ନୂଆଦିଲ୍ଲୀ: ବିଶ୍ବବିଦ୍ୟାଳୟ ପରିସରରେ ଠେଲା ଲଗାଇ ପକୁଡି ବିକିଲେ ଜଣେ ପୂର୍ବତନ ମହିଳା ପ୍ରଫେସର । ଏହି କାରଣରୁ ତାଙ୍କ ବିରୋଧରେ ପୋଲିସ ଏବେ ମାମଲା ରୁଜୁ କରିଛି । ଏପରି ଏକ ଘଟଣା ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିଶ୍ୱବିଦ୍ୟାଳୟରେ ପୂର୍ବରୁ ଅଧ୍ୟାପନା କରିଥିବା ପୂର୍ବତନ ପ୍ରଫେସର ଡକ୍ଟର ରିତୁ ସିଂ ଆର୍ଟ୍ସ ଫାକଲ୍ଟି ବାହାରେ ଥିବା ଏକ ସ୍ଥାନରେ ପକୁଡି ଛାଣିବା ସହ ବିକ୍ରି କରିଥିଲେ । ଛାତ୍ରଛାତ୍ରୀଙ୍କ ସମାବେଶ ହୋଇଥିଲା । ପ୍ରଫେସର ରିତୁ 'ପିଏଚଡି ପକୋଡା ୱାଲା'ର ହୋର୍ଡିଂ ଲଗାଇ ପକୁଡି ବିକ୍ରି କରୁଥିଲେ । କିଛି ଛାତ୍ର ଇନସାଫ ଜିନ୍ଦାବାଦ ନାରା ମଧ୍ୟ ଦେଇଥିଲେ । କିଛି ସମୟ ପାଇଁ କ୍ୟାମ୍ପସରେ ଭିଡ ଦେଖିବାକୁ ମିଳିଥିଲା । ଏବେ ପୋଲିସ ଏକ ମାମଲା ରୁଜୁ କରିଛି । ପୂର୍ବତନ ପ୍ରଫେସରକୁ ଜେରା ପାଇଁ ଡକାଯାଇପାରେ ।
ଏହି ସମ୍ପର୍କରେ ସୂଚନା ପାଇ ମୋରିସ ନଗର ପୋଲିସ କ୍ୟାମ୍ପସରେ ପହଞ୍ଚିଥିଲା । ଭିଡ ନିୟନ୍ତ୍ରଣ କରିବା ସହ ପୂର୍ବତନ ପ୍ରଫେସରଙ୍କୁ ସେଠାରୁ ହଟାଇଥିଲା ପୋଲିସ । ଏହା ପରେ ପୋଲିସ ତାଙ୍କ ବିରୋଧରେ ଆଇପିସିର ଧାରା 283/34 ଅନୁଯାୟୀ ଏକ ମାମଲା ରୁଜୁ କରିଥିବା ଜଣାପଡିଛି । ପ୍ରଫେସର ଡଃ ରିତୁ ସିଂ ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ପାକୁଡି ବିକ୍ରି କରିବାର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ ।
ଏହା ମଧ୍ୟ ପଢନ୍ତୁ :- ଟ୍ରେନିଂ ଫ୍ଲାଇଁ ବେଳେ କ୍ରାସ ହେଲା ବିମାନ, ମହିଳା ପାଇଲଟ ଆହତ
ଡଃ ରିତୁ ସିଂ କିଏ:
ପ୍ରଫେସର ରିତୁ ସିଂ ପୂର୍ବରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅନ୍ତର୍ଗତ ଦୌଲତ ରାମ ମହାବିଦ୍ୟାଳୟର ମନୋବିଜ୍ଞାନ ବିଭାଗରେ ଜଣେ ଆଡ-ହକ୍ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ । ସେ ଅଭିଯୋଗ କରିଛନ୍ତି ଯେ ସେ ଜାତିରେ ଜଣେ ଦଳିତ ଥିବାରୁ ଦିଲ୍ଲୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବରଖାସ୍ତ କରିଥିଲା । ଏହି କାରଣରୁ ସେ ଦୀର୍ଘ ଦିନ ଧରି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆର୍ଟ ଫ୍ୟାକଲ୍ଟି ଗେଟ୍ ନମ୍ବର 4 ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଆସୁଥିଲେ । ବର୍ତ୍ତମାନ ପୂର୍ବତନ ପ୍ରଫେସର ରିତୁ ତାଙ୍କ ଏପରି କିଛି ଭିନ୍ନ ଢଙ୍ଗରେ ପ୍ରତିବାଦ କରି ଚର୍ଚ୍ଚା ଓ ବିବାଦକୁ ଆସିଛନ୍ତି । ତାଙ୍କୁ କିଛି ଛାତ୍ରଛାତ୍ରୀ ସମର୍ଥନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ହେଲେ କ୍ୟାମ୍ପସରେ ଏପରି ସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ସେ ଏବେ ପୋଲିସ ତଦନ୍ତର ସାମ୍ନା କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ