ତାରିଖରେ ସିବିଆଇ ଦ୍ବାରା ଗିରଫ ହୋଇ ଜେଲରେ ବନ୍ଦୀ ଅଛନ୍ତି ସିସୋଦିଆ ।
ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଜବାବ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଜବାବ ପରେ କୋର୍ଟ ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଛନ୍ତି । ସିବିଆଇ ଓ ଇଡିର ଅଭିଯୋଗ ଅନୁସାରେ ଦିଲ୍ଲୀ ମଦ ନୀତିରେ ବ୍ୟାପକ ଦୁର୍ନୀତି ହୋଇଛି । ଏହି ନୀତି ଲାଇସେନ୍ସ ଧାରୀଙ୍କ ଲାଗି ସୁହାଇବା ଭଳି ରହିଥିଲା । ଏପରିକି କିଛି ମଦ ବ୍ୟବସାୟୀଙ୍କ ଲାଇସେନ୍ସ ଫି'କୁ ହ୍ରାସ କରାଯିବା ସହ ସମ୍ପୂର୍ଣ୍ଣ ହଟାଯାଇଥିଲା । ଏହି ନୀତି ଦ୍ବାରା ଅଭିଯୁକ୍ତ ଆପ୍ ନେତା ବେଆଇନ ଭାବେ ଅର୍ଥ ଠୁଳ କରିଥିଲେ । ଏପରି ଅଭିଯୋଗରେ ସିସୋଦିଆଙ୍କ ସମେତ ଅନ୍ୟ ଆପ୍ ନେତାଙ୍କୁ ଗିରଫ କରାଯାଇଛି ।
ଏହା ବି ପଢନ୍ତୁ- ପ୍ରଚାର କରିବାକୁ ମନ ବଳାଇଲେଣି ମନୀଷ ସିସୋଦିଆ, କୋର୍ଟରେ କଲେ ଜାମିନ ଆବେଦନ
ଏହି ମାମଲାରେ ପ୍ରଥମେ ଗତ 2022 ଅଗଷ୍ଟରେ ଇଡି ଦ୍ବାରା ଗିରଫ ହୋଇଥିଲେ ସିସୋଦିଆ । ଏହାପରେ ମାମଲାର ଅନୁସନ୍ଧାନ କରୁଥିବା ସିବିଆଇ 26 ଫେବୃଆରୀ 2023ରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ସେହି ଦିନଠାରୁ ସିସୋଦିଆ ଦିଲ୍ଲୀର ତିହାର ଜେଲରେ ଅଛନ୍ତି । ସିସୋଦିଆ ଫେବୃଆରୀ 2023ରେ ଦିଲ୍ଲୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ । ଜାମିନ ପାଇଁ ଅନେକ ଥର ସିସୋଦିଆ ଆବେଦନ କରିଥିଲେ ସୁଦ୍ଧା ତାଙ୍କୁ ନିରାଶ ହେବାକୁ ପଡ଼ିଛି ।
ଏହା ବି ପଢନ୍ତୁ- ମଦ ଦୁର୍ନୀତି ମାମଲା; ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ
ସିସୋଦିଆଙ୍କ ବ୍ୟତୀତ ଆପ ନେତା ସଞ୍ଜୟ ସିଂଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଏକାଧିକ ସମନ ପରେ ଇଡି ଗିରଫ କରିଥିଲା । ଏବେ ସେ ଜେଲରୁ ରହି ସରକାର ଚଲାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ